ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍‌ ପାଇଁ ଭାରତୀୟ ମହିଳା ଦଳ : ମିତାଲି ଦିନିକିଆ, ହରମନପ୍ରୀତ୍‌ ଟ୍ବେଣ୍ଟି-୨୦ ଅଧିନାୟିକା

0

ନୂଆଦିଲ୍ଲୀ : ଆସନ୍ତା ମାସରେ ଭାରତୀୟ ମହିଳା ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ ଘରୋଇ ମହିଳା କ୍ରିକେଟ୍ ଦଳ ସହ ଦିନିକିଆ ଓ ଟ୍ବେଣ୍ଟି -୨୦ ସିରିଜ୍‌ ଖେଳିବ। ଏହି ସିରିଜ୍‌ ପାଇଁ ଭାରତୀୟ ଦଳ ଶୁକ୍ରବାର ଘୋଷିତ ହୋଇଛି। ମିତାଲି ରାଜ୍‌ ଦିନିକିଆ ଓ ହରମନପ୍ରୀତ କୌର ଟ୍ବେଣ୍ଟି -୨୦ ଦଳର ଅଧିନାୟିକା ଭାବେ ପୂର୍ବପରି ଦାୟିତ୍ବ ନିର୍ବାହ କରିବେ। ଅନ୍ୟପକ୍ଷରେ ଫର୍ମରେ ନ ଥିବା ବେଦା କ୍ରିଷ୍ଣମୂର୍ତ୍ତିଙ୍କୁ ଉଭୟ ଦିନିକିଆ ଓ ଟ୍ବେଣ୍ଟି -୨୦ ଦଳରୁ ବାଦ୍ ଦିଆଯାଇଛି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ଟି ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି -୨୦ ମ୍ୟାଚ୍ ଖେଳାଯିବ।
ଭାରତୀୟ ଦଳ ମହିଳା ଟ୍ବେଣ୍ଟି -୨୦ ବିଶ୍ବକପ୍‌ର ସେମିଫାଇନାଲରେ ପରାସ୍ତ ହେବା ପରେ ଦେଖାଦେଇଥିବା ବିବାଦର ଆପାତତଃ ସମାଧାନ ହୋଇଛି। ଦଳର ନୂଆ ପ୍ରଶିକ୍ଷକ ଭାବେ ଡବ୍ଲ୍ୟୁଭି ରମଣଙ୍କୁ ନିଯୁକ୍ତ କରାଯାଇଛି। ରମଣଙ୍କ ଅଧୀନରେ ଭାରତୀୟ ମହିଳା ଦଳ ନ୍ୟୁଜିଲାଣ୍ଡ ଗସ୍ତରେ ଯାଇ କ୍ରିକେଟ୍‌ ସିରିଜ୍‌ ଖେଳିବ। ଶୁକ୍ରବାର ଅନୁଷ୍ଠିତ ମନୋନୟନ କମିଟି ବୈଠକରେ ମିତାଲି ରାଜ୍‌ ଉପସ୍ଥିତ ଥିଲେ। ତେବେ ହରମନପ୍ରୀତ୍‌ ଅଷ୍ଟ୍ରେଲିଆରେ ବିଗ୍‌ବାସ ଲିଗ୍‌ ଖେଳୁଥିବାରୁ ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ। ବିସିସିଆଇର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରାହୁଲ ଜୋହରି ଓ କାର୍ଯ୍ୟକାରୀ ସମ୍ପାଦକ ଅମିତାଭ ଚୌଧୁରୀଙ୍କ ଉପସ୍ଥିତିରେ ମନୋନୟନ କମିଟି ଅଧ୍ୟକ୍ଷା ହେମଲତା କାଲା ଦଳ ଘୋଷଣା କରିଥିଲେ। ନୈରାଶ୍ୟଜନକ ପ୍ରଦର୍ଶନ କରିଥିବାରୁ ବେଦା କ୍ରିଷ୍ଣମୂର୍ତ୍ତିଙ୍କୁ କୌଣସି ଦଳରେ ସ୍ଥାନ ମିଳିନଥିବା ବେଳେ ଦିନିକିଆରେ ତାଙ୍କ ସ୍ଥାନରେ ମୋନା ମେସରମ୍‌ ଓ ଟ୍ବେଣ୍ଟି୨୦ରେ ପ୍ରିୟା ପୁନିଆଙ୍କୁ ସାମିଲ କରାଯାଇଛି। ସେହିପରି ଆହତ ପୂଜାଙ୍କ ସ୍ଥାନରେ ଟ୍ବେଣ୍ଟି୨୦ ଦଳରେ ଶିଖା ପାଣ୍ଡେଙ୍କୁ ସାମିଲ କରଯାଇଛି।

ଦିନିକିଆ ଦଳ : ମିତାଲି ରାଜ (ଅଧିନାୟିକା), ପୁନମ ରାଉତ, ସ୍ମୃତି ମାନ୍ଧାନା, ଜେମିମା ରୋଡ୍ରିଗେଜ୍, ହରମନପ୍ରୀତ କୌର, ଦିପ୍ତୀ ଶର୍ମା, ତନ୍ୟା ଭାଟିଆ (ୱିକେଟରକ୍ଷକ), ମୋନା ମେସରମ୍‌, ଏକତା ବିଷ୍ଟ, ମାନସୀ ଜୋଷୀ, ଦୟାଲନ୍ ହେମଲତା, ପୁନମ ଯାଦବ, ରାଜେଶ୍ବରୀ ଗାଏକ୍ବାଏଡ, ଝୁଲଣ ଗୋସ୍ବାମୀ ଓ ଶିଖା ପାଣ୍ଡେ।

ଟ୍ବେଣ୍ଟି -୨୦ ଦଳ : ହରମନପ୍ରୀତ କୌର (ଅଧିନାୟିକା), ସ୍ମୃତି ମାନ୍ଧାନା, ମିତାଲି ରାଜ୍‌, ଦିପ୍ତୀ ଶର୍ମା, ଜେମିମା ରୋଡ୍ରିଗେଜ୍‌, ଅନୁଜା ପାଟିଲ, ଦୟାଲନ୍‌ ହେମଲତା, ମାନସୀ ଜୋଷୀ, ଶିଖା ପାଣ୍ଡେ, ତନ୍ୟା ଭାଟିଆ (ୱିକେଟରକ୍ଷକ), ପୁନମ ଯାଦବ, ଏକତା ବିଷ୍ଟ, ରାଧା ଯାଦବ, ଅରୁନ୍ଧତୀ ରେଡ୍ଡ଼ି ଓ ପ୍ରିୟା ପୁନିଆ।

Leave A Reply