ଦେଶୀ ଟ୍ୱିଟର ‘କୁ’

-ଚୀନ୍‍କୁ ଜବାବ ଦେବା ଲାଗି ଆତ୍ମନିର୍ଭର ଭାରତ ଅଭିଯାନରେ ଆରମ୍ଭ ହୋଇଥିବା ‘ଆପ୍‍ ଇନୋଭେସନ୍‍ ଚ୍ୟାଲେଞ୍ଜ’ରେ ଯେଉଁ ଆପ୍‍ଗୁଡିକ ପୁରସ୍କୃତ ହୋଇଥିଲା, ସେଥିମଧ୍ୟରୁ ଅନ୍ୟତମ ଦେଶୀ ଟ୍ୱିଟର ‘କୁ’। ଦେଶର ବିବିଧତାକୁ ଦୃଷ୍ଟିରେ ରଖି ନିଆଯାଇଥିବା ସକାରାତ୍ମକ ପଦକ୍ଷେପ ଯେ ସଫଳତା ଦେଇପାରେ, ଏହା ‘କୁ’ରୁ ପ୍ରମାଣିତ ହୋଇଛି। ଏହାକୁ ପ୍ରସ୍ତୁତ କରିଛନ୍ତି ମୟଙ୍କ ବିଦ୍ୱତ୍‍କା ଏବଂ ଅପ୍ରମେୟ ରାଧାକୃଷ୍ଣ। ଦୁହେଁ ୨୦୧୭ରେ ଭାରତୀୟ ଭାଷାର ନଲେଜ୍‍ ଶେୟାରିଂ ଆପ୍‍ ‘ଭୋକାଲ’ ଲଞ୍ଚ୍‍ କରିଥିଲେ। ଏବେ ଏହା ୧୧ଟି ଭାଷାରେ ବ୍ୟବହାରକାରୀଙ୍କୁ ପ୍ରଶ୍ନ ପଚାରି ଉତ୍ତର ପାଇବାରେ ସହାୟକ ହେଉଛି। ‘କୁ’ର ନିର୍ମାତାଦ୍ୱୟଙ୍କ କହିବା ଅନୁସାରେ, ଭାରତରେ ମାତ୍ର ୧୦ପ୍ରତିଶତ ଲୋକ ଇଂରାଜୀ କହନ୍ତି। ଦେଶର ୧୦୦କୋଟିରୁ ଅଧିକ ନାଗରିକ ସ୍ଥାନୀୟ ଭାଷା ବ୍ୟବହାର କରିଥାନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ସ୍ମାର୍ଟଫୋନ୍‍ରେ ଇଣ୍ଟରନେଟ୍‍ ବ୍ୟବହାର କରୁଥିବାରୁ ‘ଟ୍ୱିଟର’ ବଦଳରେ ‘କୁ’ ସେମାନଙ୍କୁ ନିଜ ଭାଷାରେ ଭାବ ପ୍ରକାଶର ସୁଯୋଗ ଦେଇପାରିବ।

ଅପ୍ରମେୟ ରାଧାକୃଷ୍ଣ କର୍ଣ୍ଣାଟକ ଏନ୍‍ଆଇଟିରୁ ବି.ଇ କରିବା ପରେ ଅହମ୍ମଦାବାଦ ଆଇଆଇଏମ୍‍ରୁ ଏମ୍‍ବିଏ କରିଥିଲେ। ଇନ୍‍ଫୋସିସ୍‍ରେ ଚାକିରି ପାଇଥିଲେ ବି କିଛି ବର୍ଷ ପରେ ଛାଡିଦେଇ କ୍ୟାବ୍‍ ସେବା ‘ଟ୍ୟାକ୍ସି ଫର୍‍ ଶ୍ୟୋର୍‍’ ଆରମ୍ଭ କଲେ। ଖୁବ୍‍ କମ୍‍ ଦିନରେ ଏହା ଦେଶର ପ୍ରମୁଖ କ୍ୟାବ୍‍ ସେବା ଯୋଗାଉଥିବା କମ୍ପାନୀ ହୋଇଗଲା। ପରେ ସେ ‘ଓଲା’କୁ ଏହି କମ୍ପାନୀ ବିକ୍ରି କରି ନିଜେ ପୁଞ୍ଜିନିବେଶକାରୀ ଭାବେ କାର୍ଯ୍ୟ କଲେ। ଗତ ମାର୍ଚ୍ଚରେ ଅପ୍ରମେୟ ଏବଂ ମୟଙ୍କ ଔପଚାରିକ ଭାବେ ‘କୁ’ ଲଞ୍ଚ୍‍ କରିଥିଲେ। ଏବେସୁଦ୍ଧା ଏହା ୧୦ଲକ୍ଷରୁ ଅଧିକ ଥର ଡାଉନ୍‍ଲୋଡ ହୋଇସାରିଲାଣି। ଏହାର ବ୍ୟବହାରକାରୀ ୪୦୦ କ୍ୟାରେକ୍ଟର ବ୍ୟବହାର କରି ନିଜ କଥା ଉପସ୍ଥାପନ କରିପାରିବେ। ୧ମିନିଟ୍‍ର ଅଡିଓ କିମ୍ବା ଭିଡିଓ ବି ଶେୟାର କରିପାରିବେ। ଚଳଚ୍ଚିତ୍ର ଏବଂ ରାଜନୀତି କ୍ଷେତ୍ରରେ ବହୁ ପ୍ରମୁଖ ବ୍ୟକ୍ତିତ୍ୱ ‘କୁ’ ବ୍ୟବହାର କରୁଛନ୍ତି। ଏବେ ଏଥିରେ ହିନ୍ଦୀ, ତାମିଲ, କନ୍ନଡ ଏବଂ ତେଲଗୁ ଭାଷାରେ ଲେଖିହେଉଥିବା ବେଳେ ଆଗାମୀ ବର୍ଷକ ମଧ୍ୟରେ ଓଡ଼ିଆ ସମେତ ମରାଠୀ, ଗୁଜରାଟୀ, ଅହମିୟା, ପଞ୍ଜାବୀ, ମାଲୟାଲମ, ବଙ୍ଗଳା ପରି ଆଉ ୧୧ଟି ଭାଷା ସାମିଲ କରାଯିବ ବୋଲି ଦୁହେଁ କହିଛନ୍ତି। ସବୁଠାରୁ ବଡ କଥା, ‘କୁ’ ଇଂରାଜୀ ଭାଷାକୁ ଆଦୌ ସପୋର୍ଟ କରେନାହିଁ।


 

Comments are closed.