ଟୋକିଓରେ ପହଞ୍ଚିଲା ୮୮ଜଣିଆ ଭାରତୀୟ ଦଳ

ଟୋକିଓ: କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍‌ସରେ ଅଂଶଗ୍ରହଣ କରିବା ଲାଗି ୮୮ଜଣିଆ ଭାରତୀୟ ଦଳ ରବିବାର ସକାଳେ ଟୋକିଓରେ ପହଞ୍ଚିଛନ୍ତି। ଖେଳାଳି ଓ ସହଯୋଗୀ ସଦସ୍ୟମାନଙ୍କୁ ଭାରତର ଚିପ୍‌ ଡି ମିଶନ ବି.ପି ବୈଶ୍ୟ, ଉପ ଚିପ୍‌ ଡି ମିଶନ ପ୍ରେମ ବର୍ମା ସ୍ବାଗତ କରିଛନ୍ତି। ଟୋକିଓ ଅଲିମ୍ପିକ୍‌ସ ଆୟୋଜକ କମିଟିର ସ୍ବିକୃତି କ୍ରମେ ପ୍ରଥମ ଦଫାରେ ୫୪ଜଣ ଖେଳାଳି ଓ ୩୪ଜଣ ସହଯୋଗୀ ସଦସ୍ୟ ପହଞ୍ଚିଛନ୍ତି। ପୂର୍ବରୁ ଭାରତୀୟ ଚିପ୍‌ ଡି ମିଶନ ବି.ପି ବୈଶ୍ୟ, ଉପ ଚିପ୍‌ ଡି ମିଶନ ପ୍ରେମ ବର୍ମା ଟୋକିଓରେ ପହଞ୍ଚିବା ସହିତ କ୍ରୀଡ଼ା ଗ୍ରାମରେ ଉପଲବ୍ଧ ସୁବିଧାସୁଯୋଗକୁ ତଦାରଖ କରିଥିଲେ।

୮ ଗୋଟି କ୍ରୀଡ଼ା ତୀରନ୍ଦାଜୀ, ବ୍ୟାଡ଼ମିଣ୍ଟନ, ହକି (ପୁରୁଷ ଓ ମହିଳା), ଟେବୁଲଟେନିସ, ସନ୍ତରଣ, ଜୁଡୋ, ଜିମ୍ନାଷ୍ଟିକ୍‌, ଭାରୋତ୍ତୋଳନ ଆଦି କ୍ରୀଡ଼ାରେ କ୍ରୀଡ଼ାବିତ୍‌ମାନେ ପହଞ୍ଚିଛନ୍ତି। ଭାରତୀୟ ଖେଳାଳିମାନେ ଶନିବାର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ସ୍ବତନ୍ତ୍ର ଚାର୍ଟାର୍ଡ ବିମାନରେ ରାତି ୧୦ଟା ୩୦ରେ ଟୋକିଓ ଯାତ୍ରା କରିଥିଲେ। ପୂର୍ବରୁ ଭାରତୀୟ ବନ୍ଧୁକଚାଳନା, ମୁଷ୍ଟିଯୋଦ୍ଧା ଦଳ, ପାଲଟଣା ନୌକାଚାଳନ ଦଳ ଓ ଭାରୋତ୍ତୋଳିକା ମିରାବାଇ ଚାନୁ ସିଧା ଟୋକିଓରେ ପହଞ୍ଚିଥିଲେ। ଟୋକିଓରେ ପହଞ୍ଚିଥିବା ଭାରତୀୟ ଦଳ ୩ ଦିନ ସଙ୍ଗରୋଧରେ ରହିବା ପରେ କ୍ରୀଡ଼ାଗ୍ରାମକୁ ଯିବାକୁ ଅନୁମତି ମିଳିବ।

ଅନ୍ତର୍ଜାତୀୟ ଅଲିମ୍ପିକ୍‌ସ କମିଟି ନିୟମ ଅନୁଯାୟୀ କରୋନା ମହାମାରୀ ଦ୍ବିତୀୟ ତରଙ୍ଗ ବୃଦ୍ଧି ପାଉଥିବାରୁ ଭାରତ ସମେତ ୮ ଦେଶର ଖେଳାଳିଙ୍କ ଉପରେ କଟକଣା ଲାଗୁ କରାଯାଇଛି। ଏପରିକି ଉକ୍ତ ଦେଶର ଖେଳାଳିମାନେ ଟୋକିଓ ଅଲିମ୍ପିକ୍‌ସ କ୍ରୀଡ଼ାଗ୍ରାମକୁ ଯିବା ପୂର୍ବରୁ ୩ ଦିନ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ କରାଯାଇଛି। ୩ ଦିନ ଖେଳାଳିମାନେ ସଙ୍ଗରୋଧରେ ରହିବା ଅବସରରେ କ୍ରୀଡ଼ାଗ୍ରାମର ଡାଇନିଂ, ବ୍ୟାୟାମଶାଳା, ପାର୍କ ଓ ଭିଲେଜ ପ୍ଲାଜା ଆଦିକୁ ବ୍ୟବହାର କରିପାରିବେ ବୋଲି ଭାରତର ଚିପ୍‌ ଡି ମିଶନ ମୁଖ୍ୟ ବି.ପି ବୈଶ୍ୟ କହିଛନ୍ତି। କ୍ରୀଡ଼ା ଗ୍ରାମରେ ଭାରତୀୟ ଖେଳାଳିମାନଙ୍କ ଲାଗି ଟାୱାର-୧୫ର ୧୨ ଓ ୧୩ତମ ଫ୍ଲୋରରେ ରହିବାର ବ୍ୟବସ୍ଥା କରାଯାଇଛି। ଖେଳାଳିମାନଙ୍କ ଲାଗି ୧୮୨ଟି କୋଠରୀର ବ୍ୟବସ୍ଥା କରାଯାଇଛି। ଟୋକିଓ ଅଲିମ୍ପିକ୍‌ସରେ ୧୧୯ଜଣ କ୍ରୀଡ଼ାବିତ୍‌ ଓ ୧୦୯ଜଣ ସହଯୋଗୀ ସଦସ୍ୟଙ୍କ ସ​‌ହ ମୋଟ ୨୨୮ଜଣ ଭାରତୀୟ ଦଳ ଅଂଶଗ୍ରହଣ କରି​ବେ।

Comments are closed.