ମେଲ ଓ ଏକ୍ସପ୍ରେସ ଟ୍ରେନରୁ ହଟିବ ସ୍ଲିପର: ଲାଗିବ ୮୩ ବର୍ଥ ବିଶିଷ୍ଟ କମ୍ପାକ୍ଟ ଏସି ବଗି

ନୂଆଦିଲ୍ଲୀ : ଆଗାମୀ ଦିନରେ ଦେଶର ସମସ୍ତ ମେଲ ଓ ଏକ୍ସପ୍ରେସ ଟ୍ରେନରୁ ହଟିବ ଦ୍ବିିତୀୟ ଶ୍ରେଣୀ ସ୍ଲିପର କୋଚ୍ । ଏହି ସବୁ କୋଚ ଏସି ବଗିରେ ପରିଣତ ହେବ ।   ଭାରତୀୟ ରେଳବାଇ ପକ୍ଷରୁ ଏଥିନିମନ୍ତେ କାର୍ଯ୍ୟ ଆରମ୍ଭ ହୋଇଛି ଏବଂ ପର୍ଯ୍ୟାୟକ୍ରମେ ସମସ୍ତ ସ୍ଲିପର କୋଚ୍ ହଟାଯାଇ ସେହିସ୍ଥାନରେ ଏସି ବଗି ଲଗାଯିବ । ତେବେ ଜେନେରାଲ କ୍ଲାସ (ତୃତୀୟ ଶ୍ରେଣୀ) କୋଚ ବଦଳାଇବାର କୌଣସି ଯୋଜନା କରାଯାଇ ନାହିଁ । ସ୍ଲିପର ଶ୍ରେଣୀ ବଦଳରେ ଏସି ବଗି ଲଗାଯିବା ଦ୍ବାରା ଯଦିଓ ଭଡ଼ା ବୃଦ୍ଧି ପାଇବ ତାହା ଯାତ୍ରୀମାନଙ୍କୁ ବେଶୀ ପ୍ରଭାବିତ କରିବ ନାହିଁ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ରେଳବାଇ ବୋର୍ଡର ଚେୟାରମ୍ୟାନ୍ ତଥା ସିଇଓ ବିନୋଦ କୁମାର ଯାଦବ ଇଂରାଜୀ ଖବରକାଗଜ ଇକୋନୋମିକ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ନୂତନ ଯୋଜନା ଅନୁସାରେ  ୭୨ବର୍ଥ ସ୍ଲିପର କୋଚକୁ ୮୩ବର୍ଥ କମ୍ପାକ୍ଟ ଏସି କୋଚ ସହିତ ବଦଳାଯିବ । ରେଳବାଇର କାପୁରତାଲା କାରଖାନାରେ ଏହି ନୂତନ ଏସି କୋଚଗୁଡିକର ପରୀକ୍ଷା ବର୍ତ୍ତମାନ ଚାଲିଛି ଏବଂ ଆସନ୍ତା ଆର୍ଥିକ ବର୍ଷରୁ ଉତ୍ପାଦନ ଆରମ୍ଭ କରିବାକୁ ଯୋଜନା କରାଯାଇଛି। ଅବଶ୍ୟ, ଏହି ଖବର ସ୍ଲିପର ଶ୍ରେଣୀରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ବିଚଳିତ କରିପାରେ, ମାତ୍ର ଏଥିପାଇଁ ବିବ୍ରତ ହେବାର କୌଣସି କାରଣ ନାହିଁ ବୋଲି ରେଳବାଇ ବୋର୍ଡ଼ ଚେୟାରମ୍ୟାନ କରିଛନ୍ତି । ଏହି ବଗିରେ ଯାତ୍ରା ତୃତୀୟ ଶ୍ରେଣୀ ଏସି କୋଚରୁ କିଛିଟା କମ୍ ଓ ଦ୍ବିତୀୟ ଶ୍ରେଣୀ ସ୍ଲିପରଠାରୁ କିଛିଟା ଅଧିକ ହେବ ବୋଲି ସେ କହିଛନ୍ତି ।

ଟ୍ରେନ୍ ଗୁଡିକରେ ଏସି ପ୍ରଥମ ଶ୍ରେଣୀ, ଦ୍ବିତୀୟ ଶ୍ରେଣୀ ଓ ତୃତୀୟ ଶ୍ରେଣୀ ଏସି ପୂର୍ବ ପରି ରହିବ । ସେଥିରେ ଭଡ଼ାରେ ପରିବର୍ତନ ହେବ ନାହିଁ । କିନ୍ତୁ ସ୍ଲିପର ଶ୍ରେଣୀ ବଦଳରେ ୮୩ ବର୍ଥ କମ୍ପାକ୍ଟ ଏସି ଶ୍ରେଣୀ ପାଇଁ ନୂତନ ଭଡ଼ା ଧାର୍ଯ୍ୟ ହେବ ।ବର୍ତ୍ତମାନ ପାଇଁ, ଯାତ୍ରୀ ଏବଂ ସ୍ଥାନୀୟ ଟ୍ରେନ୍ କୋଚ୍ ଗୁଡିକ ଅଣ-ଏସି ରହିବ ଏବଂ ସେଗୁଡ଼ିକୁ ଧୀରେ ଧୀରେ ଅଧିକ ଆଧୁନିକ MEMU ଟ୍ରେନ୍ ଦ୍ୱାରା ବଦଳାଯିବ |

ସମ୍ପ୍ରତି ଭାରତୀୟ ରେଳ ଆଧୁନିକୀକରଣ ଦିଗରେ ଗତି କରୁଛି ଏବଂ ଟ୍ରେନର ଗତିକୁ ବୃଦ୍ଧି କରି ପ୍ରଥମେ ଘଣ୍ଟାପିଛା ୧୩୦ କିଲୋମିଟର ଓ ୨୦୨୫ ସୁଦ୍ଧା ୧୬୦ କିଲୋମିଟରରେ ପହଞ୍ଚାଯିବା ପାଇଁ ଲକ୍ଷ୍ୟ ରଖାଯାଇଛି ।  ରେଳ ବୋର୍ଡର ଅଧ୍ୟକ୍ଷଙ୍କ କହିବାନୁସାରେ, ଯେତେବେଳେ ଟ୍ରେନ୍୧୩୦ କିଲୋମିଟର ବେଗରେ ଚାଲିବା ଆରମ୍ଭ କରିବ, ସେତେବେଳେ ପବନ ଏବଂ ଧୂଳି ଯୋଗୁଁ ଅଣ ଏସି କୋଚଗୁଡ଼ିକରେ ପ୍ରଦୂଷଣ ଓ ଏବଂ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି କରିବ | ତେଣୁ ରେଳବାଇ ଧୀରେ ଧୀରେ ସମସ୍ତ ୧୯୦୦ ମେଲ-ଏକ୍ସପ୍ରେସ ଟ୍ରେନରୁ ଅଣ-ଏସି କୋଚଗୁଡ଼ିକୁ ହଟାଇବ |  ଏତେ ବଡ କାର୍ଯ୍ୟ ଏକାସାଙ୍ଗରେ ହୋଇପାରିବ ନାହିଁ, ତେଣୁ ଏହା ପର୍ଯ୍ୟାୟକ୍ରମେ ସମାପ୍ତ ହେବ | ରେଳବାଇ ବର୍ତ୍ତମାନ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ହାଇସ୍ପିଡ୍ ଟ୍ରେନ୍ କରିଡରରେ କାମ କରୁଛି। ପରବର୍ତୀ ପର୍ଯ୍ୟାୟରେ  ଦିଲ୍ଲୀ-ବାରାଣାସୀ, ମୁମ୍ବାଇ-ନାଗପୁର, ଅହମ୍ମଦାବାଦ-ଦିଲ୍ଲୀ, ଚେନ୍ନାଇ-ମିସୁରୁ, ଦିଲ୍ଲୀ-ଅମୃତସର, ମୁମ୍ବାଇ-ହାଇଦ୍ରାବାଦ ଏବଂ ବାରାଣାସୀ-କୋଲକାତାକରିଡ଼ର କାର୍ଯ୍ୟ କରିବ । ହାଇସ୍ପିଡ଼ କରିଡ଼ରରେ ଟ୍ରେନର ଗତି ୩୦୦ କିଲୋମିଟର ଓ ସେମି ହାଇସ୍ପିଡ଼୍ କରିଡ଼ରରେ ଟ୍ରେନର ଗତି ୧୬୦ କିଲୋମିଟର କରାଯିବାକୁ ଯୋଜନା ରହିଛି । ତେଣୁ ଟ୍ରେନଗୁଡ଼ିକରୁ ଅଣଏସି ସ୍ଲିପର କୋଚ ହଟାଇ ଏସି କୋଚ୍ ଲଗାଯିବ ବୋଲି ସେ କହିଛନ୍ତି ।

Comments are closed.