୧୦୦ ଟ୍ରେନ୍ ଚଳାଇବାକୁ ରେଳବାଇର ପ୍ରସ୍ତୁତି; ବର୍ତମାନ ଚାଲୁଛି ୨୩୦ ସ୍ବତନ୍ତ୍ର ଟ୍ରେନ୍

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର । ରେଳ ମନ୍ତ୍ରଣାଳୟ ବର୍ତମାନ ଚାଲୁଥିବା ୨୩୦ ସ୍ବତନ୍ତ୍ର ଟ୍ରେନ ସହ ଆଉରି ୧୦୦ ଟ୍ରେନ୍ ଚଳାଇବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏ ସଂପର୍କରେ ମନ୍ତ୍ରଣାଳୟ ପକ୍ଷରୁ ବିଭିନ୍ନ ରାଜ୍ୟଠାରୁ ପରାମର୍ଶ ଲୋଡ଼ିଛି ଏବଂ କେଉଁ ରାଜ୍ୟକୁ କେତେ ଟ୍ରେନ୍ ଚାଲିବ ତାହା ସମ୍ପୃକ୍ତ ରାଜ୍ୟର ଆବଶ୍ୟକତା ଓ ଯାତ୍ରୀଙ୍କ ସଂଖ୍ୟା ଉପରେ ନିର୍ଭର କରୁଛି ।

ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅନଲକ୍୪.୦ରେ ୧୦୦ ଟ୍ରେନ୍ ଚଳାଚଳ ପାଇଁ ବ୍ୟବସ୍ଥା କରାଯାଉଛି । କରୋନା ଭୂତାଣୁ ସଂକ୍ରମଣଜନିତ ଲକଡ଼ାଉନ ପରେ ଗତ ୨୫ ମାର୍ଚରୁ ଦେଶର ସମସ୍ତ ପାସେଞ୍ଜର, ମେଲ ଓ ଏକ୍ସପ୍ରେସ ଟ୍ରେନ୍ ସେବା ବନ୍ଦ କରି ଦିଆଯାଇଛି ।

ତେବେ ମେ ୧ ତାରିଖରୁ ଶ୍ରମିକଙ୍କ ଘର ଲେଉଟାଣି ନିମନ୍ତେ ରେଳବାଇ ସ୍ବତନ୍ତ୍ର ଟ୍ରେନ ଚଳାଚଳ ଆରମ୍ଭ କରିଥିଲା । ଏହି ଟ୍ରେନ ଚଳାଚଳ ନିମନ୍ତେ କେନ୍ଦ୍ର ସରକାର ୮୫% ଓ ରାଜ୍ୟ ସରକାର ୧୫% ଅର୍ଥ ବହନ କରୁଥିଲେ । ପରବର୍ତୀ ସମୟରେ ରେଳବାଇ ପକ୍ଷରୁ ମେ ୧୨ ତାରିଖରୁ ୧୫ ଯୋଡ଼ା ଶୀତତାପ ନିୟନ୍ତ୍ରିତ ଟ୍ରେନ ଓ ଜୁନ ୧ ତାରିଖରୁ ୧୦୦ ଯୋଡ଼ା ଟ୍ରେନ ଚଳଚଳ ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଏବେ ଆସନ୍ତା ୭ ତାରିଖରୁ ଦେଶର କିଛି ସ୍ଥାନରେ ମେଟ୍ରୋ ଟ୍ରେନ ଚଳାଚଳ ନିମନ୍ତେ ଅନୁମତି ଦିଆଯାଇଛି । ଏଥିନିମନ୍ତେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଖୁବଶୀଘ୍ର ମାର୍ଗଦର୍ଶିକା ଜାରି କରାଯିବ ବୋଲି ସୂଚନା ମିଳିଛି ।

Comments are closed.