ଟ୍ରେନରେ ଚୋରି ହୋଇଯାଇଛି କି ଆପଣଙ୍କ ଜିନିଷ? ତୁରନ୍ତ କରନ୍ତୁ ଏହି କାମ, ମିଳିବ କ୍ଷତିପୂରଣ

ନୂଆଦିଲ୍ଲୀ: ଦେଶରେ ପ୍ରତ୍ୟେକଦିନ କୋଟି କୋଟି ଲୋକ ରେଳ ଯାତ୍ରା କରନ୍ତି। ରେଳ ଯାତ୍ରାକୁ ଅଧିକ ସୁବିଧାଜନକ କରିବା ପାଇଁ ଭାରତୀୟ ରେଳବାଇ ପକ୍ଷରୁ ଅନେକ ନିୟମ ଲାଗୁ କରାଯାଇଛି। ଏହା ସତ୍ତ୍ବେ ଟ୍ରେନରେ ଯାତ୍ରୀଙ୍କ ଜିନିଷ ଚୋରିର ଅନେକ ଘଟଣା ସାମ୍ନାକୁ ଆସୁଛି। ଟ୍ରେନରେ ଯାତ୍ରା କରିବା ସମୟରେ ଯଦି କୌଣସି ଯାତ୍ରୀଙ୍କ ସାମଗ୍ରୀ ଚୋରି ହୋଇଯାଏ, ତେବେ ସେ ଖୁବ୍ ବ୍ୟସ୍ତ ବିବ୍ରତ ହୋଇପଡ଼ନ୍ତି। ନିଜ ଜିନିଷକୁ ଖୋଜିବାକୁ ଯଥା ସମ୍ଭବ ଚେଷ୍ଟା କରନ୍ତି। ତଥାପି ତାଙ୍କ ଜିନିଷ ମିଳେନାହିଁ। ତେବେ ଯଦି ଟ୍ରେନ୍ ଯାତ୍ରା ସମୟରେ ଆପଣଙ୍କ ଜିନିଷ କେବେ ଚୋରି ହୋଇଯାଏ, ତାହେଲେ ଚିନ୍ତାର କୌଣସି କାରଣ ନାହିଁ। ଆଜି ଆମେ ଆପଣଙ୍କୁ ଏ ସମ୍ବନ୍ଧରେ କିଛି ଗୁରୁତ୍ବପୂର୍ଣ୍ଣ କଥା କହିବୁ, ଯାହାକି ଆପଣଙ୍କ ଜିନିଷ ଚୋରି ହେବା ମାତ୍ରେ ତୁରନ୍ତ କରିବାକୁ ପଡ଼ିବ। ଯଦ୍ବାରା ଏଥିପାଇଁ ଆପଣଙ୍କୁ କ୍ଷତିପୂରଣ ମିଳିପାରିବ।
ଟ୍ରେନରେ କୌଣସି ସାମଗ୍ରୀ କିମ୍ବା ଲଗେଜ୍ ଚୋରି ହେଲେ ଯାତ୍ରୀ ଏନେଇ ତୁରନ୍ତ ଅଭିଯୋଗ କରିବା ଉଚିତ। ଯଦି ଅଭିଯୋଗ କରିବା ପରେ ଆପଣଙ୍କ ଅଭିଯୋଗ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ, ତେବେ ଏଭଳି ସ୍ଥିତିରେ ରେଳବାଇ ଆପଣଙ୍କ ଚୋରି ସାମଗ୍ରୀ ପାଇଁ କ୍ଷତିପୂରଣ ଦେଇଥାଏ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କ୍ଷତିପୂରଣ ପାଇବା ପାଇଁ ଆପଣଙ୍କୁ କିଛି ଜରୁରୀ କାମ କରିବାକୁ ପଡ଼ିବ। ଯଦି ଆପଣ ଏହି କାମ ନକରନ୍ତି, ତେବେ କ୍ଷତିପୂରଣ ପାଇପାରିବେ ନାହିଁ।
ଭାରତୀୟ ରେଳବାଇର ୱେବସାଇଟ୍ ମୁତାବକ, ଟ୍ରେନରେ ସାମଗ୍ରୀ ଚୋରି ହେଲେ ଆପଣ କୋଚ୍ ଆଟେଣ୍ଡାଣ୍ଟ, ଟ୍ରେନ୍ କଣ୍ଡକ୍ଟର, ଜିଆରପି ଏସକର୍ଟ କିମ୍ବା ଗାର୍ଡଙ୍କ ନିକଟକୁ ଯାଇପାରିବେ। ତାଙ୍କଠାରୁ ଆପଣ ଏକ ଏଫଆଇଆର ଫର୍ମ ପାଇବେ। ଫର୍ମ ପୂରଣ କରିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଏହାକୁ ଥାନାକୁ ପଠାଯିବ। ଅଭିଯୋଗ ଦାଖଲ କରିବା ପରେ ରେଳବାଇ ପକ୍ଷରୁ ଚୋରି ସାମଗ୍ରୀ ବିଷୟରେ ଯାଞ୍ଚ କରାଯିବ। ଯାଞ୍ଚ ପରେ ଯଦି ସାମଗ୍ରୀ ନ ମିଳିଲା, ତେବେ ରେଳବାଇ ଆପଣଙ୍କୁ ସେହି ସାମଗ୍ରୀ ପାଇଁ କ୍ଷତିପୂରଣ ଦେବ। ଏହି କ୍ଷତିପୂରଣ ଚୋରି ସାମଗ୍ରୀ ମୂଲ୍ୟଠାରୁ କମ୍ ହୋଇପାରେ।
Comments are closed.