ଅଭ୍ୟାସ ଆରମ୍ଭକଲେ ଭାରତୀୟ ଖେଳାଳି

ଟୋକିଓ: କ୍ରୀଡ଼ା ମହାକୁମ୍ଭ ଟୋକିଓ ଅଲିମ୍ପିକ୍‌ସ ଆଉ ମାତ୍ର ୩ ଦିନ ପରେ ଆରମ୍ଭ ହେବ। ଏଥିପାଇଁ ପ୍ରଥମ ବ୍ୟାଚରେ ୮୮ଜଣିଆ ଭାରତୀୟ ଦଳ ରବିବାର ସକାଳେ ଟୋକିଓରେ ପହଞ୍ଚିଛନ୍ତି। କୋଭିଡ଼ ନିୟମ ଅନୁଯାୟୀ ୩ ଦିନ ସଙ୍ଗରୋଧରେ ରହିବା ପ​ରେ ଖେଳାଳିମାନେ କ୍ରୀଡ଼ା ଗ୍ରାମରେ ପ୍ରବେଶ ନେଇ ଅନୁମିତ ମିଳିବ। କ୍ରୀଡ଼ାଗ୍ରାମଠାରୁ ଦୂରରେ ରହିଥିଲେ ମଧ୍ୟ ଟୋକିଓରେ ପହଞ୍ଚିବାର ଗୋଟିଏ ଦିନ ପରେ ଭାରତୀୟ ଖେଳାଳିମାନେ ଅଭ୍ୟାସକୁ ଓହ୍ଲାଇଛନ୍ତି। ସୋମବାର ତୀରନ୍ଦାଜୀ ଦମ୍ପତ୍ତି ଦୀପିକା କୁମାରୀ ଓ ଅତନୁ ଦାସଙ୍କ ସମେତ ଟେବୁଲଟେନିସ ଖେଳାଳି ଜି. ସାଥିୟାନ, ଏ ଶରତ କମଲ, ବ୍ୟାଡ଼ମିଣ୍ଟନ ତାରକା ପି.ଭି ସିନ୍ଧୁ, ବି. ସାଇ ପ୍ରଣିଥ , ଜିମ୍ନାଷ୍ଟିକ୍‌ ଖେଳାଳି ପ୍ରଣତି ନାୟକ ପ୍ରମୁଖ ଅଭ୍ୟାସ ଆରମ୍ଭ କରିଛନ୍ତି।

ସକାଳେ ୟୁମିନୋସୀମା ପାର୍କରେ ଅତନୁ ଓ ଦୀପିକା ଅଭ୍ୟାସ କରିଥିଲେ। ଟେବୁଲ ଟେନିସ ଖେଳାଳି ସତ୍ୟନ୍‌ ଓ ଶରତ କମଲ ମଧ୍ୟ ଅଭ୍ୟାସ କରିଥିଲେ। ଜିମ୍ନାଷ୍ଟ ପ୍ରଣତି ନାୟକ ତାଙ୍କ ପ୍ରଶିକ୍ଷକ ଲକ୍ଷ୍ମଣ ମନୋହର ଶର୍ମାଙ୍କ ସହ ଅଭ୍ୟାସ କରିଥିଲେ। ସିନ୍ଧୁ ଓ ସାଇ ପ୍ରଣିତ, ଚିରାଗ ସେଟ୍ଟି, ସ୍ବସ୍ତିକସାଇରାଜ ରାଙ୍କିରେଡ୍ଡି ପ୍ରମୁଖ ଟି ସାଙ୍ଗ୍‌ ପାର୍କରେ ପ୍ରଶିକ୍ଷକ ମାଥିୟାସ ବୋଏଙ୍କ ନେତୃତ୍ବରେ ଅଭ୍ୟାସ କରିଥିଲେ। ପାଲଟଣା ନୌଚାଳିକା ଖେଳାଳି ନେତ୍ରା କୁମାନନ୍‌, କେ.ସି ଗଣପତି, ବରୁଣ ଠକ୍କର ଓ ସର୍ବାନନ୍ ପ୍ରମୁଖ ଅଭ୍ୟାସ କରିଛନ୍ତି। ସନ୍ତରଣକାରୀ ମାନା ପଟେଲ ଓ ଶ୍ରୀହରି ନଟରାଜ ମଧ୍ୟ ସୋମବାର ଅଭ୍ୟାସ କରିଛନ୍ତି। ଖେଳାଳି କାରୋନା ନିୟମକୁ ପାଳନ କରି ଅଭ୍ୟାସକୁ ଓହ୍ଲାଇଛନ୍ତି। ଭାରତୀୟ ଖେଳାଳି ଟୋକିଓ ବିମାନ ବନ୍ଦରରେ ପହଞ୍ଚିବା ପରେ ସେମାନଙ୍କ କରୋନା ପରୀକ୍ଷା ପାଇଁ ନମୂନା ସଂଗ୍ରହ କରା ଯାଇଥିଲା। ରିପୋର୍ଟ ଆସିବା ପର୍ଯ୍ୟନ୍ତ ଖେଳାଳିମାନେ କ୍ରୀଡାଗ୍ରାମ ବାହାରେ ହୋଟେଲରେ ରହିଛନ୍ତି। ଏହାସତ୍ତ୍ବେ ସେମାନଙ୍କୁ କ୍ରୀଡ଼ାଗ୍ରାମର ଖାଦ୍ୟସ୍ଥଳ ଓ ବ୍ୟାୟମଶାଳା ବ୍ୟବହାର କରିବା ପାଇଁ ଆଇଓସି ପକ୍ଷରୁ ଅନୁମତି ମିଳିଛି।

Comments are closed.