ଭାରତୀୟ ବଂଶୋଦ୍ଭବ ପ୍ରଥମ ବ୍ୟକ୍ତି କାନାଡା ସୁପ୍ରିମକୋର୍ଟର ବିଚାରପତି

ଓଟାୱା: ଭାରତୀୟ ବଂଶୋଦ୍ଭବ ଜଣେ ବ୍ୟକ୍ତି ପ୍ରଥମ କୃଷ୍ଣକାୟ ଭାବରେ କାନାଡା ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତ ହେବାକୁ ଯାଉଛନ୍ତି । ଶୁକ୍ରବାର ଦିନ କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡ୍ୟୁ ତାଙ୍କ ନାମ ସୁପ୍ରିମକୋର୍ଟ ବିଚାରପତି ନିମନ୍ତେ ସୁପାରିଶ କରିଛନ୍ତି । ଏହି ବ୍ୟକ୍ତିଜଣକ ହେଉଛନ୍ତି ମାହମୁଦ ଜମାଲ । ୧୯୬୭ରେ ନାଇରୋବିରେ ଏକ ଭାରତୀୟ ପରିବାରରେ ତାଙ୍କର ଜନ୍ମ ହୋଇଥିଲା । ଏହାପରେ ୧୯୮୧ରେ ତାଙ୍କ ପରିବାର କାନାଡାକୁ ଚାଲିଯାଇ ସେଠାରେ ବସବାସ କରିଥିଲେ । କିନ୍ତୁ ମାହମୁଦ ବ୍ରିଟେନରେ ଶିକ୍ଷାଗ୍ରହଣ କରିବା ସହିତ ସେଠାର ବଡ ହୋଇଥିଲେ ।
ଜମାଲ କାନାଡାରେ ଦୀର୍ଘ ଦଶନ୍ଧି ଧରି ଜଣେ ଆଇନଜୀବୀ ଭାବରେ କାର୍ଯ୍ୟ କରିଆସୁଛନ୍ତି । ସେ କାନାଡାର ଦୁଇଟି ପ୍ରସିଦ୍ଧ ଆଇନ ବିଶ୍ୱବିଦ୍ୟାଳୟରେ ମଧ୍ୟ ଆଇନ ଶିକ୍ଷା ଦେଇଛନ୍ତି । ୨୦୧୯ରୁ ସେ ଅଣ୍ଟାରିଓ ଅଦାଲତରେ ଜଣେ ଆପିଲ୍‍ ଜଜ ଭାବରେ କାର୍ଯ୍ୟ କରୁଛନ୍ତି । ତାଙ୍କ ପତ୍ନୀ ଇରାନ ଜନ୍ମିତ ଏବଂ ସେ ବାହାଇ ଧର୍ମ ଅନୁସରଣ କରନ୍ତି । ତେବେ ବାହାଇ ଧର୍ମକୁ ନେଇ ଇରାନରେ ରହିଥିବା ବିଦ୍ୱେଷ ଭାବ କାରଣରୁ ସେ ମଧ୍ୟ କାନାଡାକୁ ଚାଲି ଆସିଛନ୍ତି । ଜମାଲ କହିଛନ୍ତି, ସେ ମଧ୍ୟ ପିଲାଦିନେ ନିଜର ନାମ, ଧର୍ମ ଏବଂ ବର୍ଣ୍ଣକୁ ନେଇ ଅନେକ ପାତର ଅନ୍ତର ପରିସ୍ଥିତିର ସମ୍ମୁଖୀନ ହୋଇଛନ୍ତି ।

Comments are closed.