କରୋନା ମାଡ଼ : ୪୦ ବର୍ଷ ପରେ ମାନ୍ଦାବସ୍ଥା ଆଡ଼କୁ ଭାରତ

ନୂଆଦିଲ୍ଲୀ : କରୋନାର ପ୍ରଭାବ କେବଳ ମନୁଷ୍ୟ ଶରୀର କାହିଁକି ଅର୍ଥନୀତି ପାଇଁ କେତେ ଯେ ଭୟାବହ ତାହା ଧୀରେ ଧୀରେ ଅନୁମେୟ ହେବାରେ ଲାଗିଲାଣି । କାରଣ ଦୀର୍ଘ ୪୦ ବର୍ଷ ପରେ ଆର୍ଥିକ ମାନ୍ଦାବସ୍ଥା ଆଡକୁ ଅଗ୍ରସର ହେଉଛି ଭାରତ । କରୋନା ସଂକ୍ରମଣକୁ ରୋକିବା ଲାଗି ଦେଶବ୍ୟାପୀ ଲାଗୁ କରାଯାଇଥିବା ଶଟ୍‌ ଡାଉନ୍‌ ପରିପ୍ରେକ୍ଷୀରେ ଦେଶର ଅର୍ଥନୀତି ବିଶେଷ ଭାବେ ପ୍ରଭାବିତ ହେବାକୁ ଯାଉଛି । ଯାହାର ଫଳସ୍ବରୂପ ଆଗାମୀ ଦିନରେ ଦେଶ ଆର୍ଥିକ ମାନ୍ଦାବସ୍ଥା ଆଡକୁ ମୁହାଁଉଥିବା ଏକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ କୁହାଯାଇଛି । ଲକ୍‌ଡାଉନ୍‌ ପାଇଁ ଆସୁଥିବା ଦିନଗୁଡିକରେ ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧିରେ ୧.୭% ହ୍ରାସ ଘଟିବାକୁ ଯାଉଛି । ବିନିର୍ମାଣ, ବାଣିଜ୍ୟ ପରିବହନ ଏବଂ ଯୋଗାଯୋଗରେ ତୀବ୍ର ହ୍ରାସ ପାଇଁ ଜିଡିପିରେ ଏହି ହ୍ରାସ ଘଟିବାକୁ ଯାଉଥିବା କୁହାଯାଇଛି।
ଏ ସମ୍ପର୍କରେ ଏକ୍ସିସ୍ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ ପୃଥୀରାଜ ଶ୍ରୀନିବାସ କହିଛନ୍ତି ଯେ, ଚଳିତ ଆର୍ଥିକବର୍ଷର ଜୁନ୍‌ ତ୍ରୈମାସ ହେଉଛି ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ଲକ୍‌ଡାଉନ୍‌ ପାଇଁ ୨୦୨୦ରେ ବିଶ୍ବର ଅଭିବୃଦ୍ଧି ହାରରେ ୩ ପ୍ରତିଶତ ହ୍ରାସ ଘଟିବାକୁ ଥିବା ଅନୁମାନ କରାଯାଉଛି, ଯାହାକି ୨୦୦୯ର ବିଯୁକ୍ତ ୦.୦୭୩ଠାରୁ ଢେର୍‌ ଖରାପ । ତେବେ ଆଇଏମ୍‌ଏଫ୍ ଭାରତର ଅଭିବୃଦ୍ଧି ହାର ଚଳିତ ଆର୍ଥିକବର୍ଷରେ ନକରାତ୍ମକ ରହିବା ନେଇ ପୂର୍ବାନୁମାନ କରିସାରିଛି ।

ଆଶା ବଢ଼ାଉଛି ବିଦେଶୀ ରାଷ୍ଟ୍ରଙ୍କ କ୍ଷେତ୍ର ଅନ୍ବେଷଣ

ଭୁବନେଶ୍ବର : ବିଶ୍ବ ପାଇଁ କରୋନା ମହାମାରୀ ଦାନ ଦେଇଥିବା ଚୀନ ଏବେ ଏକଘରକିଆ ହେବାକୁ ଯାଉଛି। ତା’ର ଏଭଳି କାର୍ଯ୍ୟକଳାପକୁ ନେଇ ବିଶ୍ବ ସମୁଦାୟ ନିନ୍ଦା କରୁଥିବାବେଳେ ୟୁରୋପୀୟ ରାଷ୍ଟ୍ର ସମୂହ ସହିତ ଆମେରିକା ଓ ଜାପାନ ଭଳି ଉନ୍ନତ ରାଷ୍ଟ୍ର ଏବେ ସମ୍ପର୍କ ଛିନ୍ନ କରିଛନ୍ତି। ଚୀନରେ ହଜାର ହଜାର କୋଟି ଟଙ୍କାର ପୁଞ୍ଜି ନିବେଶ କରିଥିବା ଏହି ତିନି ରାଷ୍ଟ୍ର ଏବେ ସେଠାରୁ ବ୍ୟବସାୟ ମୋହ ତୁଟାଇ ଭାରତ ମୁହାଁ ହୋଇଛନ୍ତି। ସେମାନଙ୍କୁ ‘ରେଡିମେଡ’ ଭିତ୍ତିଭୂମିର ଆବଶ୍ୟକତା ରହିଛି। ତେଣୁ କରୋନା ମାଡ଼ରେ ନିମ୍ନଗାମୀ ଆର୍ଥିକ ସ୍ଥିତିକୁ ନେଇ ଚିନ୍ତାରେ ଥିବା ଭାରତ ପାଇଁ ଏହିସବୁ ବିଦେଶୀ ରାଷ୍ଟ୍ରଙ୍କ ପୁଞ୍ଜିନିବେଶ ପାଇଁ ନୂଆ କ୍ଷେତ୍ର ଅନ୍ବେଷଣ ନୂଆ ଆଶା ସୃଷ୍ଟି କରିଛି।
ଏହି ପରିପ୍ରେକ୍ଷୀରେ ଭାରତର ବିଦେଶୀ ପୁଞ୍ଜି ଉପଯୋଗ ‘ବ୍ଲୁ ପ୍ରିଣ୍ଟ’ରେ ଓଡ଼ିଶା ବଡ଼ ଦାବିଦାର ହୋଇପାରିବା ମନେ କରାଯାଏ। ତେବେ ଓଡ଼ିଶା ଏହି ଅପୂର୍ବ ସୁଯୋଗର କେତେ ଫାଇଦା ଉଠାଇବ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ରାଜଧାନୀରେ ଆଇଟି ଶିଳ୍ପ ଏକ ପ୍ରମୁଖ କ୍ଷେତ୍ର ଭାବେ ରହିଛି। ଏଠାରେ ୧୧ଲକ୍ଷ ବର୍ଗଫୁଟ ଉପରେ ପ୍ରାୟ ୭୦ଟି ଆଇଟି ୟୁନିଟ୍ କାର୍ଯ୍ୟକ୍ଷମ ହେଉଥିବାବେଳେ ଏବେ ବି ବହୁ ଭିତ୍ତିଭୂମି ଖାଲି ରହିଛି ବୋଲି ଶିଳ୍ପ ବିଭାଗ ପ୍ରମୁଖ ସଚିବ ହେମନ୍ତ ଶର୍ମା କହିଛନ୍ତି।
ଶ୍ରୀ ଶର୍ମାଙ୍କ କହିବା କଥା ହେଲା ୟୁରୋପୀୟ ରାଷ୍ଟ୍ର ସମୁଦାୟ ସହିତ ଆମରେିକା ଓ ଜାପାନର ବାଣିଜ୍ୟିକ ପ୍ରସ୍ତାବ ସୁଯୋଗକୁ ହାତେଇବାପାଇଁ ଓଡ଼ିଶା ପ୍ରୟାସ ଆରମ୍ଭ କରିଛି। କରୋନା ପାଇଁ ଚୀନକୁ କେତେ କ୍ଷତି ପହଞ୍ଚିବ ତା’ର ଆକଳନ କରିହେବ ନାହିଁ; ହେଲେ ଆଗାମୀ ଦିନରେ ଏହା ଭାରତ ତଥା ଓଡ଼ିଶା ପାଇଁ ବ୍ୟବସାୟିକ ସୁଯୋଗ ଆଣିଦେବ। ଏହାକୁ ନେଇ ଦୁଇଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ଏକ ମନ୍ତ୍ରିସ୍ତରୀୟ କମିଟି ଗଠନ ହୋଇଛି। ଉକ୍ତ କମିଟି ଆସନ୍ତା ସପ୍ତାହକ ଭିତରେ ତା’ର ଚୂଡାନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ପ୍ରଦାନ କରିବ।
ବିଦେଶୀ କମ୍ପାନୀଗୁଡିକ ରାଜ୍ୟରେ ସିଧାସଳଖ ବିଦେଶୀ ପୁଞ୍ଜି ନିବେଶ(ଏଫଡିଆଇ) କ୍ଷେତ୍ରରେ ଭାରତ ସରକାରଙ୍କ ମଧ୍ୟସ୍ଥତାର ଆବଶ୍ୟକତା ରହିଛି। ଏହାକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ତୁରନ୍ତ ବ୍ୟବହାର ଉପଯୋଗୀ ଭିତ୍ତିଭୂମିର ତାଲିକା ରାଜ୍ୟ ସରକାରଙ୍କୁ ମଗା ଯାଇଥିଲା। ଭାରତ ସରକାରଙ୍କ ପକ୍ଷରୁ ଏନେଇ ଏକ ‘ବ୍ଲୁ-ପ୍ରିଣ୍ଟ’ ପ୍ରସ୍ତୁତ କରାଯାଉଛି। ଯେଉଁଥିରେ ଓଡ଼ିଶା ପ୍ରମୁଖ ଦାବିଦାର ରହିବ। ଚାଇନାରୁ ଓହରିବାକୁ ଥିବା ୟୁରୋପ, ଆମେରିକା ଏବଂ ଜାପାନ ପ୍ରଭୃତିଙ୍କ ଫୋକସରେ ଓଡ଼ିଶା ରହିବ। ଏହାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ଲାଷ୍ଟିକ ପାର୍କ, ଆଲୁମିନିୟମ ପାର୍କ, ବୈଦ୍ୟୁତିକ ପାର୍କ, ଆଇଟି ପ୍ରଭୃତି ଅନ୍ୟାନ୍ୟ କ୍ଷେତ୍ର ପ୍ରସ୍ତୁତି କରାଯାଉଛି।
ସୂଚନା ଅନୁଯାୟୀ ଏବେ ଫର୍ଚ୍ୟୁନ ଟାୱାରରେ ୨ଲକ୍ଷ ୯୬ହଜାର ୨୫୯ ବର୍ଗ ଫୁଟ ଆଇଟି କ୍ଷେତ୍ର ରହିଛି। ଏଥିରେ ଟେକ୍ ମହିନ୍ଦ୍ରା, ଜିଓ ଓ ଟାଟାର କାର୍ଯ୍ୟାଳୟ ରହିଥିବାବେଳେ ଏବେ ବି ବହୁ ଅଞ୍ଚଳ ଖାଲି ରହିଛି। ସେହିପରି ଓକାକ୍ ଇନକ୍ୟୁବେସନ ଟାୱାରରେ ୯୨ହଜାର ବର୍ଗଫୁଟ, ଡିଏଲଏଫ ସାଇବର ସିଟିରେ ୪ଲକ୍ଷ ବର୍ଗଫୁଟ, ଇନଫିନିଆ ଟାୱାରରେ ୧ଲକ୍ଷ ବର୍ଗଫୁଟ ମଧ୍ୟରୁ ଅର୍ଦ୍ଧାଧିକ ଅଞ୍ଚଳ ଖାଲି ରହିଛି। ଏହାବାଦ୍ ଇଡ୍‌କୋ ଟାୱାର, ଏସଟିପିଆଇ ଇନକ୍ୟୁବେସନ ସେଣ୍ଟରରେ ମଧ୍ୟ ବହୁ ଆଇଟି ଫାର୍ମ କାର୍ଯ୍ୟକ୍ଷମ ହେବାକୁ ରହିଥିଲେ ହେଁ ବହୁ ପରିମିତ ଅଞ୍ଚଳ ଖାଲି ରହିଛି। ଏହାବାଦ୍ ଶତାଧିକ ଏକର ଜମି ପ୍ଲାଷ୍ଟିକ, ଆଲୁମିନିୟମ, ବୈଦ୍ୟୁତିକ ପାର୍କ ପାଇଁ ମହଜୁଦ୍ ରହିଥିବା ଜଣାଯାଇଛି।

Comments are closed.