ଆର୍ଥିକ ସଙ୍କଟରେ ଦେଶ: ପ୍ରଥମ ତ୍ରୟମାସିକରେ ୮୮.୫ ବିଲିଅନ ଡ଼ଲାର ବିତ୍ତୀୟ ନିଅଣ୍ଟ

ଟିକସ କମିଛି ୪୬%, ଖର୍ଚ ବଢ଼ିଛି ୧୩%

ନୂଆଦିଲ୍ଲୀ : କରୋନା ଯୋଗୁଁ ଭୟଙ୍କର ଆର୍ଥିକ ସ୍ଥିତିର ସମ୍ମୁଖୀନ ହୋଇଛି ଭାରତ । ଏପ୍ରିଲ-ଜୁନ୍ ପ୍ରଥମ ତ୍ରୟମାସିକରେ ଦେଶର ଆର୍ଥିକ ନିଅଣ୍ଟ ୮୮.୫ ବିଲିଅନ ଡ଼ଲାରରେ ପହଞ୍ଚିଛି । ଶୁକ୍ରବାର ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଇନ୍ଧନ ଉତ୍ପାଦ ଟିକସ ବୃଦ୍ଧି ସତ୍ବେ ଦେଶର ନେଟ୍ ଫେଡେରାଲ୍ ଟ୍ୟାକ୍ସ ଗତବର୍ଷ ତୁଳନାରେ ୪୬% ରୁ ହ୍ରାସ ପାଇ ୧.୩୫ ଟ୍ରିଲିୟନ ଟଙ୍କା (୧୮.୦୫ ବିଲିୟନ ଡ଼ଲାର) ରେ ପହଞ୍ଚିଛି। ଅନ୍ୟପକ୍ଷରେ କରୋନା ନିମନ୍ତେ ଦେଶର ଖର୍ଚ ବୃଦ୍ଧି ପାଇଛି ଓ ଗତବର୍ଷ ତୁଳନାରେ ୧୩% ଅଧିକ ଖର୍ଚ ହୋଇ  ୮.୧୬ ଟ୍ରିଲିୟନ ଟଙ୍କାରେ ପହଞ୍ଚିଛି, ଯାହାକି ବର୍ଷକ ପୂର୍ବରୁ ୭.୨୨ ଟ୍ରିଲିୟନ ଟଙ୍କା ଥିଲା। ଶ୍ରମିକମାନଙ୍କୁ ମାଗଣା ଖାଦ୍ୟଶସ୍ୟ ପ୍ରଦାନ ଓ ଗ୍ରାମାଞ୍ଚଳରେ ମନରେଗା ପରି ଯୋଜନା କରାଯାଇ ନିଯୁକ୍ତି ସୁଯୋଗ ସୃଷ୍ଟି ନିମନ୍ତେ ବ୍ୟୟ ଯୋଗୁଁ ଏହି ଅଧିକ ଅର୍ଥ ଖର୍ଚ ହୋଇଛି ।

ଅର୍ଥନୀତିଜ୍ଞମାନେ ଚଳିତ ଆର୍ଥିକ ବର୍ଷରେ ଜିଡ଼ିପି ୭.୫% ଅତିକ୍ରମ କରିବ ବୋଲି ପୂର୍ବାନୁମାନ କରିଥିଲେ । ମାତ୍ର କରୋନା ସଂକ୍ରମଣ ଦେଶର ଅର୍ଥନୀତି ଉପରେ ଗୁରୁତର ପ୍ରଭାବ ପକାଇଛି ଏବଂ ଜିଡ଼ିପି ୩.୫% ବୃଦ୍ଧି ଘଟିବ ବୋଲି ସରକାରୀ ଭାବେ ଆକଳନ କରାଯାଇଛି । ମାତ୍ର ଚଳିତ ଆର୍ଥିକ ବର୍ଷ​‌ରେ ଅର୍ଥନୀତି ୫.୧% ଓ ଖରାପ ପରିସ୍ଥିତିରେ ୯.୧% ହ୍ରାସ ପାଇବ ବୋଲି ଅର୍ଥନୀତିଜ୍ଞମାନେ ଆକଳନ କରିଛନ୍ତି । ୧୯୭୧ମସିହା ପରେ ଅର୍ଥାତ୍ ଗତ ୫୦ ବର୍ଷ ମଧ୍ୟ​‌ରେ ଦେଶର ଅର୍ଥନୀତି ସବୁଠାରୁ ଦୁର୍ବଳ ମୁହୂର୍ତ୍ତ ଦେଇ ଗତି କରୁଛି ।

 

Comments are closed.