ଭାରତୀୟ ଗଣତନ୍ତ୍ର ମହାନ ଏବଂ ଗୌରବୋଜ୍ଜ୍ୱଳ : ମୋଦୀ

ନୂଆଦିଲ୍ଲୀ: ଆକାଶବାଣୀରେ ରବିବାର ପ୍ରସାରିତ ‘ମନ କି ବାତ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଗଣତନ୍ତ୍ରର ମହତ୍ୱକୁ ପ୍ରତିପାଦନ କରି ସାମାଜିକ ବ୍ୟବସ୍ଥାର ନିର୍ବିଘ୍ନ ପରିଚାଳନା ପାଇଁ ଏକ ସମ୍ବିଧାନର ଆବଶ୍ୟକତା ରହିଛି। ଆଇନ ଓ ନିୟମକାନୁନ ବାହାରେ ମଧ୍ୟ ଭାରତର ସଂସ୍କୃତି ଏବଂ ଏହାର ଐତିହ୍ୟରେ ଗଣତନ୍ତ୍ରର ଛାପ ରହିଛି ବୋଲି ଭାରତ ଗର୍ବର ସହ କହିପାରେ ବୋଲି ସେ କହିଛନ୍ତି। ଜରୁରୀ ଅବସ୍ଥା ଜାରୀ ସମୟରେ ଗଣତନ୍ତ୍ରର ବିଲୋପ ନେଇ ଜନଚେତନାରେ ଏକ ସମ୍ମିଳିତ କ୍ଷୋଭ ସୃଷ୍ଟି ହୋଇଥିଲା। ତେଣୁ ଲୋକେ ଗଣତନ୍ତ୍ରର ସୁରକ୍ଷା ପାଇଁ ଲାଗିପଡ଼ିଥିଲେ। ମୋଦୀ କହିଛନ୍ତି ଯେ ଦେଶର ଗଣତନ୍ତ୍ର ମହାନ ଏବଂ ଗୌରବୋଜ୍ଜ୍ୱଳ।

ନିକଟରେ ଶେଷ ହୋଇଥିବା ଲୋକସଭା ନିର୍ବାଚନ ସଂପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ ୬୧ କୋଟି ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଏହି ସଂଖ୍ୟା ଆମେରିକାର ଜନସଂଖ୍ୟା ଏବଂ ସମଗ୍ର ୟୁରୋପର ଜନସଂଖ୍ୟାଠାରୁ ଅଧିକ। ଏହା ଭାରତୀୟ ଗଣତନ୍ତ୍ରର ବିରାଟ ଆକାର ଓ ଶକ୍ତିକୁ ପ୍ରଦର୍ଶନ କରୁଛି। ନିର୍ବାଚନ ଭଳି ଏକ ବିରାଟ କାର୍ଯ୍ୟରେ ବ୍ୟବହୃତ ହୋଇଥିବା ବିପୁଳ ଲୋକଶକ୍ତି ଓ ସମ୍ବଳ ସଂପର୍କରେ ମୋଦୀ ସୂଚାଇଛନ୍ତି।

Comments are closed.