ପ୍ରଜ୍ଞାନ ଆଇପିଏଲ୍‌ ପରିଚାଳନା ପରିଷଦର ସଦସ୍ୟ

ମୁମ୍ବଇ : ଓଡ଼ିଆ କ୍ରିକେଟର ତଥା ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ବାମହାତି ସ୍ପିନର ପ୍ରଜ୍ଞାନ ଓଝା ଆଇପିଏଲ୍‌ ପରିଚାଳନା ପରିଷଦ (ଗଭର୍ଣ୍ଣିଂ କାଉନ୍‌ସିଲ)ର ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି। ପ୍ରଜ୍ଞାନ ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍‌ (ଆଇସିଏ)ର ପ୍ରତିନିଧି ଭାବେ ଆଇପିଏଲ୍‌ ପରିଚାଳନା ପରିଷଦରେ ସାମିଲ ହୋଇଛନ୍ତି। ଗୁରୁବାର ବିସିସିଆଇର ୮୯ତମ ବାର୍ଷିକ ସାଧାରଣ ବୈଠକ (ଏଜିଏମ୍‌) ଅନୁଷ୍ଠିତ ହେବାକୁ ଥିବା ବେଳେ ଏହା ପୂର୍ବରୁ ଆଇପିଏଲ୍‌ ପରିଚାଳନା ପରିଷଦରେ ତା’ର ପ୍ରତିନିଧି ଭାବେ ଆଇସିଏ ୩୪ ବର୍ଷ ବୟସ୍କ ପ୍ରଜ୍ଞାନଙ୍କ ନାମ ଘୋଷଣା କରିଛି।

ଇଣ୍ଡିଆନ୍ କ୍ରିକେଟର୍ସ ଆସୋସିଏସନ୍‌ (ଆଇସିଏ) ବୁଧବାର ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ଜଣାଇଛି, ଡିସେମ୍ବର ୧୯ରେ ଆଇସିଏର ଏଜିଏମ୍‌ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ଦେଶକ ବୋର୍ଡଙ୍କୁ ସଦସ୍ୟମାନେ ଆଇପିଏଲ୍‌ ପରିଚାଳନା ପରିଷଦରେ ଆଇସିଏରେ ସଦସ୍ୟ ବାଛିବାକୁ କ୍ଷମତା ପ୍ରଦାନ କରିଥିଲେ। ଏଥିପାଇଁ ଏକାଧିକ ପୂର୍ବତନ କ୍ରିକେଟରଙ୍କ ନାମର ବିଚାର କରା ଯାଇଥିଲା। କୌଣସି ପ୍ରାକ୍ତନ କ୍ରିକେଟରଙ୍କର ସ୍ବାର୍ଥଜଡ଼ିତ ସମସ୍ୟା ରହିଛି କି ନାହିଁ; ତାହା ଉପରେ ଅଧିକ ଗୁରୁତ୍ବ ଦିଆ ଯାଇଥିଲା। ଏହାପରେ ପ୍ରଜ୍ଞାନ ଓଝା ଆଇପିଏଲ୍‌ ପରିଚାଳନା ପରିଷଦରେ ଆଇସିଏର ପ୍ରତିନିଧି ହେବାକୁ ସବୁଠାରୁ ଯୋଗ୍ୟ ବ୍ୟକ୍ତି ଭାବେ ମନୋନୀତ ହୋଇଥିଲେ। ୧ ବର୍ଷ ଲାଗି ପ୍ରଜ୍ଞାନ ଆଇପିଏଲ୍‌ ପରିଚାଳନା ପରିଷଦର ସଦସ୍ୟ ରହିବେ ବୋଲି ଆଇସିଏର ସଭାପତି ଅଶୋକ ମାଲହୋତ୍ରା କହିଛନ୍ତି।

ପୂର୍ବରୁ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ୱିକେଟ ରକ୍ଷକ ବ୍ୟାଟ୍‌ସମ୍ୟାନ୍ ସୁରିନ୍ଦର ଖାନ୍ନା ଆଇପିଏଲ୍‌ ପରିଚାଳନା ପରିଷଦରେ ଆଇସିଏର ପ୍ରତିନିଧି ଥିଲେ। ପ୍ରଜ୍ଞାନ ଓଝାଙ୍କୁ ଛାଡ଼ି ବ୍ରିଜେଶ ପଟେଲ ଓ ଖୈରୁଲ ଜମାଲ ମଜୁମ୍‌ଦାର ଆଇପିଏଲ୍‌ ପରିଚାଳନା ପରିଷଦରେ ଅଛନ୍ତି। ବ୍ରିଜେଶ ପଟେଲ ପରିଷଦର ଅଧ୍ୟକ୍ଷ ଅଛନ୍ତି ଏବଂ ଆଗକୁ ସେ ଏହି ପଦ ବଜାୟ ରଖିପାରନ୍ତି।

ସୂଚନାଯୋଗ୍ୟ; ଭୁବନେଶ୍ବରରେ ଜନ୍ମଗ୍ରହଣ କରିଥିବା ପ୍ରଜ୍ଞାନ ଓଝା ୨ୟ ଓଡ଼ିଆ ଭାବେ ଆଇପିଏଲ୍‌ ପରିଚାଳନା ପରିଷଦର ସଦସ୍ୟ ହୋଇଛନ୍ତି। ପୂର୍ବରୁ ଓଡ଼ିଶା ରଣଜୀ ଟ୍ରଫି ଦଳର ପୂର୍ବତନ ଅଧିନାୟକ ରଞ୍ଜୀବ ବିଶ୍ବାଳ ଆଇପିଏଲ୍‌ ପରିଚାଳନା ପରିଷଦର ଅଧ୍ୟକ୍ଷ ଦାୟିତ୍ବ ସୁଚାରୁରୂପେ ନିର୍ବାହ କରି ସାରିଛନ୍ତି। ୨୦୧୩ରେ ସଚିନ ତେନ୍ଦୁଲକରଙ୍କ ବିଦାୟୀ ଟେଷ୍ଟମ୍ୟାଚ୍‌ ପ୍ରଜ୍ଞାନଙ୍କର ଅନ୍ତିମ ଟେଷ୍ଟମ୍ୟାଚ୍‌ ଥିଲା। ପ୍ରଜ୍ଞାନ ପ୍ରଥମ ଦିନିକିଆ ମ୍ୟାଚ୍‌ ୨୦୦୮ ଜୁନ୍‌ ୨୮ରେ ବାଂଲାଦେଶ ବିପକ୍ଷରେ ଏବଂ ଶେଷ ଦିନିକିଆ ୨୦୨୧ ଜୁଲାଇ ୨୪ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ। ସେ ପ୍ରଥମ ଟେଷ୍ଟମ୍ୟାଚ୍‌ ୨୦୦୯ ନଭେମ୍ବର ୨୪ରେ ଶ୍ରୀଲଙ୍କା ବିପକ୍ଷରେ ଖେଳିଥିଲେ। ପ୍ରଜ୍ଞାନ ୨୦୦୯ ଜୁନ୍ ୬ରେ ବାଂଲାଦେଶ ବିପକ୍ଷରେ ଟି୨୦ ଜୀବନ ଆରମ୍ଭ କରିଥିଲେ।

ପ୍ରଜ୍ଞାନ ୨୪ଟି ଟେଷ୍ଟ ଖେଳି ୧୧୩ଟି, ୧୮ଟି ଦିନିକିଆ ଖେଳି ୨୧ଟି, ୬ଟି ଟ୍ବେଣ୍ଟି୨୦ ଖେଳି ୧୦ଟି ୱିକେଟ୍‌ ନେଇଥିଲେ। ଘରୋଇ କ୍ରିକେଟ୍‌ରେ ସେ ୨୦୦୪-୦୫ରୁ ୨୦୧୫-୧୬ ପର୍ଯ୍ୟନ୍ତ ହାଇଦରାବାଦ୍ ପକ୍ଷରୁ, ୨ଟି ସିଜିନ୍‌ ବଙ୍ଗଳା ଓ ଗୋଟିଏ ସିଜିନ୍‌ ବିହାର ପାଇଁ ଖେଳିଥିଲେ। ପ୍ରଜ୍ଞାନ ୧୦୮ଟି ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳି ୪୨୪ଟି ୱିକେଟ ନେଇଛନ୍ତି। ଆଇପିଏଲ୍‌ରେ ପ୍ରଜ୍ଞାନ ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ଡେକାନ୍‌ ଚାର୍ଜର୍ସ ଓ ୨୦୧୨ରୁ ୨୦୧୫ ପର୍ଯ୍ୟନ୍ତ ମୁମ୍ବଇ ଇଣ୍ଡିଆନ୍‌ସ ପାଇଁ ଖେଳିଥିଲେ। ସେ ୯୨ଟି ଆଇପିଏଲ୍‌ ମ୍ୟାଚ୍‌ ଖେଳି ୮୯ଟି ୱିକେଟ୍ ହାସଲ କରିଥିଲେ। ଚଳିତବର୍ଷ ଫେବୃଆରୀରେ ପ୍ରଜ୍ଞାନ ସମସ୍ତ ପ୍ରକାର କ୍ରିକେଟ୍‌ରୁ ଅବସର ନେଇଥିଲେ।

Comments are closed.