ଦୃଢ଼ତା, ସାହସ ଭାରତକୁ ୧ନଂ ଦଳ କରିପାରିଛି: ଶାସ୍ତ୍ରୀ

ମୁମ୍ବଇ: ଭାରତୀୟ କ୍ରିକେଟ୍‍ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଦଳର ଖେଳାଳିଙ୍କ ଦୃଢ଼ ନିଶ୍ଚିତତା ଓ ଏକନିଷ୍ଠ ଭାବନାକୁ ବେଶ୍‍ ପ୍ରଶଂସା କରିଛନ୍ତି। ଏହି କାରଣରୁ ଆଇସିସି ଟେଷ୍ଟ ମାନ୍ୟତାରେ ଭାରତ ୧ନଂ ସ୍ଥାନ ହାସଲ କରିପାରିଛି ବୋଲି ଶାସ୍ତ୍ରୀ କହିଛନ୍ତି। ଚଳିତବର୍ଷ ଭାରତୀୟ ଦଳ ଅଷ୍ଟ୍ରେଲିଆରେ ପ୍ରଥମ ଟେଷ୍ଟମ୍ୟାଚ୍‍ ହାରିବା ପରେ ଲଢ଼ୁଆ ପ୍ରଦର୍ଶନ କରି ସିରିଜ୍‍କୁ ୨-୧ରେ ଜିତି ଅଷ୍ଟ୍ରେଲିଆ ମାଟିରେ କ୍ରମାଗତ ୨ଟି ଟେଷ୍ଟ ସିରିଜ୍‍ ଜିତି ପାରିଥିଲା। ପରେ ଘରୋଇ ମାଟିରେ ଇଂଲଣ୍ଡଠାରୁ ପ୍ରଥମ ଟେଷ୍ଟରେ ବଡ଼ ବ୍ୟବଧାନରେ ପରାସ୍ତହେବା ପରେ ଭାରତ ୩-୧ରେ ସିରିଜ୍‍ ଜିତି ପାରିଥିଲା। ଏହି ୨ଟି ସିରିଜ୍‍ ବିଜୟ ଯୋଗୁଁ ଭାରତ ଆଇସିସି ଟେଷ୍ଟ ମାନ୍ୟତାରେ ଶୀର୍ଷସ୍ଥାନ ହାସଲ କରିଛି।


ଟ୍ୱିଟର ପୃଷ୍ଠାରେ ରବି ଶାସ୍ତ୍ରୀ ଲେଖିଛନ୍ତି, ଦେଶରେ ହେଉ ବା ବିଦେଶରେ; ଟେଷ୍ଟ କ୍ରିକେଟ୍‍ରେ ଇସ୍ପାତ ପରି ସଙ୍କଳ୍ପ ଓ ଅତୁଟ ଲକ୍ଷ୍ୟ ଯୋଗୁଁ ଭାରତୀୟ ଦଳ ୧ନଂ ହୋଇପାରିଛି। ଚମତ୍କାର ଓ ଖେଳୁଆଡ଼ ମନୋଭାବରେ ଖେଳି ସେମାନେ ବିଜୟୀ ହୋଇଛନ୍ତି। ମଝିରେ ନିୟମ ବଦଳା ଯାଇଥିବା ବେଳେ ଭାରତୀୟ ଦଳକୁ କିଛି ଝଟ୍‍କା ଲାଗିଥିଲା। ଫଳରେ ସେମାନେ ସମସ୍ତ ବାଧାବିଘ୍ନକୁ ଏଡ଼ାଇ ବିଜୟଟୀକା ପିନ୍ଧିଥିଲେ। କଠିନ ସମୟରେ ମୋ ଖେଳାଳିମାନେ କଠିନ କ୍ରିକେଟ ଖେଳିଥିଲେ। ତେଣୁ ଏହି ଦଳର ନାମ ମୁଁ ରଖିଛି ‘ବିନ୍‍ଦାସ୍‍ ବଞ୍ଚ୍‍’। ସେମାନଙ୍କ ପ୍ରଦର୍ଶନ ଲାଗି ମୁଁ ବହୁତ ଗର୍ବିତ। ଭାରତ ସର୍ବାଧିକ ୧୨୧ ପଏଣ୍ଟ ସହ ଶୀର୍ଷ ସ୍ଥାନ ବଜାୟ ରଖିଛି। ଭାରତ ପଛକୁ ୧୨୦ ପଏଣ୍ଟ ସହ ନ୍ୟୁଜିଲାଣ୍ଡ ୨ୟ ସ୍ଥାନରେ ରହିଛି। ପ୍ରଥମ ୨ଟି ସ୍ଥାନରେ ଥିବା ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଜୁନ୍‍ ୧୮ରୁ ସାଉଥାମ୍ପ୍‍ଟନରେ ବିଶ୍ୱ ଟେଷ୍ଟ ଚମ୍ପିଆନ୍‍ସିପ୍‍ର ଫାଇନାଲ ମ୍ୟାଚ୍‍ ଖେଳାଯିବ। ଏହି ଫାଇନାଲ ପରେ ଘରୋଇ ଇଂଲଣ୍ଡ ବିପକ୍ଷରେ ଭାରତ ୫ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ ଖେଳିବ। ପ୍ରଥମଥର ପାଇଁ ଆୟୋଜନ ହେଉଥିବା ବିଶ୍ୱ ଟେଷ୍ଟ ଚମ୍ପିଆନ୍‍ସିପ୍‍ ଟ୍ରଫି ଜିତିବା ଯେକୌଣସି ଦଳ ପାଇଁ ସମ୍ମାନର ବିଷୟ। ଏହାକୁ ଜିତିବାକୁ ଭାରତୀୟ ଦଳକୁ ଚମତ୍କାର ପ୍ରଦର୍ଶନ କରିବାକୁ ପଡ଼ିବ। ପୁଣି ୨୦୦୭ରେ ରାହୁଲ ଦ୍ରାବିଡ଼ଙ୍କ ନେତୃତ୍ୱରେ ଭାରତ ଶେଷଥର ପାଇଁ ଇଂଲଣ୍ଡମାଟିରେ ଟେଷ୍ଟ ସିରିଜ୍‍ ଜିତିଥିଲା। ଏହାର ୧୪ ବର୍ଷ ପରେ ବିରାଟ କୋହଲିଙ୍କ ଦଳ ଏହି କୃତିତ୍ୱକୁ ଦୋହରାଇବାକୁ ନିଶ୍ଚୟ ଚାହିଁବ। ଭାରତୀୟ ଦଳ ଜୁନ୍‍ ୨ରେ ଦିଲ୍ଲୀରୁ ଇଂଲଣ୍ଡ ଯାତ୍ରାକରିବ।

Comments are closed.