ଦେବଦୂତ ସାଜିଲେ ଯବାନ: ଅଣ୍ଟାଏ ବରଫରେ ୫ କିମି ବୋହି ଗର୍ଭବତୀଙ୍କୁ ଡାକ୍ତରଖାନା ପହଞ୍ଚାଇଲେ

ନୂଆଦିଲ୍ଲୀ:  କାଶ୍ମୀର ଉପତ୍ୟକାରେ ପ୍ରବଳ ତୁଷାରପାତ ଯୋଗୁଁ ରାସ୍ତାଘାଟ ବନ୍ଦ ହୋଇ ଯାଇଥିବାବେଳେ  ସେନାର ଯବାନମାନେ ଜଣେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ବୋହି ଡାକ୍ତରଖାନା ନେବା ଭଳି ମହାନ କାମ କରିଛନ୍ତି। ସେନାର ଚିନାର କ୍ରପସ୍‌ ଯବାନମାନଙ୍କ ଏହି ମାନବିକତା ଓ ସାହସିକତା କାମ ବୁଧବାର ସେନା ଦିବସରେ ଚର୍ଚ୍ଚାର ବିଷୟ ହୋଇଛି। ଯବାନମାନଙ୍କ ଏପରି କାର୍ୟ୍ୟ ସମ୍ପର୍କିତ ଭିଡିଓକୁ ଚିନାର କ୍ରପସ୍‌ର ଅଫିସିଆଲ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରାଯାଇଛି। ଭିଡିଓକୁ ଦେଖିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହାକୁ ପ୍ରଶଂସା କରିଛନ୍ତି। ଭାରତ ସେନାର ସାହସିକତା କାର୍ୟ୍ୟ ପାଇଁ ପ୍ରଶଂସିତ ହୋଇଥାଏ; ମାତ୍ର ଏବେ ମାନବିକତା କାର୍ୟ୍ୟ ପାଇଁ ପ୍ରଶଂସିତ ହୋଇଛି। ଭିଡିଓରେ ଦେଖାଯାଇଛି ଯେ ୧୦୦ ସେନା କର୍ମଚାରୀ ଓ ୩୦ଜଣ ସାଧାରଣ ନାଗରିକ ପ୍ରବଳ ତୁଷାର ମଧ୍ୟରେ ଜଣେ ଗର୍ଭବତୀଙ୍କୁ ଷ୍ଟ୍ରେଚରରେ ଧରି ନେଉଛନ୍ତି। ୪ଘଣ୍ଟା ପରେ ମହିଳାଙ୍କୁ ଡାକ୍ତରଖାନାରେ ପହଞ୍ଚା ଯାଇଥିଲା। ସେଠାରେ ସେ ପ୍ରସବ କରିଥିଲେ। ଉଭୟ ଶିଶୁ ଓ ମା’ ସୁସ୍ଥ ଥିବା କୁହାଯାଇଛି।

Comments are closed.