ସେନାରେ ବଢ଼ୁଛି ଆତ୍ମହତ୍ୟା ; କାମ ଦେଉନି ‘ମିଳାପ’ ଓ ‘ସହଯୋଗ’ କ‌ାର୍ଯ୍ୟକ୍ରମ

0

ନୂଆଦିଲ୍ଲୀ : ଜାନୁଆରୀ ୧୫ରେ ଦେଶ ସେନା ଦିବସ ପାଳନ କରୁଥିବାବେଳେ ପ୍ରତିରକ୍ଷା ବିଭାଗକୁ ସର୍ବାଧିକ ଚିନ୍ତାରେ ପକାଉଥିବା ଗୋଟିଏ ପ୍ରସଙ୍ଗ ଉପରେ ଏବେ ଗୁରୁତର ସହ ଚିନ୍ତା କରାଯାଉଛି। ଏହି ପ୍ରସଙ୍ଗ ହେଉଛି କ୍ରମବର୍ଦ୍ଧିଷ୍ଣୁ ଆତ୍ମହତ୍ୟା। ସେନାରେ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାର ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର କଲ୍ୟାଣ ଯୋଜନା ପ୍ରବର୍ତ୍ତନ କରାଯିବା ପାଇଁ ଯୋଜନା ହୋଇଛି। ସ୍ଥଳ ବାହିନୀରେ ସର୍ବାଧିକ ସଂଖ୍ୟାରେ ଆତ୍ମହତ୍ୟା ଘଟଣା ଘଟୁଛି। ଏହା ପଛକୁ ବାୟୁସେନା ଓ ନୌବାହିନୀ ସ୍ଥାନ ରହିଛି।
ସୂଚନାନୁଯାୟୀ, କେବଳ ୨୦୧୬-୧୭ ବର୍ଷରେ ୧୦୦ରୁ ଅଧିକ ଜୁନିଅର କମିଶନ୍‌ଡ ଅଫିସର (ଜେସିଓ) ପାହ୍ୟାର ଅଧିକାରୀ ଆତ୍ମହତ୍ୟା କରିଛନ୍ତି। ୨୦୧୮ରେ ୬୭ଜଣ ବରିଷ୍ଠ ଅଧିକାରୀ ନିଜେ ଜୀବନ ହାରିଛନ୍ତି। ୨୦୧୪ରୁ ୨୦୧୭ ମଧ୍ୟରେ ୩୨୬ଜଣ ବରିଷ୍ଠ ଅଧିକାରୀ, ୧୬ ନୌବାହିନୀ ସେଲର୍‌ ଓ ୬୭ ଫ୍ଲାଇଂ ଅଫିସର ଆତ୍ମହତ୍ୟା କରିଛନ୍ତି।
ତଦନ୍ତରୁ ଜଣାପଡ଼ିଛି ଯେ ପାରିବାରିକ ସମସ୍ୟା, ବୈବାହିକ ଜୀବନରେ ସଂକଟ, କାର୍ଯ୍ୟକ୍ଷେତ୍ରରେ ସମସ୍ୟା, କାର୍ଯ୍ୟକ୍ଷେତ୍ରର ଚାପ, ଆତଙ୍କବାଦୀ ଆକ୍ରମଣ ଓ ଆଇନଶୃଙ୍ଖଳା ରକ୍ଷା ସମୟରେ ବିପଦ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ତାଳମେଳ ରଖି ନ ପାରିବା ହିଁ ଏହି ଆତ୍ମହତ୍ୟା ପ୍ରବଣତା ବୃଦ୍ଧିର କାରଣ। ସେନାଧ୍ୟକ୍ଷ ଜେନେରାଲ ବିପିନ ରାୱତଙ୍କ କହିବାନୁସାରେ ଏହି ପ୍ରସଙ୍ଗ ବ୍ୟକ୍ତି କାରଣ ସହିତ ଜଡ଼ିତ, ସେନା ସହିତ ନୁହେଁ। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଡଃ ସୁଭାଷ ଭାମ୍ରାଙ୍କ କହିବାନୁଯାୟୀ, ଆତ୍ମହତ୍ୟା ରୋକିବାକୁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି; ବିଶେଷ କରି କାର୍ଯ୍ୟକ୍ଷେତ୍ରରେ ଉପଯୁକ୍ତ ପରିବେଶ ସୃଷ୍ଟି କରିବା ପାଇଁ ବ୍ୟବସ୍ଥା କରାଯାଉଛି। ଅଧିକାରୀ ଓ ଯବାନଙ୍କ ମାନସିକ ତଥା ଶାରୀରିକ ସ୍ବାସ୍ଥ୍ୟରକ୍ଷା ପ୍ରତି ଅଧିକ ଧ୍ୟାନ ଦିଆଯାଉଛି। ସେମାନଙ୍କ ପାରିବାରିକ ଜୀବନ, ଛୁଟି, ଖାଦ୍ୟ, ପୋଷାକ ଇତ୍ୟାଦି ପ୍ରତି ଗୁରୁତ୍ବ ଦିଆଯାଉଛି। ସେମାନଙ୍କ କଲ୍ୟାଣ ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ନିୟମିତ ଭାବେ କଲ୍ୟାଣକାରୀ ଯୋଜନା ସ୍ବରୂପ ବୈଠକ ଆହ୍ବାନ କରାଯାଉଛି। ଯୋଗ, ଧ୍ୟାନ ଓ ପରାମର୍ଶ ଶିବିର ମାଧ୍ୟମରେ ଚାପ ହ୍ରାସ ଉଦ୍ୟମ କରାଯାଉଛି। ଏଥିପାଇଁ ‘ମିଳାପ’ ଓ ‘ସହଯୋଗ’ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ‘ମାନସିକ ସହାୟତା ହେଲ୍ପ ଲାଇନ୍‌ ମଧ୍ୟ ଜାରି କରାଯାଇଛି। ବିଭିନ୍ନ ସ୍ଥାନରେ ସ୍ବତନ୍ତ୍ର ମାନସିକ ଚିକିତ୍ସା କେନ୍ଦ୍ରସ୍ଥାପନ କରାଯାଇ ନିୟମିତ ସେମାନଙ୍କ ପରୀକ୍ଷା ଓ ଚିକିତ୍ସା କରାଯାଉଛି ବୋଲି ମନ୍ତ୍ରୀ କହିଛନ୍ତି। ଏହାସତ୍ତ୍ବେ ୨୦୧୮ରେ ଅବଧି ପୂର୍ବରୁ ସ୍ଥଳବାହିନୀର ୩୮୪୪ ଜେସିଓ, ୧୩୬ ଏୟାରମ୍ୟାନ୍‌ ଓ ୧୪୪ ବାୟୁସେନା ଅଧିକାରୀ ଅବସର ପାଇଁ ଆବେଦନ କରିଥିବା ଜଣାପଡ଼ିଛି ବୋଲି ମନ୍ତ୍ରୀ ସ୍ବୀକାର କରିଛନ୍ତି।
ସୂଚନାନୁଯାୟୀ, ଗତ ୪ବର୍ଷ ମଧ୍ୟରେ ବିଭିନ୍ନ ସେନା ଶିବିର ଉପରେ ୯ ଥର ଆତଙ୍କବାଦୀ ଆକ୍ରମଣ ହୋଇଛି। ସର୍ବାଧିକ ଜାମ୍ମୁ-କାଶ୍ମୀରରେ ଘଟିଛି। ଏଥିରେ ମୋଟ ୩୫ଜଣ ଯବାନ ପ୍ରାଣ ହରାଇଛନ୍ତି। କେବଳ ୨୦୧୬ରେ ଉରିରେ ଘଟିଥିବା ଆକ୍ରମଣରେ ୨୬ ଯବାନ ପ୍ରାଣହରାଇଥିଲାବେଳେ ୨୫ ଆହତ ହୋଇଥିଲେ।
ଏହା ବାଦ ବିଭିନ୍ନ ସମୟରେ ଆତଙ୍କବାଦୀଙ୍କ ସହିତ ମୁକାବିଲାରେ ବହୁ ସଖ୍ୟାରେ ଯବାନ ପ୍ରାଣ ହରାଉଛନ୍ତି; ଯାହା ସେମାନଙ୍କୁ ସୈନ୍ୟବାହିନୀରେ କାର୍ଯ୍ୟ କରିବାକୁ ନିରୁତ୍ସାହିତ କରୁଥିବା ଜଣାପଡ଼ିଛି। ଏହାର ମୁକାବିଲା ପାଇଁ ସରକାରଙ୍କ କଲ୍ୟାଣକାରୀ ଯୋଜନା ଯଥେଷ୍ଟ ହେଉ ନ ଥିବା କୁହାଯାଉଛି।

Leave A Reply