ପ୍ରଶ୍ନପତ୍ର ଲିକ୍‌ ହେବା ପରେ ନିଯୁକ୍ତି ପରୀକ୍ଷା ରଦ୍ଦ କଲା ସେନା

ନୂଆଦିଲ୍ଲୀ: ସେନାରେ ଜେନେରାଲ ଡ୍ୟୁଟି ପଦବୀରେ ନିଯୁକ୍ତି ଲାଗି ହେବାକୁ ଥିବା ପରୀକ୍ଷାକୁ ସେନା ପକ୍ଷରୁ ରଦ୍ଦ କରିଦିଆଯାଇଛି। ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ ହେବା ଫଳରେ ସେନା ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା ରବିବାର ସୂଚନା ଦିଆଯାଇଛି। ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କୁ ପୁଣେରୁ ଗିରଫ କରାଯାଇଛି। ସେନାରେ ଉପଯୁକ୍ତ ପ୍ରାର୍ଥୀଙ୍କୁ ଚୟନ କରିବା ଲାଗି ନିଯୁକ୍ତି ପ୍ରକ୍ରିୟାରେ କୌଣସି ପ୍ରକାର ଭ୍ରଷ୍ଟାଚାର ଆଚରଣକୁ ବରଦାସ୍ତ କରାଯିବ ନାହିଁ ବୋଲି ସେନାର ଜଣେ ଅଧିକାରୀ କହିଛନ୍ତି।

ଜଣେ ଅଧିକାରୀଙ୍କ ସୂଚନା ଅନୁସାରେ, ପୁଣେ ପୁଲିସ ସହିତ କରାଯାଇଥିବା ଏକ ମିଳିତ ଅପରେଶନ ସମୟରେ ଶନିବାର ରାତିରେ ସୈନିକ(ଜେନେରାଲ ଡ୍ୟୁଟି) ନିଯୁକ୍ତି ପ୍ରକ୍ରିୟା ପାଇଁ ଆୟୋଜିତ ହେବାକୁ ଥିବା ସାଧାରଣ ପ୍ରବେଶିକା ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହି ମାମଲାରେ ତଦନ୍ତ ଜାରି ରହିଛି ଏବଂ ନିଯୁକ୍ତି ପ୍ରକ୍ରିୟାରେ ଆଶାୟୀଙ୍କ ପାରଦର୍ଶିତାକୁ ଦୃଷ୍ଟିରେ ରଖି ପରୀକ୍ଷା ରଦ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।

Comments are closed.