ଏକାଠି ଲଢ଼ିବେ ଭାରତର ସ୍ଥଳ, ବାୟୁସେନା

ଚୀନକୁ ଘେରିବେ ଭାରତ,ଜାପାନ,ଅଷ୍ଟ୍ରେଲିଆ, ଆମେରିକା

ଟୋକିଓ : ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଚୀନର ଆଧିପତ୍ୟ ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଏହାକୁ ମୁକାବିଲା କରିବାକୁ ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ମିଳିତ ରଣନୀତି ପ୍ରସ୍ତୁତ କରିବାକୁ ଯାଉଛନ୍ତି। ଚଳିତମାସରେ ଏହି ଚାରି ଦେଶର ବୈଦେଶିକ ମନ୍ତ୍ରୀସ୍ତରରେ ବୈଠକ ହେବାକୁ ଯାଉଥିବାବେଳେ ଏଠାରେ ଚୀନ ବିରୋଧୀ ରଣନୀତି ପ୍ରସ୍ତୁତ ହେବ। ଭାରତ-ପ୍ରଶାନ୍ତ ମହାସାଗର ସମେତ ୟୁରେସିଆନ ଅଞ୍ଚଳରେ ନିଜର ସାମରିକ ଓ ଅର୍ଥନୈତିକ କ୍ଷମତା ବିସ୍ତାର ଲାଗି ଚୀନ ଯୋଜନା କରୁଥିବାବେଳେ ଏହି ଚାରି ରାଷ୍ଟ୍ର ଏହାକୁ ମୁକାବିଲା ଲାଗି ନିଜକୁ ପ୍ରସ୍ତୁତ କରୁଛନ୍ତି।
ଅନ୍ୟପଟେ ପୂର୍ବ ଲଦାଖରେ ଚୀନ ସହିତ ଦେଖାଯାଇଥିବା ଉତ୍ତେଜନାକୁ ନେଇ ଭାରତ ଏହାର ନିଜସ୍ବ ରଣନୀତି ପ୍ରସ୍ତୁତ କରିଛି। ରଣନୀତି ଅନୁଯାୟୀ ଚୀନ ମୁକାବିଲା କରିବା ଲାଗି ଭାରତର ସ୍ଥଳସେନା ଓ ବାୟୁସେନା ମିଳିତ ଭାବେ ଯୁଦ୍ଧ କରିବେ। ସେନାର ତିନି ବାହିନୀ ମଧ୍ୟରେ ସମନ୍ବୟ ରକ୍ଷା ଲାଗି ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍‌) ପଦ ସୃଷ୍ଟି ହେବାର ୧୦ମାସ ପରେ ୟୁନିଫାଏଡ କମାଣ୍ଡ ଗଠନ ନେଇ ପ୍ରୟାସ ଆରମ୍ଭ ହୋଇଛି। ୟୁନିଫାଏଡ କମାଣ୍ଡ ଗଠନ ପ୍ରୟାସ କ୍ରମରେ ଦୁଇସେନା ଯୁଦ୍ଧସାମଗ୍ରୀ ମହଜୁଦ କରିବାରେ ଲାଗିଛନ୍ତି। ଲେଡସ୍ଥିତ ଏୟାରଫିଲ୍ଡରେ ଏବେ ସୈନିକଙ୍କ ପାଇଁ ରାସନ ଓ ଅନ୍ୟାନ୍ୟ ସାମଗ୍ରୀ ମହଜୁଦ କରାଯାଉଛି। ବାୟୁସେନାର ସି-୧୭ ଓ ସି-୧୩୦ଜେ ସୁପର ହର୍କୁଲେସ୍‌ ଏହି ରେସନ ସାମଗ୍ରୀ ପରିବହନ କରୁଛି। ଏହା ସହିତ ଏଲଏସି, ଚିକୁନ ଓ ଏମଆଇ-୧୭ଭି୫ ହେଲିକପ୍ଟର ସେନା ପାଇଁ ଆବଶ୍ୟକ ଶିବିର ନିର୍ମାଣ ଉପକରଣ ସୀମାରେ ପହଞ୍ଚାଇଛି। ଶୀତ ଋତୁରେ ସୈନିକଙ୍କ ରହିବା ଲାଗି ସୀମାରେ ସ୍ବତନ୍ତ୍ର ଶିବିର ନିର୍ମାଣ କରାଯାଉଛି। ବାୟୁସେନାର ବରିଷ୍ଠ କମାଣ୍ଡର କହିଛନ୍ତି ଯେ ସେନା ପାଇଁ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ ସୁନିଶ୍ଚିତ କରିବାକୁ ଗୁରୁତ୍ବ ଦିଆଯାଉଛି। ସେହିପରି ସ୍ଥଳସେନା ମୁଖ୍ୟ ଜେନେରାଲ ଏମଏମ୍ ନରବଣେ ଓ ବାୟୁସେନା ମୁଖ୍ୟ ଏୟାର ଚିଫ ମାର୍ଶାଲ ଆରକେଏସ୍ ଭଦୌରିଆ ନ୍ୟାସନାଲ ଡିଫେନ୍ସ ଏକାଡେମୀରେ ପାଠ ପଢିବା ଠାରୁ ସାଙ୍ଗ। ଏହି ଦୁଇ ସେନାମୁଖ୍ୟ ଚୀନର ଆକ୍ରମଣାତ୍ମକ ଆଭିମୁଖ୍ୟର ଜବାବ ଦେବାକୁ ରଣନୀତି ପ୍ରସ୍ତୁତ କରିଛନ୍ତି। ଆଗୁଆ ଘାଟିରେ ମୁତୟନ ସେନା ଅଧିକାରୀଙ୍କ କହିବା ଅନୁଯାୟୀ ଏହି ଦୁଇ ସେନାମୁଖ୍ୟ ଅନେକ ସମୟରେ ସାକ୍ଷାତ ଆଲୋଚନା କରିଛନ୍ତି।
ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦର ସମାଧାନ ନିମନ୍ତେ ଅକ୍ଟୋବର ୧୨ ତାରିଖ ଦିନ ଦୁଇ ଦେଶ କର୍ପସ୍‌ କମାଣ୍ଡରସ୍ତରୀୟ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ଏ ପର୍ଯ୍ୟନ୍ତ ଦୁଇ ଦେଶ ଛଅ ପର୍ଯ୍ୟାୟ କର୍ପସ୍ କମାଣ୍ଡର୍‌ସ୍ତରୀୟ ଆଲୋଚନା କରି ସାରିଲେଣି। ସେପ୍ଟେମ୍ବର ୨୧ ତାରିଖରେ ଶେଷ ପର୍ଯ୍ୟାୟ ଆଲୋଚନାରେ ଭାରତୀୟ ପ୍ରତିନିଧିମାନେ ସମସ୍ତ ଫ୍ଲାସ୍‌ ପଏଣ୍ଟ୍‌ରୁ ବ୍ୟାପକସଂଖ୍ୟକ ସୈନ୍ୟ ଅପସାରଣ ଏବଂ ପୂର୍ବ ସ୍ଥିତାବସ୍ଥା ବଜାୟ ରଖିବାକୁ ଦାବି କରିବାରୁ ଏହି ଆଲୋଚନା ଅମୀମାଂସିତ ରହିଥିଲା।
ପୂର୍ବ ଲଦାଖ ବାସ୍ତବ ନିୟନ୍ତ୍ରଣ ରେଖାରେ ୬ମାସ ହେଲା ଚୀନ ସେନା ସହିତ ଭାରତ ମୁହାଁ ମୁହିଁ ଅବସ୍ଥାରେ ରହିଛି। ଚୀନ ସେନାର ପ୍ରତିଟି ଗତିବିଧି ଉପରେ ଭାରତ ନଜର ରଖିଛି। ଏହି ମୁହାଁ ମୁହିଁ  ଅବସ୍ଥା ସଂଘର୍ଷର ରୂପ ନେଇ ସାରିଛି। ଗଲୱାନ ଉପତ୍ୟକାରେ ଦୁଇ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା। ଏପରିକି ଦୁଇ ସେନା ପରସ୍ପରକୁ ଭୟଭୀତ କରିବାକୁ ୩ଥର ବ୍ଲାଙ୍କ ଫାୟାର କରିଥିଲେ। ତେଣୁ କୌଣସି ସମୟରେ ଯୁଦ୍ଧ ପରିସ୍ଥିତିକୁ ମୁକାବିଲା କରିବାକୁ ଦୁଇଦେଶ ନିଜକୁ ପ୍ରସ୍ତୁତ କରୁଛନ୍ତି।

Comments are closed.