ସେନାକୁ ପୂର୍ଣ୍ଣ ସ୍ବାଧୀନତା: ଯୁଦ୍ଧ ପରିସ୍ଥିତି ଉପୁଜିଲେ ଉତ୍ତର ଦେବାକୁ ଲୋଡ଼ାନାହିଁ ଅନୁମତି

ନୂଆଦିଲ୍ଲୀ: ସୀମାନ୍ତରେ ଚୀନ୍ ସେନାର କୌଣସି ହରକତ୍ ବରଦାସ୍ତ କରାଯିବ ନାହିଁ । ଚୀନ ସେନା  ଯଦି କିଛି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି ତେବେ ଆବଶ୍ୟକସ୍ଥଳେ ସମସ୍ତ ଉଚିତ୍ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ଭାରତୀୟ ଯବାନଙ୍କୁ ସମ୍ପୂର୍ଣ୍ଣ ସ୍ବାଧୀନତା ଦେଇଛନ୍ତି ସରକାର । ଯଦି କିଛି ଯୁଦ୍ଧକାଳୀନ ପରିସ୍ଥିତି ଦେଖାଯାଏ ତେବେ କାହାର ଅନୁମତିକୁ ଅପେକ୍ଷା ନକରି ସେନା ସେହି ସମୟରେ ତାର ଉତ୍ତର ଦେବେ । ସେନାର ତିନି ବାହିନୀ ମୁଖ୍ୟ, ସିଡ଼ିଏସ୍ ବିପିନ୍ ରାୱତଙ୍କ ସହ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀଙ୍କ ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଛି । ରବିବାର ଅନୁଷ୍ଠିତ ଏହି ବୈଠକରେ ସୀମାନ୍ତରେ ଏଲ୍ଏସି ଓ ଭାରତୀୟ ସେନାର ପ୍ରସ୍ତୁତିକୁ ନେଇ ବିସ୍ତୃତ ଆଲୋଚନା କରାଯାଇଥିବା ସୂଚନା ମିଳିଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ବାସଭବନରେ ଏହି ବୈଠକ ଅନୁଷ୍ଠିତ ହୋଇଛି ।

ଗଲୱାନ ଘଟଣାକୁ ଅତ୍ୟନ୍ତ ଗୁରୁତ୍ବର ସହ ଗ୍ରହଣ କରିଛନ୍ତି ଭାରତ ସରକାର । ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅତ୍ୟନ୍ତ ସ୍ପଷ୍ଟ ଭାଷାରେ ଭାରତର ଇଞ୍ଚେ ଜମି ଉପରେ କେହି ଅଧିକାର କରିବାକୁ ଉଦ୍ୟମ କଲେ ତାହାର କଡ଼ା ଜବାବ ଦିଆଯିବ ବୋଲି କହିଛନ୍ତି । ଅନ୍ୟପକ୍ଷରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏଲ୍ଏସି (ଲାଇନ ଅଫ୍ ଆକ୍ଟୁଆଲ କଂଟ୍ରୋଲ)ରେ କୌଣସି ହରକତକୁ ବରଦାସ୍ତ କରାଯିବ ନାହିଁ ବୋଲି ସ୍ପଷ୍ଟ ଭାଷାରେ କହିଛନ୍ତି ।

ଲଦାଖରେ ଭାରତ ଏବଂ ଚୀନ୍ ସେନା ମଧ୍ୟରେ ହୋଇଥିବା ହିଂସାକାଣ୍ଡ ପରେ ଜଳ, ସ୍ଥଳ ଏବଂ ବାୟୁସେନା ସମ୍ପୂର୍ଣ୍ଣ ସତର୍କ ରହିଛି । ଏହି ତିନି ବାହିନୀ ଚୀନ ପ୍ରତି ସତର୍କ ରହିବା ପାଇଁ ଜୁନ୍ ୧୮ ରେ ସେନା ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ୍ ବିପିନ ରାୱତ ଏବଂ ତିନି ବାହିନୀର ମୁଖ୍ୟଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନିର୍ଦେଶ ଦେଇଥିଲେ ।

Comments
Loading...