କରୋନା ଯୋଦ୍ଧାଙ୍କୁ ସଲାମ, ବିମାନରୁ କିମସ୍ କୋଭିଡ୍ ହସ୍ପିଟାଲ ଉପରେ ପୁଷ୍ପବୃଷ୍ଟି କଲା ବାୟୁସେନା

ଭୁବନେଶ୍ଵର : କରୋନା ଯୁଦ୍ଧରେ ଆଗଧାଡିର ଯୋଦ୍ଧାଙ୍କୁ ସଲାମ ଜଣାଇଛନ୍ତି ଦେଶର ବୀର ଯୋଦ୍ଧା ।  ଭାରତୀୟ ସ୍ଥଳସେନା, ନୌସେନା ଓ ବାୟୁ ସେନା ପକ୍ଷରୁ କରୋନା ଯୋଦ୍ଧାଙ୍କୁ ରବିବାର ଆକାଶ ମାର୍ଗରୁ ପୁଷ୍ପ ବୃଷ୍ଟି କରି ସଲାମ ଦିଆଯାଇଛି। କରୋନା ଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ ଦିନ ରାତି ରୋଗୀଙ୍କ ସେବା କରୁଥିବା ଡାକ୍ତର, ନର୍ସ, ଅନ୍ୟ ମେଡିକାଲ କର୍ମଚାରୀ, ପରିମଳ କର୍ମଚାରୀ ଓ ଅନ୍ୟ ଆଗଧାଡିର ଯୋଦ୍ଧାଙ୍କ ପାଇଁ ଭାରତର ୩ ସେନା ପକ୍ଷରୁ ପୁଷ୍ପ ବୃଷ୍ଟି କରାଯାଇଛି। ଏହି ଅବସରରେ ନୌସେନାର ଜାହାଜକୁ ଆଲୋକମାଳାରେ ସଜ୍ଜିତ କରି ସଲାମ ଜଣାଇଥିବା ବେଳେ ସ୍ଥଳସେନା ପକ୍ଷରୁ ଦେଶର କୋଭିଡ୍ ହସ୍ପିଟାଲ ମାନଙ୍କ ଆଗରେ ବ୍ୟାଣ୍ଡ ବାଜା ବଜାଇ ସଲାମ ଜଣାଇଛନ୍ତି । ଉତ୍ତରରୁ ଦକ୍ଷିଣ, ପୂର୍ବରୁ ପଶ୍ଚିମ ସବୁଠି ଏଭଳି ଦୃଶ୍ୟ କରୋନା ଯୋଦ୍ଧାଙ୍କ ମନୋବଳକୁ ଆହୁରି ଦୃଢ କରିଛି ।

ଭାରତୀୟ ବାୟୁସେନା ପକ୍ଷରୁ ଭୁବନେଶ୍ଵରର କିମସ୍ କୋଭିଡ-୧୯ ହସ୍ପିଟାଲ ଉପରେ ଆକାଶମାର୍ଗରୁ ପୁଷ୍ପବୃଷ୍ଟି କରାଯାଇଛି । ଏଥିପାଇଁ କିମସ୍ କର୍ତ୍ତୃପକ୍ଷ ବିଶେଷ ଆନନ୍ଦ ପ୍ରକାଶ କରିଛନ୍ତି । ପୁଷ୍ପବୃଷ୍ଟି ପରେ କିମସ୍ ରେ କାର୍ଯ୍ୟରତ କୋଭିଡ୍ ଯୋଦ୍ଧାଙ୍କର ମନୋବଳ ବୃଦ୍ଧି କରିଥିବା କିମସ୍ କତ୍ତୃପକ୍ଷ କହିଛନ୍ତିି । ବାୟୁସେନାର ଏଭଳି କାର୍ଯ୍ୟ ଦ୍ବାରା କିମସ୍ କୋଭିଡ୍ ହସ୍ପିଟାଲରେ କାର୍ଯ୍ୟରତ ସମସ୍ତ ଡାକ୍ତର,ନର୍ସ,ପାରାମେଡିକାଲ ଷ୍ଟାଫ ଓ ସଫେଇ କର୍ମଚାରୀଙ୍କ ପରି କୋଭିଡ୍ ଯୋଦ୍ଧାଙ୍କୁ କାମ କରିବାକୁ ଉତ୍ସାହିତ କରିବ ବୋଲି କିଟ୍,କସ୍ ଓ କିମସ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି । ଏଥିସହ ପୁଷ୍ପବୃଷ୍ଟି କରିବାପାଇଁ କିମସ୍ କୋଭିଡ୍ ହସ୍ପିଟାଲକୁ ଚୟନ କରିଥିବାରୁ ଭାରତ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି ଅଚ୍ୟୁତ ସାମନ୍ତ ।

Comments are closed.