୪ଲକ୍ଷ ଡଲାର ଠକେଇ ଅଭିଯୋଗରେ ଭାରତୀୟ-ଆମେରିକୀୟ ଦମ୍ପତି ଗିରଫ

ଭାରତରେ ଥିବା ନକଲି କମ୍ପାନୀ ପକ୍ଷରୁ ଆମେରିକୀୟ ନାଗରିକଙ୍କୁ ବିଭ୍ରାନ୍ତ କରି ୪ଲକ୍ଷ ଡଲାରରୁ ଅଧିକ ଠକେଇ ଅଭିଯୋଗରେ ଜଣେ ଭାରତୀୟ-ଆମେରିକୀୟ ଦମ୍ପତିଙ୍କୁ ଗିରଫ କରାଯାଇଛି। ଆମେରିକାର ଆଇନ ବିଭାଗ ସୂଚନା ଅନୁଯାୟୀ ମେହୁଲ କୁମାର ମନୁଭାଇ ପଟେଲ ଏବଂ ଚିତାଲି ଦବେ ୨୦୧୯ ମେ’ରୁ ୨୦୨୦ ଜାନୁୟାରୀ ମଧ୍ୟରେ ୪ ଲକ୍ଷ ଡଲାରରୁ ଅଧିକ ଜାଲିଆତି କରିଛନ୍ତି, ଯେଉଁଥିରେ ଏହି ସ୍କାମରେ ଅତି କମରେ ୨୪ ଜଣ ଠକାମିର ଶିକାର ହୋଇଛନ୍ତି। ଉଭୟଙ୍କର ବୟସ ୩୬ ବର୍ଷ। ଜୁନ୍ ୯ରେ ଆମେରିକାର ଫେଡେରାଲ୍ ଗ୍ରାଣ୍ଡ୍ ଜୁରୀ ଏହି ଦମ୍ପତିଙ୍କୁ ଅର୍ଥ ଠକେଇ ଷଡଯନ୍ତ୍ରରେ ଦୋଷୀ ସାବ୍ୟସ୍ତ କରିଥିଲେ।
ଆମେରିକାର ଆଟର୍ଣ୍ଣି ବାୟଙ୍ଗ ଜେ କହିଛନ୍ତି ଯେ ଭାରତରେ ଥିବା ଅପରାଧିକ କଲ ସେଣ୍ଟର ସେଠାକାର ଲୋକଙ୍କୁ ଫାନ୍ଦରେ ପକାଇ ଫୋନରେ ବିଭ୍ରାନ୍ତ କରି ସେମାନଙ୍କ ଠାରୁ ଟଙ୍କା ଠକି ନେଇଛନ୍ତି । ଫେଡେରାଲ୍ ଓକିଲମାନେ ଅଭିଯୋଗ କରିଛନ୍ତି ଯେ ଭାରତରୁ କଲ୍ କରୁଥିବା ବ୍ୟକ୍ତିମାନେ ନିଜକୁ ଫେଡେରାଲ୍ ଏଜେଣ୍ଟ ବୋଲି ଏଭଳି ଠକେଇ କରିଛନ୍ତି।