ଏପ୍ରିଲ ସୁଦ୍ଧା ବାୟୁସେନା ନିକଟରେ ଥିବ ୨୧ ରାଫେଲ; ପଶ୍ଚିମବଙ୍ଗର ହାସିମାରାରେ ମୁତୟନ ହେବ ୩ଟି

ନୂଆଦିଲ୍ଲୀ : ଭାରତୀୟ ବାୟୁସେନା (IAF) ପାଇଁ ୨୦୨୦  ସ୍ମରଣୀୟ ବର୍ଷ ହୋଇପାରିଛି | ଚଳିତ ବର୍ଷ ଜୁଲାଇ ୨୯ ରେ  ଯୁଦ୍ଧ ବିମାନ ରାଫେଲ ଭାରତରେ ପହଞ୍ଚିଥିଲା ଓ ସେପ୍ଟେମ୍ବର ୧୦ରେ ଏହାକୁ ବାୟୁସେନାର ଗୋଲଡ଼େନ୍ ସ୍କ୍ବାର୍ଡ଼ନରେ ସାମିଲ କରାଯାଇଥିଲା ।  ପୂର୍ବ ଲଦାଖରେ ଚୀନ୍ ସୀମାରେ ମୁହାଁମୁହିଁ ହେବାର ପ୍ରାୟ ତିନି ମାସ ମଧ୍ୟରେ ରାଫେଲ ଭାରତରେ ପହଞ୍ଚିବା ପରେ ଭାରତୀୟ ବାୟୁସେନାର ମନୋବଳ ବେଶ୍ ବୁଦ୍ଧି ପାଇଥିଲା । ବିଶେଷଜ୍ଞମାନେ ମତ ଦେଇଛନ୍ତି ଯେ ରାଫେଲ ଆଗମନ ସହିତ ଭାରତୀୟ ବାୟୁସେନାର ଶକ୍ତି କ୍ଷେତ୍ରରେ ବହୁଗୁଣିତ ହୋଇଛି।

ଚୁକ୍ତିନାମା ଅନୁସାରେ ଗୋଟିଏ ରାଫେଲ ବିମାନର ମୂଲ୍ୟ ପ୍ରାୟ ୬୭୦ କୋଟି ଟଙ୍କା । ଦକ୍ଷିଣ ଏସିଆର କୌଣସି ଦେଶ ନିକଟରେ ରାଫେଲ ବା ଏହାକୁ ମୁକାବିଲା କରିବା ପରି ଯୁଦ୍ଧବିମାନ ନାହିଁ ।  ଏହାର ଆଗମନ ସହିତ ଭାରତ ବାୟୁସେନା ଚୀନ୍ ଏବଂ ପାକିସ୍ଥାନ ଅପେକ୍ଷା ଅଧିକ ଶକ୍ତିଶାଳୀ ହୋଇଛି। ଏପ୍ରିଲ୍ ୨୦୨୧ ସୁଦ୍ଧା ଭାରତ ପ୍ରାୟ ୨୧ଟି ରାଫେଲ ପାଇ ପାରିବ ବୋଲି ଫ୍ରାନ୍ସ ସୂତ୍ରରୁ ଜଣାପଡ଼ିଛି । ବର୍ତମାନ ସୁଦ୍ଧା ଦୁଇଟି ପର୍ଯ୍ୟାୟରେ ୮ଟି   ଭାରତରେ ପହଞ୍ଚିଛି ଏବଂ ଆଗାମୀ କିଛି ଦିନ ମଧ୍ୟରେ ଆଉ ୧୩ଟି ରାଫେଲ ଭାରତରେ ପହଞ୍ଚିବ ବୋଲି ଏହି ସୂତ୍ରରୁ ସୂଚନା ମିଳିଛି ।  ପ୍ରଥମ ପର୍ଯ୍ୟାୟରେ ଜୁଲାଇ ୨୯ରେ ୫ଟି ରାଫେଲ ଆସିଥିବାବେଳେ ନଭେମ୍ବର ୫ରେ ଆଉ ୩ଟି ରାଫେଲ ଗୁଜରାଟର ଜାମନଗରରେ ପହଞ୍ଚିଛି । ସିଧାସଳଖ ଏହି ବିମାନଗୁଡ଼ିକ ଫ୍ରାନ୍ସରୁ ବିନା କୌଣସି ସ୍ଥାନରେ ନ ଅଟକି ଭାରତରେ ପହଞ୍ଚିଛି ।

ସୂଚନା ଅନୁସାରେ ଜାନୁଆରୀରେ ଭାରତକୁ ଆଉ ୩ଟି, ଫେବୃଆରୀରେ ୩ଟି ଓ ଏପ୍ରିଲରେ ୭ଟି ରାଫେଲ ଭାରତରେ ପହଞ୍ଚିବ । ୨୦୨୧ ଏପ୍ରିଲ ମାସ ସୁଦ୍ଧା ବାୟୁସେନା ନିକଟରେ ୨୧ଟି ରାଫଲ ପହଞ୍ଚି ସାରିଥିବ । ସୂଚନା ଅନୁସାରେ ଗୋଲ୍ଡ଼େନ ସ୍କ୍ବାର୍ଡ଼ନ ଅମ୍ବାଲାରେ ୧୮ଟି ଓ ଉତ୍ତର ବଙ୍ଗର ହାସିମାରା ଏୟାର ବେସରେ ୩ଟି ରାଫେଲ ମୁତୟନ ହେବ । ଏହି ସମସ୍ତ ରାଫେଲ ଯୁଦ୍ଧବିମାନଗୁଡ଼ିକ  ବିପଜ୍ଜନକ କ୍ଷେପଣାସ୍ତ୍ର ସହିତ ସଜ୍ଜିତ ହୋଇଛି ଯାହା ଶତ୍ରୁକୁ ବାୟୁରୁ ବାୟୁକୁ  ଓ ଆକାଶରୁ ଭୂପୃଷ୍ଠକୁ ଧ୍ବଂସ କରିବାକୁ ସକ୍ଷମ ।

Comments are closed.