ଏଫ-୧୬ ମାରି ଖସାଇବାର ପ୍ରମାଣ ଦେଲା ଭାରତୀୟ ବାୟୁ ସେନା

ନୂଆଦିଲ୍ଲୀ : ଭାରତୀୟ ବାୟୁ ସେନା ପୁଣି ଥରେ ଏଫ-୧୬ ଯୁଦ୍ଧ ବିମାନ ନେଇ ପାକିସ୍ତାନର ମିଛ ଉପରୁ ପରଦା ଉଠାଇଛି। ଭାରତୀୟ ବାୟୁ ସେନା ଏୟାର ଭାଇସ ମାର୍ଶାଲ ଆରଜିକେ କପୁର ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଏଫ-୧୬ ଯୁଦ୍ଧ ବିମାନ ମାରି ଖସାଇବାର ପ୍ରମାଣ ଦେଇଛନ୍ତି। ସେ କହିଛନ୍ତି ଯେ ଫେବୃଆରୀ ୨୭ରେ ପାକିସ୍ତାନ-ଭାରତ ବାୟୁ ସେନା ମଧ୍ୟରେ ଆକାଶରେ ସଂଘର୍ଷ ସମୟରେ ଦୁଇଟି ବିମାନକୁ ମାରି ଖସାଇ ଦିଆଯାଇଥିଲା। ଏଥିରେ ଭାରତୀୟ ବାୟୁ ସେନାର ଗୋଟିଏ ବିମାନ ଓ ଦ୍ୱିତୀୟ ବିମାନଟି ପାକିସ୍ତାନ ବାୟୁ ସେନାର ଏଫ-୧୬ ଥିଲା। ପାକିସ୍ତାନର ଏଫ-୧୬ ଯୁଦ୍ଧ ବିମାନକୁ ଭାରତୀୟ ବାୟୁ ସେନାର ମିଗ୍‍- ୨୧ ମାରି ଖସାଇବା କଥାକୁ ଆମେରିକା ଗଣମାଧ୍ୟମ ରିପୋର୍ଟରେ ଖଣ୍ଡନ କରାଯିବା ପରେ ଭାରତ ପକ୍ଷରୁ ଏନେଇ ପ୍ରମାଣ ଦିଆଯାଇଛି। ପ୍ରମାଣ ସ୍ୱରୁପ ଭାରତୀୟ ବାୟୁ ସେନା ଏଫ-୧୬ ଯୁଦ୍ଧ ବିମାନ ମାରି ଖସାଇବାର ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ (ଏଡବ୍ଲ୍ୟୁଏସିଏସ୍‍) ରାଡାର ଚିତ୍ର ଦେଖାଇଛି। ରାଡାର ଚିତ୍ରର ବିଶ୍ଲେଷଣ କରି ଏୟାର ଭାଇସ୍‍ ମାର୍ଶାଲ କପୁର କହିଛନ୍ତି ଯେ ନାଲି ରଙ୍ଗର ଚିହ୍ନରେ ତିନିଟି ଯୁଦ୍ଧ ବିମାନ ଥିଲେ। ସେଥିରେ ଦୁଇଟି ଏଫ-୧୬ ଓ ଡାହଣ ପଟେ ନୀଳ ରଙ୍ଗର ଗୋଲେଇ ମଧ୍ୟରେ ଅଭିନନ୍ଦନ ବର୍ଦ୍ଧମାନଙ୍କ ଯୁଦ୍ଧ ବିମାନ ରହିଥିଲା। କିଛି ସମୟ ପରେ ନିଆଯାଇଥିବା ଦ୍ୱିତୀୟ ଚିତ୍ରରେ ମାତ୍ର ଗୋଟିଏ ଏଫ-୧୬ ଯୁଦ୍ଧ ବିମାନ ଦେଖିବାକୁ ମିଳୁଛି। ଅର୍ଥାତ ଗୋଟିଏ ଏଫ-୧୬ ଏବଂ ଅଭିନନ୍ଦନଙ୍କ ଯୁଦ୍ଧ ବିମାନ ନଷ୍ଟ ହୋଇସାରିଛି।

ଉଲ୍ଲେଖଯୋଗ୍ୟ ଯେ ଗତ ଫେବୃୟାରୀ ୨୭ରେ ପାକିସ୍ତାନ ବାୟୁ ସେନାର ଏଫ-୧୬ ଯୁଦ୍ଧ ବିମାନ ଭାରତୀୟ ଆକାଶ ସୀମା ଉଲ୍ଲଂଘନ କରିବା ସହ ଜାମ୍ମୁ କାଶ୍ମୀରରେ ଭାରତୀୟ ସାମରିକ ଘାଟିକୁ ଲକ୍ଷ୍ୟ କରି କ୍ଷେପଣାସ୍ତ୍ର ମାଡ଼ କରିଥିଲା। ସଙ୍ଗେ ସଙ୍ଗେ ଭାରତୀୟ ବାୟୁ ସେନାର ଯୁଦ୍ଧ ବିମାନ ଏହାର ଜବାବ ଦେଇଥିଲେ । ଭାରତୀୟ ବାୟୁ ସେନାର ଜବାବୀ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ଗୋଟିଏ- ଏଫ-୧୬ ଯୁଦ୍ଧ ବିମାନ ନଷ୍ଟ ହୋଇଯାଇଥିଲା । ତେବେ ଏଥିରେ ଦୁର୍ଘଟଣାଗ୍ରସ୍ତ ହୋଇ ଭାରତର ଗୋଟିଏ ବିମାନ ମଧ୍ୟ ନଷ୍ଟ ହୋଇଯାଥିଲା ।

ଏଠାରେ ପ୍ରକାଶଯୋଗ୍ୟ ଯେ ପାକିସ୍ତାନ ଏଫ-୧୬ ଯୁଦ୍ଧ ବିମାନ ଆମେରିକାଠାରୁ କିଣିଛି । କିଣିବା ବେଳେ ପାକିସ୍ତାନ ଆମେରିକା ସହ ଚୁକ୍ତି କରିଥିଲା ଯେ ଏହାକୁ କୌଣସି ରାଷ୍ଟ୍ର ବିରୋଧୀ ସାମରିକ ଆକ୍ରମଣରେ ବ୍ୟବହାର କରିବ ନାହିଁ। କିନ୍ତୁ ପାକିସ୍ତାନ ତାହାକୁ ଖୋଲାଖୋଲି ଉଲ୍ଲଂଘନ କରିଥିଲା। ଏ ନେଇ ଭାରତ ପକ୍ଷରୁ ଆମେରିକାର ଦୃଷ୍ଟି ଆକର୍ଷଣ କରାଯାଇଥିଲା। କିନ୍ତୁ ପାକିସ୍ତାନ ସେତେବେଳେ ଏଫ-୧୬ ବ୍ୟବହାର କରି ନ ଥିବା ଦାବି କରିଥିଲା।

Comments are closed.