ବାଲାକୋଟ ଆକ୍ରମଣରେ ସାମିଲ ଥିଲେ ବାୟୁସେନାର ୬ ହଜାର ସୈନିକ

ନୂଆଦିଲ୍ଲୀ : ପାକିସ୍ତାନର ବାଲାକୋଟରେ ଆତଙ୍କବାଦ ସଙ୍ଗଠନ ଜୈଶ-ଏ-ମହମ୍ମଦ ଉପରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ-୨ କୁ ନେଇ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ବାୟୁସେନାର ଏକ ରିପୋର୍ଟ ଅନୁଯାୟୀ, ଏହି ଅପରେଶନରେ ବାୟୁସେନାର ୬ ହଜାର ସୈନିକ ସାମିଲ ଥିଲେ । ଏହି ତଥ୍ୟ ‘ଦ ଲେସନ ଲର୍ନ୍ଟ’ ନାମକ ଏକ ରିପୋର୍ଟରେ ପ୍ରକାଶ ପାଇଛି । ଏଥିରେ ଅପରେଶନର ଉଭୟ ସକାରାତ୍ମକ ଏବଂ ନକାରାତ୍ମକ ଦିଗ ଉପରେ ବିସ୍ତୃତ ଭାବେ ସମୀକ୍ଷା କରାଯାଇଛି । ଯଦି ଭବିଷ୍ୟତରେ ପୁଣି ସର୍ଜିକାଲ ଷ୍ଟ୍ରାଇକ କରାଯାଏ ତେବେ ବାଲାକୋଟ ଆକ୍ରମଣରୁ ମିଳିଥିବା ଅନୁଭୂତି ସେଥିରେ ସହାୟକ ହେବ ବୋଲି ରିପୋର୍ଟରେ କୁହାଯାଇଛି । ଏହା ବ୍ୟତୀତ ଏହି ରିପୋର୍ଟ ଉପରେ ବାୟୁସେନାର ଏକ ଉଚ୍ଚ ସ୍ତରୀୟ ବୈଠକରେ ଚର୍ଚ୍ଚା ହୋଇଛି ।

 

ଅପରେଶନ ସକାରାତ୍ମକ

ରିପୋର୍ଟ ଅନୁଯାୟୀ, ବାଲାକୋଟ ଆକ୍ରମଣ ବେଳେ ପାକିସ୍ତାନକୁ ସୂଚନା ମିଳିଯାଇଥିଲା। ପାକିସ୍ତାନ ୮ଟି ସ୍ଥାନରେ ନିଜର ଯୁଦ୍ଧ ବିମାନ ମୁତୟନ ରଖିଥିଲା । କିନ୍ତୁ ପାକ୍‌ ଯୁଦ୍ଧ ବିମାନ ୧୦ ମିନିଟ୍ ବିଳମ୍ବରେ ଆସିଥିଲା ବୋଲି ଜଣେ ଅଧିକାରୀ କହିଛନ୍ତି । ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ଭାରତ ପୁଲୱାମା ଆକ୍ରମଣର କଡା ଜବାବ ଦେବ ବୋଲି ପାକିସ୍ତାନକୁ ଜଣାଥିଲା। କିନ୍ତୁ ଆକାଶ ମାର୍ଗରୁ ଭାରତ ଆକ୍ରମଣ କରିବ ବୋଲି ପାକିସ୍ତାନକୁ ଜଣା ନ ଥିଲା।

ଏହି ରିପୋର୍ଟରେ ଗୋଇନ୍ଦା ବିଭାଗର ସଠିକ୍ ତଥ୍ୟ ଏବଂ ଲକ୍ଷ୍ୟର ଚୟନକୁ ସକାରାତ୍ମକ ବିଷୟ ଭାବେ ଦର୍ଶାଯାଇଛି । ଏହା ସହ ପାଇଲଟଙ୍କ ଦକ୍ଷତା ଓ କୌଶଳର ମଧ୍ୟ ପ୍ରସଂସା କରାଯାଇଛି । ଅପରେଶନରେ ସାମିଲ ଥିବା ସମସ୍ତ ପାଇଲଟଙ୍କୁ ଦକ୍ଷତା ଓ କ୍ଷମତା ପାଇଁ ସମ୍ମାନିତ କରାଯିବାର ସମ୍ଭାବନା ରହିଛି ।

ଅପରେଶନର ନକାରାତ୍ମକ

ରିପୋର୍ଟ ଅନୁଯାୟୀ ଖରାପ ପାଗ ଓ ଆକାଶରେ ଥିବା ବାଦଲ ଯୋଗୁଁ ଯୁଦ୍ଧ ବିମାନରେ ସମସ୍ୟା ସୃଷ୍ଟି ହୋଇଥିଲା।

ସୂଚନାଯୋଗ୍ୟ, ଫେବୃଆରୀ ୧୪ ତାରିଖରେ ପୁଲୱାମାରେ ସିଆରପିଏଫ୍ ଯବାନଙ୍କ ଉପରକୁ ଆତଙ୍କବାଦୀ ଆକ୍ରମଣ କରିଥିଲେ । ପାକିସ୍ତାନୀ ଆତଙ୍କବାଦୀ ସଙ୍ଗଠନ ଜୈଶ-ଏ-ମହମ୍ମଦ ଏହି ଆକ୍ରମଣ କରିଥିଲା । ଏହା ପରେ ଭାରତୀୟ ବାୟୁସେନା ଫେବୃଆରୀ ୨୬ ତାରିଖରେ ପାକିସ୍ତାନର ବାଲାକୋଟରେ ଥିବା ଜୈଶ ସଂଗଠନର ଶିବିର ଉପରେ ଆକ୍ରମଣ କରି ପ୍ରତିଶୋଧ ନେଇଥିଲା।

Comments are closed.