ଭାରତୀୟ ବାୟୁସେନା ପାକିସ୍ତାନ ପଟୁ ଧମକର ନିରନ୍ତର ଆକଳନ କରୁଛି- ଏୟାର ଚିଫ୍‍ ମାର୍ଶାଲ

ଡୁଣ୍ଡିଗଲ: ପାକିସ୍ତାନ ଓ ଚୀନ ପଟୁ ସୃଷ୍ଟି ହେଉଥିବା ବିପଦ ସମ୍ପର୍କରେ ଭାରତୀୟ ବାୟୁସେନା ନିରନ୍ତର ଆକଳନ କରୁଛି । ଲଦାଖରେ କିଛି ଅଞ୍ଚଳରେ ଉଭୟ ଦେଶର ସୈନ୍ୟ ପଛକୁ ହଟିଛନ୍ତି, କିନ୍ତୁ ତାହା ସମ୍ପୂର୍ଣ୍ଣ ଭାବରେ ହୋଇପାରିନାହିଁ ବୋଲି ଭାରତୀୟ ବାୟୁସେନା ମୁଖ୍ୟ ଏୟାର ଚିଫ୍‍ ମାର୍ଶାଲ ଭି ଆର ଚୌଧରୀ କହିଛନ୍ତି । ସେ କହିଛନ୍ତି, ପାକିସ୍ତାନ ଓ ଚୀନ ପଟୁ ଭାରତ ପ୍ରତି ସୃଷ୍ଟି ହେଉଥିବା ସମ୍ପର୍କରେ ଦେଶର ବାୟୁସେନା ଭଲ ଭାବରେ ଅବଗତ ଅଛି । ଚୀନ ସହିତ ବିବାଦ ଲାଗି ରହିଛି, କିଛି ଅଞ୍ଚଳରେ ଦୁଇ ଦେଶର ସୈନ୍ୟ ମୁହାଁମୁହିଁ ପରିସ୍ଥିତିରୁ ପଛକୁ ହଟିଛନ୍ତି । ତଥାପି ତାହା ସମ୍ପୂର୍ଣ୍ଣ ଭାବରେ ହୋଇପାରିନାହିଁ । ଭାରତୀୟ ବାୟୁସେନା ତାହାର ମୁତୟନକୁ ଅପରିବର୍ତ୍ତିତ ରଖିବ । ଉକ୍ତ ଅଞ୍ଚଳରେ ଯେକୌଣସି ପରିସ୍ଥିତିର ସାମନା କରିବାକୁ ଭାରତୀୟ ବାୟୁସେନା ପ୍ରସ୍ତୁତ ଥିବା ସେ କହିଛନ୍ତି ।
ହାଇଦରାବାଦ ନିକଟ ଡୁଣ୍ଡିଗଲସ୍ଥିତ ଏୟାର ଫୋର୍ସ ଏକାଡେମୀରେ ମିଳିତ ଗ୍ରାଜୁଏସନ ପରେଡରେ ଉଦବୋଧନ ଦେବା ଅବସରରେ ଏୟାର ଚିଫ୍‍ ମାର୍ଶାଲ ଶ୍ରୀ ଚୌଧରୀ କହିଥିଲେ ଯେ, ୩୬ରୁ ୩୨ଟି ରାଫେଲ ଯୁଦ୍ଧ ବିମାନ ଫ୍ରାନ୍ସ ପକ୍ଷରୁ ଭାରତକୁ ହସ୍ତାନ୍ତର କରାଯାଇସାରିଛି । ଅବଶିଷ୍ଟ ୪ଟି ମଧ୍ୟରୁ ତିନିଟି ବିମାନ ୨୦୨୨ ଫେବ୍ରୁଆରୀରେ ଭାରତରେ ପହଞ୍ଚିବ । ସୂଚନାଯୋଗ୍ୟ ଯେ ଭାରତ ଓ ଚୀନ ମଧ୍ୟରେ ସୀମା ବିବାଦର ସମାଧାନ ପାଇଁ ୨୩ତମ ବୈଠକ ନଭେମ୍ବର ମାସରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ପୂର୍ବ ଲଦାଖ ପରିସ୍ଥିତି ସମ୍ପର୍କରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ପ୍ରକ୍ରିୟା ଆଗକୁ ମଧ୍ୟ ଜାରି ରହିବ । ଏକାଡେମୀରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟ କରି ସେ କହିଥିଲେ, ଭାରତୀୟ ବାୟୁସେନା ସେମାନଙ୍କ ଭଳି ଯୁବ ଓ ଦକ୍ଷ ଅଫିସର ଆବଶ୍ୟକ କରୁଛି ଯେଉଁମାନେ ବାୟୁସେନାର ସମୃଦ୍ଧ ପରମ୍ପରାକୁ ଆଗେଇ ନେଇପାରିବେ । ଏହି ଅବସରରେ ସେ ସିଡିଏସ୍‍ ବିପିନ ରାୱତ, ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ ୧୨ ସେନାଧିକାରୀ, ଯବାନଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଥିଲେ ।

Comments are closed.