ମାନବୀୟ ଦୃଷ୍ଟିକୋଣକୁ ଧ୍ୟାନରେ ରଖି କାର୍ଯ୍ୟ କରୁଛି ଭାରତ – ମୋଦୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ଭାରତ ଗତ ୬ ବର୍ଷ ମଧ୍ୟରେ ବିଶ୍ୱର କିଛି ସର୍ବବୃହତ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ ହାତକୁ ନେଇଛି। ଗରିବ ଲୋକମାନଙ୍କୁ ସମ୍ମାନର ସହ ଜୀବନଯାପନ କରିବା ଲକ୍ଷ୍ୟରେ ଏହି ଯୋଜନାଗୁଡ଼ିକୁ କାର୍ଯ୍ୟକାରୀ କରାଯାଇଛି। ଶ୍ରୀ ରାମଚନ୍ଦ୍ର ମିଶନ୍‍ର ୭୫ତମ ବାର୍ଷିକୀ ପାଳନ ଅବସରରେ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି, ଭାରତ ସର୍ବଦା ମାନବୀୟ ଦୃଷ୍ଟିକୋଣକୁ ଧ୍ୟାନରେ ରଖି କାର୍ଯ୍ୟ କରୁଛି। ସେ କହିଛନ୍ତି, ଲୋକମାନଙ୍କର ସୁସ୍ଥ ଜୀବନ ଓ ବିକାଶ ପ୍ରତି ଗୁରୁତ୍ୱ ଦିଆଯାଇ ଏହି କାର୍ଯ୍ୟକ୍ରମଗୁଡ଼ିକୁ ସାକାର କରାଯାଉଛି।

ପ୍ରଧାନମନ୍ତ୍ରୀ କହିଛନ୍ତି, ସମଗ୍ର ବିଶ୍ୱରେ କୋଭିଡ ୧୯ ପ୍ରତିଷେଧକ ଟିକାକରଣ କାର୍ଯ୍ୟକ୍ରମରେ ଭାରତ ପ୍ରମୁଖ ଭୂମିକା ଗ୍ରହଣ କରିଛି। ସେ କହିଛନ୍ତି, ସମଗ୍ର ବିଶ୍ୱ ପାଇଁ ଯେତେବେଳେ କୋଭିଡ ୧୯ ପ୍ରତିଷେଧକର ସବୁଠୁ ବେଶି ଆବଶ୍ୟକତା ଥିଲା ସେତେବେଳେ ଭାରତ ବିଶ୍ୱର ଅନେକ ଦେଶକୁ ପ୍ରତିଷେଧକ ଯୋଗାଇଛି। ଶ୍ରୀ ମୋଦୀ କହିଛନ୍ତି, କୋଭିଡ ୧୯ ପରବର୍ତ୍ତୀ ପରିସ୍ଥିତିକୁ ଭାରତ ଗୁରୁତର ସହ ଗ୍ରହଣ କରିଛି। ଏକ ସୁସ୍ଥ ବିଶ୍ୱ ଗଠନରେ ଯୋଗ ଓ ଆର୍ୟୁବେଦ ବହୁମାତ୍ରାରେ ସାହାଯ୍ୟ କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Comments are closed.