ବିଶ୍ବାସଘାତକ ବେଜିଂକୁ କୂଟନୈତିକ ଝଟ୍‌କା : ଚୀନ୍‌କୁ ଛାଡ଼ି ଭାରତ ସହ ସଂପର୍କ ଦୃଢ଼ କଲା ଜର୍ମାନୀ

ବର୍ଲିନ୍‌ : ବିଶ୍ବକୁ କରୋନା ଭୂତାଣୁ ବାଣ୍ଟିଥିବା ଚୀନ୍‌କୁ ବିଶ୍ବାସ କରିହେବନି। ଏଠାରେ ଗଣତନ୍ତ୍ର ବିପନ୍ନ, ମାନବାଧିକାର କ୍ଷୁଣ୍ଣ ଏବଂ ଏହା ଅନ୍ତର୍ଜାତୀୟ ରାଜିନାମାକୁ ସମ୍ମାନ ମିଳେନି। ତେଣୁ ଏଭଳି ବିଶ୍ବାସଘାତକ ଚୀନ୍‌କୁ କୂଟନୈତିକ ଝଟ୍‌କା ଦେଇଛି ଜର୍ମାନୀ। ଚୀନ୍‌ ସହିତ ୫୦ ପ୍ରତିଶତ ବାଣିଜ୍ୟିକ କାରବାର କରି ଆସୁଥିବା ଜର୍ମାନୀ ଏବେ ତା’ର ନୀତି ପରିବର୍ତ୍ତନ କରିଛି। ଚୀନ୍‌କୁ ଛାଡି ଏବେ ଜର୍ମାନୀ ଭାରତ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରର ରାଷ୍ଟ୍ରମାନଙ୍କ ସହିତ ସଂପର୍କ ଦୃଢ଼ କରିବାକୁ ନିଷ୍ପତ୍ତି ନେଇଛି। ଚୀନ୍‌ର ବିସ୍ତାରବାଦୀ ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଅବସ୍ଥା ଏବଂ ସର୍ବୋପରି ମାନବାଧିକାରର ଗୁରୁତର ଉଲ୍ଲଙ୍ଘନ ତଥା ଏଠାରେ ଗଣତନ୍ତ୍ର ସଂପୂର୍ଣ୍ଣ ଅସୁରକ୍ଷିତ ବୋଲି ଦର୍ଶାଇ ଏଭଳି ଚରମ ପଦକ୍ଷେପ ନେଇଛି ଜର୍ମାନୀ। ଭାରତ ଓ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ଦୃଢ଼ ଗଣତାନ୍ତ୍ରିକ ଓ ମାନବିକ ମୂଲ୍ୟବୋଧ ଥିବା ରାଷ୍ଟ୍ରଙ୍କ ସହିତ ସଂପର୍କକୁ ଅଧିକ ମଜବୁତ କରିବାକୁ ଜର୍ମାନୀ ଏକ ନୂତନ ମାର୍ଗଦର୍ଶିକା ଗୃହୀତ କରାଇଛି। ଭାରତ, ଜାପାନ, ଅଷ୍ଟ୍ରେଲିଆ ଏବଂ ଅନ୍ୟ ଏସିଆନ୍‌ ସଦସ୍ୟଙ୍କ ସହିତ ଉତ୍ତମ ସଂପର୍କ ପ୍ରତିଷ୍ଠା ସହ ବାଣିଜ୍ୟ କାରବାର ଲାଗି ଜର୍ମାନୀ ଆଗ୍ରହ ପ୍ରକାଶ କରିଛି।
ଚୀନ୍‌ର ଟ୍ରାକ୍‌ ରେକର୍ଡ ଅନୁଯାୟୀ, ଏହା ଆଦୌ ବିଶ୍ବାସଯୋଗ୍ୟ ନୁହେଁ ଏବଂ ଏଠାରେ ଗଣତନ୍ତ୍ର ଓ ଆଇନଗତ ଅଧିକାର ସଂପୂର୍ଣ୍ଣ ଭୁଶୁଡି ପଡ଼ିଥିବାବେଳେ ଏକାଧିକ ରାଷ୍ଟ୍ରଙ୍କୁ ଋଣଦେଇ ଚୀନ୍‌ ସେମାନଙ୍କୁ ଦେବାଳିଆ କରି ପକାଇଥିବା କହିଛନ୍ତି ଜର୍ମାନ୍‌ ବିଦେଶ ମନ୍ତ୍ରୀ ହେକୋ ମାସ୍‌। ଏପରିକି ଚୀନ୍‌ରେ ରହିଥିବା ଜର୍ମାନ କମ୍ପାନୀଗୁଡିକ ନିଜକୁ ସେଠାରେ ଅସୁରକ୍ଷିତ ମନେ କରିବା ସହିତ ସେମାନଙ୍କ ଜ୍ଞାନକୌଶଳ ଓ ବୌଦ୍ଧିକ ସମ୍ପତ୍ତି ଅସୁରକ୍ଷିତ ବୋଲି ଦର୍ଶାଇଛନ୍ତି। ସେମାନଙ୍କ ଲାଗି ଚୀନ୍‌ ଏକ ଦୃଢ଼ ବ୍ୟାବସାୟିକ ପ୍ରତିଦ୍ବନ୍ଦ୍ବୀ ଭାବେ ଛିଡ଼ା ହୋଇଛି। ହଂକଂରେ ଚୀନ୍‌ର ପୈଶାଚିକ ନିରାପତ୍ତା ଆଇନ ଲାଗୁ ଓ ଉଇଗରରେ ମୁସଲିମ୍‌ ସଂପ୍ରଦାୟଙ୍କୁ କଠୋର ନିର୍ଯାତନା ଦେଉଥିବା ଭଳି ମାନବାଧିକାର ଉଲ୍ଲଙ୍ଘନ ଓ ଗଣତନ୍ତ୍ରର ହତ୍ୟା ଭଳି ଗୁରୁତର ଘଟଣାରେ ପୂର୍ବରୁ ଆମେରିକା, ଫ୍ରାନ୍ସ, ବ୍ରିଟେନ୍‌ ବିସ୍ତାରବାଦୀ ଚୀନ୍‌ ଉପରେ କ୍ଷୁବ୍ଧ ହୋଇଛନ୍ତି। ଚୀନ୍‌ର ବୃହତ୍ ୫-ଜି ଦୂରସଂଚାର କମ୍ପାନୀ ହୁୱେଇକୁ ଉଭୟ ବ୍ରିଟେନ୍‌ ଓ ଫ୍ରାନ୍ସ କାର୍ଯ୍ୟରୁ ବିଦା କରିଦେଇଛନ୍ତି। ଆମେରିକା ମଧ୍ୟ ଏକାଧିକ ଚୀନ୍‌ କମ୍ପାନୀଙ୍କୁ କାର୍ଯ୍ୟରୁ ଅନ୍ତର କରିସାରିଛି। ଏଭଳି ସ୍ଥିତିରେ ଚୀନ୍‌ର ବଡ଼ ବଡ଼ କମ୍ପାନୀଗୁଡିକ ଦେବାଳିଆ ସ୍ଥିତିରେ ଫସିଥିବାବେଳେ ଜର୍ମାନୀ ପକ୍ଷରୁ ଝଟ୍‌କା ପାଇବା ବେଜିଂକୁ ଚିନ୍ତାରେ ପକାଇଛି। ଗୋଟିଏ ପଟେ ୟୁରୋପୀୟ ରାଷ୍ଟ୍ରଗୁଡିକ ଚୀନ୍‌ର ଗୋଟିଏ ପରେ ଗୋଟିଏ ବଡ଼ ବଡ଼ କମ୍ପାନୀକୁ ନିଜ ମାଟିରୁ ବିଦା କରୁଥିବାବେଳେ ଚୀନ୍‌ରେ କାର୍ଯ୍ୟରତ ବିଦେଶୀ କମ୍ପାନୀଗୁଡିକ ପୁଞ୍ଜିପ୍ରତ୍ୟାହାର କରିନେଲେଣି। ସେମାନେ ଭାରତ ଭଳି ସଶକ୍ତ ମାନବିକ ମୂଲ୍ୟବୋଧ, ଦୃଢ଼ ରାଜନୈତିକ ସ୍ଥିରତା, ଗଣତନ୍ତ୍ର ଓ ମାନବିକ ଅଧିକାର ସୁରକ୍ଷା ସହ ଅନ୍ତର୍ଜାତୀୟ ରାଜିନାମାକୁ ସମ୍ମାନ ଦେଉଥିବା ରାଷ୍ଟ୍ରଙ୍କ ପ୍ରତି ଉତ୍ତମ ସଂପର୍କ ଲାଗି ଆଗ୍ରହ ପ୍ରକାଶ କରିଛନ୍ତି।

Comments are closed.