ସାଂଘାଇ ସହଯୋଗ ବୈଠକ, ମୁହାଁମୁହିଁ ହେବେ ତ ଭାରତ, ଚୀନ ଓ ପାକିସ୍ଥାନ?

ଆସନ୍ତା ସେପ୍ଟେମ୍ବର ୧୦ରେ ମସ୍କୋରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ବୈଠକରେ ବିଦେଶ ମନ୍ତ୍ରୀମାନଙ୍କୁ ଭେଟିବାକୁ ରୁଷର ପ୍ରସ୍ତାବ ପରେ ପାକିସ୍ତାନ ଏବଂ ଚୀନ୍‌ ଅଂଶଗ୍ରହଣ କରିବାକୁ ସମ୍ମତି ଦେଇଥିଲେ ମଧ୍ୟ ଭାରତ ଏ ପର୍ଯ୍ୟନ୍ତ ଯୋଗ ଦେବ କି ନାହିଁ ସ୍ପଷ୍ଟ କରି ନାହିଁ। ତେବେ କୂଟନୈତିକ ସୂତ୍ର ଅନୁଯାୟୀ, ସେହି ଦିନ ରୁଷ ମଧ୍ୟ ବିଦେଶ ମନ୍ତ୍ରୀମାନଙ୍କ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି। କରୋନା ସଂକ୍ରମଣ ପୂର୍ବରୁ ଏହି ବୈଠକ ଧାର୍ଯ୍ୟ କରାଯାଇଥିବାରୁ ବର୍ତ୍ତମାନ ଦେଶରେ କରୋନା ପରିସ୍ଥିତିର ମୂଲ୍ୟାଙ୍କନ ପରେ ଭାରତ ଅଂଶଗ୍ରହଣ କରିବ କି ନାହିଁ ତାହା ନିଶ୍ଚିତ ହୋଇପାରି ନାହିଁ।

ଯଦି ଭାରତ ଏଥିରେ ଭାଗ ନେବାକୁ ସ୍ଥିର କରେ, ତେବେ ଭାରତ ଏବଂ ଚୀନ୍ ମଧ୍ୟରେ ପ୍ରକୃତ ସୀମାରେଖାରେ ବିବାଦ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଭାରତ, ପାକିସ୍ଥାନ ଏବଂ ଚୀନ୍‌ର ବିଦେଶ ମନ୍ତ୍ରୀମାନେ ସମାନ ଦଳରେ ମୁହାଁମୁହିଁ ହେବେ। ସୀମାରେ ଏପର୍ଯ୍ୟନ୍ତ କୌଣସି ଶାନ୍ତିପୂର୍ଣ୍ଣ ସମାଧାନ ହୋଇପାରି ନ ଥିବା ବେଳେ ପ୍ରକୃତ ସୀମାରେଖାରେ ଉତ୍ତେଜନା ଜାରି ରହିଛି ଏବଂ ପରିସ୍ଥିତିର ସମାଧାନ ପାଇଁ ଉଭୟ ଭାରତ ଏବଂ ଚୀନ୍ ସାମରିକ ଏବଂ କୂଟନୈତିକ ସ୍ଥରୀୟ ଆଲୋଚନା କରୁଛନ୍ତି।

ଅନ୍ୟ ପକ୍ଷରେ ଯେତେବେଳେ ଜୁନ୍ ମାସରେ ଭାରତ-ଚୀନ୍ ମଧ୍ୟରେ ଗଲୱାନ୍ ଘାଟୀରେ ଚୀନ୍ ସହିତ ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକ ପ୍ରାଣ ହରାଇଥିଲେ, ସେତେବେଳେ ରୁଷ ଦ୍ୱାରା ଆହୂତ ଆରଆଇସି ବୈଠକରେ ଭାରତ ଅଂଶଗ୍ରହଣ କରିଥିଲା, କିନ୍ତୁ ତାହା କେବଳ ଔପଚାରିକ ଥିଲା। ତେଣୁ ଦେଖିବାକୁ ବାକି ରହିଲା ଯେ ଭାରତ ଆଗାମୀ ଦିନରେ କେଉଁ ନିଷ୍ପତ୍ତି ନେବ।

Comments are closed.