ରୁଷ୍‍ ସହ ସମରାଭ୍ୟାସରୁ ଓହରିଲା ଭାରତ

ନୂଆଦିଲ୍ଲୀ : ଆସନ୍ତା ମାସରେ ରୁଷରେ ହେବାକୁ ଥିବା ସମରାଭ୍ୟାସରେ ଭାରତ ସାମିଲ ହେବ ନାହିଁ। ସେପ୍ଟେମ୍ବର ୧୫ ଓ ୨୬ ତାରିଖ ପର୍ଯ୍ୟନ୍ତ ଦକ୍ଷିଣ ରୁଷର ଅସ୍ତ୍ରଖନ ଅଞ୍ଚଳରେ ହେବାକୁ ଥିବା ସମରାଭ୍ୟାସରେ ଭାରତ ଓ ରୁଷ୍‍ ସହିତ ଚୀନ, ପାକିସ୍ତାନ ଓ ସାଙ୍ଘାଇ ସମନ୍ୱୟ ସମିତିର ଅନ୍ୟ ରାଷ୍ଟ୍ର ସାମିଲ ହେବାର କାର୍ଯ୍ୟକ୍ରମ ରହିଛି। ‘କାଭକାଜ ୨୦୨୦’ ନାମରେ ହେବାକୁ ଥିବା ଏହି ସମରାଭ୍ୟାସରେ ବିଭିନ୍ନ ଦେଶର ଜଳ, ସ୍ଥଳ ଓ ଆକାଶ ବାହିନୀ ପକ୍ଷରୁ ବିଭିନ୍ନ ପ୍ରକାର କଳାକୌଶଳ ପ୍ରଦର୍ଶନ କରାଯିବ। ତେବେ ଚୀନ ସହିତ ପୂର୍ବ ଲଦାଖରେ ଲାଗି ରହିଥିବା ସୀମା ଉତ୍ତେଜନାକୁ ଦୃଷ୍ଟିରେ ରଖି ଭାରତ ଏହି ସମରାଭ୍ୟାସରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। ପୂର୍ବ ଲଦାଖର ଏଲଏସିରେ ପ୍ରାୟ ୪ମାସ ଧରି ଭାରତ-ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ରହିଛନ୍ତି। ତେଣୁ ଏଠାକାର ଉତ୍ତେଜନାକୁ ଦୃଷ୍ଟିରେ ରଖି ସମରାଭ୍ୟାସ ଲାଗି ରୁଷ୍‍କୁ ସୈନ୍ୟ ପଠାଇବା ଭାରତ ଉଚିତ ମନେକରି ନାହିଁ। ପ୍ରତିରକ୍ଷା କ୍ଷେତ୍ରରେ ଭାରତ ପାଇଁ ରୁଷ ଏକ ପ୍ରମୁଖ ସହଯୋଗୀ ରାଷ୍ଟ୍ର ହୋଇ ରହିଛି। ଏହି ସହଯୋଗ ଆଗକୁ ବଢିବାରେ ଲାଗିଛି। ପୂର୍ବରୁ ରୁଷ୍‍ କହିଛି ଯେ ଭାରତ-ଚୀନ ସେମାନଙ୍କର ସୀମା ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ଦରକାର। ଦୁଇ ଦେଶ ମଧ୍ୟରେ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ସମ୍ପର୍କ ଆଞ୍ଚଳିକ ସ୍ଥିରତା ପାଇଁ ଜରୁରୀ।

Comments are closed.