କାନ୍ଦାହାର ବାଣିଜ୍ୟ ଦୂତାବାସରୁ ୫୦ କର୍ମଚାରୀଙ୍କୁ ଫେରାଇ ଆଣିଲା ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନରେ ତାଲିବାନ ଆତଙ୍କବାଦୀ ଗୋଷ୍ଠୀ ଗୋଟିଏ ପରେ ଗୋଟିଏ ଅଞ୍ଚଳ ନିଜ ଦଖଲକୁ ନେଇ ଚାଲିଥିବାବେଳେ ଅନେକ ରାଷ୍ଟ୍ର କାବୁଲରେ ଥିବା ସେମାନଙ୍କର ଦୂତାବାସ ବନ୍ଦ କରିଦେଇଛନ୍ତି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର କାନ୍ଦାହାରରେ ଥିବା ନିଜ ବାଣିଜ୍ୟ ଦୂତାବାସରୁ ୫୦ ଜଣ କର୍ମଚାରୀଙ୍କୁ ଏକ ସାମରିକ ବିମାନରେ ନିଜ ଦେଶକୁ ଫେରାଇ ଆଣିଛି। ତେବେ ଏହି ବାଣିଜ୍ୟ ଦୂତାବାସର ଜରୁରୀକାଳୀନ ସେବା ଅବ୍ୟାହତ ରହିବ। ବାଣିଜ୍ୟ ଦୂତାବାସକୁ ସଂପୂର୍ଣ୍ଣ ବନ୍ଦ କରାଯାଇନାହିଁ ଏବଂ ଏହା ସ୍ଥାନୀୟ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବ ବୋଲି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନର କାବୁଲଠାରେ ଦୂତାବାସ ସହିତ କାନ୍ଦାହାର ଏବଂ ମଜରଠାରେ ବାଣିଜ୍ୟ ଦୂତାବାସ ରହିଛି। ଏହି ସବୁ ସ୍ଥାନରେ ଭାରତର ୫୦୦ରୁ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ହେରାତ ଏବଂ ଜଲାଲାବାଦଠାରେ ଥିବା ଦୁଇଟି ବାଣିଜ୍ୟ ଦୂତାବାସକୁ ବନ୍ଦ କରିଦିଆଯାଇଥିଲା।
ବୈଦେଶିକ ବିଭାଗର ଜଣେ ମୁଖପାତ୍ର କହିଛନ୍ତି, କାନ୍ଦାହାର ବାଣିଜ୍ୟ ଦୂତାବାସରେ ଅବସ୍ଥାପିତ ଭାରତୀୟ କର୍ମଚାରୀଙ୍କୁ ଫେରାଇ ଅଣାଯାଇଛି ଏବଂ ନୂଆଦିଲ୍ଲୀ ସେଠାକାର ପରିସ୍ଥିତି ଉପରେ ବରାବର ନଜର ରଖିଛି। ଆଫଗାନିସ୍ତାନରୁ ଆମେରିକା ଇତିମଧ୍ୟରେ ତାହାର ୯୦% ସୈନ୍ୟ ପ୍ରତ୍ୟାହାର କାର୍ଯ୍ୟ ଶେଷ କରିଛି। ଆମେରିକୀୟ ସୈନ୍ୟ ଯିବାପରେ ତାଲିବାନ ନିଜର ଆଧିପତ୍ୟ ବିସ୍ତାର କରିବାରେ ଲାଗିଛି। ଏହା ୮୫% ଅଞ୍ଚଳ ନିଜ ଦଖଲକୁ ନେଇସାରିଥିବା ଦାବି କରିଛି। ସୂଚନାଯୋଗ୍ୟ ଯେ ଆମେରିକା ସେଠାରେ ଅଲ କାଏଦା ଆତଙ୍କବାଦୀଙ୍କୁ ନିପାତ କରିବାକୁ ଦୀର୍ଘ ୨୦ ବର୍ଷ ନିଜ ସୈନ୍ୟମାନଙ୍କୁ ରଖିଥିଲା।

Comments are closed.