ଟି-୨୦ : ଆୟରଲାଣ୍ଡ ବିପକ୍ଷରେ ଭାରତର ସହଜ ବିଜୟ

ଡବ୍‌ଲିନ: ରବିବାର ଏଠାରେ ଘରୋଇ ଆୟରଲାଣ୍ଡ ବିପକ୍ଷରେ ପ୍ରଥମ ଟ୍ବେଣ୍ଟି୨୦ ମ୍ୟାଚ୍‌କୁ ସହଜରେ ଜିତିନେଇଛି ଭାରତ। ବର୍ଷା ବାଧାପ୍ରାପ୍ତ ୧୨ ଓଭରର ମ୍ୟାଚ୍‌ରେ ଭାରତ ୭ ୱିକେଟରେ ଜିତି ୧-୦ରେ ଆଗୁଆ ହୋଇଛି। ହ୍ୟାରି ଟେକ୍ଟରଙ୍କ ଅପରାଜିତ ଅର୍ଦ୍ଧଶତକ ଯୋଗୁଁ ପ୍ରଥମେ ବ୍ୟାଟିଂକରି ୧୨ ଓଭରରେ ଆୟରଲାଣ୍ଡ ୪ ୱିକେଟରେ ୧୦୮ ରନ୍‌ କରିଥିଲା। ପରେ ହାର୍ଦିକ ପାଣ୍ଡ୍ୟା ଓ ଦୀପକ ହୁଡାଙ୍କ ଆକର୍ଷଣୀୟ ଇନିଂସ ବଳରେ ୧୬ଟି ବଲ୍‌ ବାକିଥାଇ ୩ ୱିକେଟ ହରାଇ ଭାରତ ଜିତି ନେଇଥିଲା। ମଙ୍ଗଳବାର ୨ୟ ଟି-୨୦ ଖେଳାଯିବ।
୧୦୯ ରନ୍‌ ଲକ୍ଷ୍ୟରେ ଭାରତୀୟ ଓପ୍‌ନର ଈଶାନ୍ କିଷନ୍ ବିସ୍ଫୋରକ ବ୍ୟାଟିଂକରି ମାତ୍ର ୧୧ ବଲ୍‌ରୁ ୨ଟି ଛକା ଓ ୩ଟି ଚୌକା ସହ ୨୬ ରନ୍‌କରି ଆଉଟ୍‌ ହୋଇଥିଲେ। ସୂର୍ଯ୍ୟକୁମାର ଯାଦବ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ହାର୍ଦିକ ପାଣ୍ଡ୍ୟା ଓ ଦୀପକ ହୁଡା ୩୧ ବଲ୍‌ରୁ ୬୪ ରନ୍‌ ଯୋଡ଼ିଥିଲେ। ହାର୍ଦିକ ୧୨ ବଲ୍‌ରୁ ୩ଟି ଛକା ଓ ଗୋଟିଏ ଚୌକା ସହ ୨୪ ରନ୍‌ କରିଥିଲେ। ପ‌େ‌ର ଦୀପକ ହୁଡା ଓ ଦିନେଶ କାର୍ତ୍ତିକ (୫) ଦଳକୁ ଜିତାଇଥିଲେ। ହୁଡା ୨୯ ବଲ୍‌ରୁ ୨ଟି ଛକା ଓ ୬ଟି ଚୌକା ସହ ୪୭ ରନ୍‌କରି ଅପରାଜିତ ରହିଥିଲେ। କ୍ରେଗ୍ ୟଙ୍ଗ୍‌ ୨ଟି ୱିକେଟ ନେଇଥିଲେ।
ଅଧିନାୟକ ଭାବେ ପଦାର୍ପଣ ମ୍ୟାଚ୍‌ରେ ହାର୍ଦିକ ପାଣ୍ଡ୍ୟା ଟସ୍ ଜିତି ଫିଲ୍‌ଡିଂ ନେଇଥିଲେ। ଏହାପରେ ବର୍ଷା ଆରମ୍ଭ ହୋଇଥିଲା। ବର୍ଷା ଛାଡ଼ିବା ପରେ ଭାରତୀୟ ସମୟ ରାତି ୧୧.୨୦ରେ ୧୨ ଓଭରର ମ୍ୟାଚ୍‌ ଆରମ୍ଭ ହୋଇଥିଲା। ଆୟରଲାଣ୍ଡ ବିପର୍ଯ୍ୟୟ ଭୋଗି ୪ର୍ଥ ଓଭରରେ ମାତ୍ର ୨୨ ରନ୍‌ରେ ୩ଟି ୱିକେଟ ହରାଇଥିଲା। ଅଧିନାୟକ ଆଣ୍ଡି ବାଲ୍‌ବର୍ନି ବିନା ସ୍କୋର୍‌ରେ ଆଉଟ୍‌ ହୋଇଥିଲେ। ଅଭିଜ୍ଞ ପଲ୍‌ ଷ୍ଟର୍ଲିଂ ଗୋଟିଏ ଚୌକା ମାରିବା ପରେ ଆଉଟ୍‌ ହୋଇଥିଲେ। ଗାରେଥ୍ ଡେଲାନି ୮ ରନ୍‌ କରିଲେ। ଏହାପରେ ହ୍ୟାରି ଟେକ୍ଟର ଓ ଲୋର୍କାନ୍ ଟକର ୪ର୍ଥ ୱିକେଟ ପାଇଁ ଆକ୍ରମଣ କରି ୨୯ ବଲ୍‌ରୁ ୫୦ ରନ୍‌ ଯୋଡ଼ିଥିଲେ। ଟକର ୧୬ ବଲ୍‌ରୁ ୨ଟି ଛକା ସହ ୧୮ ରନ୍‌ କରିଥିଲେ। ହ୍ୟାରି ଟେକ୍ଟର ବିସ୍ଫୋରକ ବ୍ୟାଟିଂକରି ୩୩ ବଲ୍‌ରୁ ୩ଟି ଛକା ଓ ୬ଟି ଚୌକା ସହ ୬୪ ରନ୍‌କରି ଅପରାଜିତ ଥିଲେ। ଭୁବନେଶ୍ବର କୁମାର ଓ ୟୁଜବେନ୍ଦ୍ର ଚହଲ ସଫଳତମ ବୋଲର ଥିଲେ। ଉମ୍ରାନ୍ ମାଲିକ୍‌ ପଦାର୍ପଣ କରି ୧ ଓଭରରେ ୧୪ ରନ୍‌ ଦେଇଥିଲେ।

Comments are closed.