ଅଭ୍ୟାସ ମ୍ୟାଚ୍‌ : ଭାରତ ୭ ୱିକେଟରେ ବିଜୟୀ

ଦୁବାଇ : ‌ଚଳିତ ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୧୨ ପର୍ଯ୍ୟାୟ ପୂର୍ବରୁ ଭାରତୀୟ ଦଳ ସୋମବାର ଅଭ୍ୟାସ ମ୍ୟାଚରେ ଇଂଲଣ୍ଡକୁ ୭ ୱିକେଟରେ ପରାସ୍ତ କରିଛି। ୧୯ ଓଭରରେ ଭାରତ ୩ ୱିକେଟ ହରାଇ ୧୯୨ ରନ କରି ସହଜ ବିଜୟ ହାସଲ କରିଛି।  ପୂର୍ବତନ ଚମ୍ପିଆନ୍‌ ଇଂଲଣ୍ଡ, ମ୍ୟାଚ ବିଜୟୀହେବା ଲାଗି ଭାରତ ପାଇଁ ୧୮୯ ରନ୍‌ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। କେଏଲ ରାହୁଲ ୫୧ ଓ ଈଶାନ୍ କିଷନ୍ ୭୦ ରନ କରି ଦଳ ପାଇଁ ବିଜୟ ପଥ ପରିସ୍କାର କରିଥିଲେ।

ଭାରତୀୟ ଓପ୍‌ନିଂ ଯୋଡ଼ି କେ.ଏଲ୍‌. ରାହୁଲ ଓ ଇଶାନ୍ କିଷନ୍‌ ଆରମ୍ଭରୁ ଆକ୍ରମଣ କରିଥିଲେ। ବିଶେଷକରି ରାହୁଲ ବିଧ୍ବଂସୀ ବ୍ୟାଟିଂକରି ଦ୍ରୁତଗତିରେ ସ୍କୋର୍‌ ବଢ଼ାଇଥିଲେ। ୫୦ ବଲ୍‌ରେ ୮୨ ରନ୍‌ର ଓପ୍‌ନିଂ ଭାଗିଦାରୀ ପରେ ରାହୁଲ ଆଉଟ ହୋଇଥିଲେ। ରାହୁଲ ୨୪ ବଲ୍‌ରୁ ୩ଟି ଛକା ଓ ୬ଟି ଚୌକା ସହ ୫୧ ରନ୍‌କରି ଆଉଟ ହୋଇଥିଲେ। ପରେ ଈଶାନ୍ କିଷନ୍ ବିସ୍ଫୋରକ ବ୍ୟାଟିଂ ଜାରି ରଖିଥିବା ବେଳେ ବିରାଟ କୋହଲି ୧୧ ରନ୍‌କରି ଆଉଟ୍‌ ହୋଇଥିଲେ। ଋଷଭ ପନ୍ତ ୨୯ ଓ ପାଣ୍ଡ୍ୟା ୧୨ ରନ କରି ଅପରାଜିତ ଥିଲେ।

ପୂର୍ବରୁ ଜନି ବେୟାରଷ୍ଟୋ ଓ ମୋଇନ୍ ଅଲୀଙ୍କ ଲଢ଼ୁଆ ଇନିଂସ ସହ କିଛି ଉପଯୋଗୀ ଯୋଗଦାନ ବଳରେ ପ୍ରଥମେ ବ୍ୟାଟିଂକରି ଇଂଲଣ୍ଡ ୫ ୱିକେଟରେ ୧୮୮ ରନ୍‌ କରି ପାରିଥିଲା।  ଇଂଲଣ୍ଡ ପ୍ରଥମେ ବ୍ୟାଟିଂ ନେବା ପରେ ଇଂଲଣ୍ଡ ଦ୍ରୁତ ୩୬ ରନ୍‌ର ଓପ୍‌ନିଂ ଭାଗିଦାରୀ କରିଥିଲା। ଅଧିନାୟକ ଜୋସ୍ ବଟ୍‌ଲର ୧୩ ବଲ୍‌ରୁ ୩ଟି ଚୌକା ସହ ୧୮ ରନ୍‌କରି ଆଉଟ ହୋଇଥିଲେ। ପରେ ଅନ୍ୟ ଓପ୍‌ନର ଜେସନ୍ ରୟ ୧୩ ବଲ୍‌ରୁ ୨ଟି ଚୌକା ସହ ୧୭ ରନ୍‌କରି ବିଦାୟ ନେଇଥିଲେ। ବାମହାତି ଡାୱିଡ୍‌ ମାଲାନ୍ ୧୮ ବଲ୍‌ରୁ ୩ଟି ଚୌକା ସହ ୧୮ ରନ୍‌ କରି ପାରିଥିଲେ। ୭୭ ରନ୍‌ରେ ଇଂଲଣ୍ଡର ୩ଟି ୱିକେଟ ପଡ଼ିଯିବା ପରେ ଜନି ବେୟାରଷ୍ଟୋ ଓ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍‌ ଚମତ୍କାର ବ୍ୟାଟିଂ କରିଥିଲେ। ଦୁହେଁ ଦ୍ରୁତ ୫୨ ରନ୍‌ ଯୋଡ଼ିଥିଲେ। ଲିଭିଙ୍ଗ୍‌ଷ୍ଟୋନ୍‌ ଆକର୍ଷଣୀୟ ବ୍ୟାଟିଂକରି ୨୦ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୩୦ ରନ୍‌କରି ଆଉଟ ହୋଇଥିଲେ। ପରେ ବେୟାରଷ୍ଟୋ ଓ ମୋଇନ୍ ଅଲୀ ୫ମ ୱିକେଟ ପାଇଁ ଦ୍ରୁତ ୩୪ ରନ୍‌ ଯୋଡ଼ିଥିଲେ। ବେୟାରଷ୍ଟୋ ଆକ୍ରମଣ କରି ୩୬ ବଲ୍‌ରୁ ଗୋଟିଏ ଛକା ଓ ୪ଟି ଚୌକା ସହ ୪୯ ରନ୍‌ କରିଥିଲେ। ତେବେ ମୋଇନ୍‌ ଅଲୀଙ୍କ ବିଧ୍ବଂସୀ ଇନିଂସ ବଳରେ ଇଂଲଣ୍ଡ ୧୮୮ ରନ୍‌ରେ ପହଞ୍ଚି ପାରିଥିଲା। ଇଂଲଣ୍ଡ ଶେଷ ୪ ଓଭରରୁ ୫୧ ଏବଂ ଶେଷ ଓଭରରୁ ୨୧ ରନ୍‌ ନେଇଥିଲା। ବାମହାତି ମୋଇନ୍ ୨୦ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ୪୩ ରନ୍‌କରି ଅପରାଜିତ ଥିଲେ। ମହମ୍ମଦ ସାମି ୩ଟି ୱିକେଟ ନେଇଥିଲେ।

Comments are closed.