୨ୟ ଟେଷ୍ଟ : ୩୭୨ ରନ୍‌ରେ ବିଜୟ ସହ ଶୃଙ୍ଖଳା ଜିତିଲା ଭାରତ

ମୁମ୍ବଇ : ଆଶା ଅନୁସାରେ ନ୍ୟୁଜିଲାଣ୍ଡ ବିପକ୍ଷ ୨ ଟେଷ୍ଟମ୍ୟାଚ୍‌କୁ ଭାରତ ସହଜରେ ଜିତିନେଇଛି । ଏହାସହ ୨ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାକୁ ଭାରତ ୧-୦ରେ ଜିତିବାରେ ସଫଳ ହୋଇଛି। ୨ୟ ଇନିଂସରେ କଷ୍ଟକର ୫୪୦ ରନ୍‌ର ପିଛା କରୁଥିବା ନ୍ୟୁଜିଲାଣ୍ଡ ସୋମବାର ୪ର୍ଥ ଦିନର ଭୋଜନ ବିରତି ପୂର୍ବରୁ ୧୬୭ ରନ୍‌ରେ ଅଲ୍ଆଉଟ ହୋଇ ଯାଇଥିଲା। ଫଳରେ ଭାରତ ୩୭୨ ରନ୍‌ରେ ୱାଙ୍ଖେଡ଼େ ଟେଷ୍ଟମ୍ୟାଚ୍‌କୁ ଜିତିବାରେ ସଫଳ ହୋଇଛି। ଭାରତୀୟ ଟେଷ୍ଟ ଇତିହାସରେ ରନ୍‌ ବ୍ୟବଧାନ ଅନୁସାରେ ଏହା ଭାରତର ସର୍ବବୃହତ୍ ଟେଷ୍ଟ ବିଜୟ। ପୁଣି ରନ୍‌ ବ୍ୟବଧାନ ଅନୁସାରେ ଏହା ନ୍ୟୁଜିଲାଣ୍ଡର ସର୍ବବୃହତ୍ ଟେଷ୍ଟ ପରାଜୟ। ନ୍ୟୁଜିଲାଣ୍ଡର ଶେଷ ୫ଟି ୱିକେଟ ମଧ୍ୟରୁ ସୋମବାର ଜୟନ୍ତ ଯାଦବ ୪ଟି ୱିକେଟ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ବିନ ଗୋଟିଏ ୱିକେଟ ନେଇଥିଲେ। ୪ର୍ଥ ଦିନରେ ନ୍ୟୁଜିଲାଣ୍ଡ ଆଉ ୨୭ ରନ୍‌ ଯୋଗକରି ଶେଷ ୫ଟି ୱିକେଟ ହରାଇ ପରାସ୍ତ ହୋଇଥିଲା।
ଏହି ବିଜୟ ସହ ଭାରତ ଆଇସିସି ଟେଷ୍ଟ ମାନ୍ୟତାରେ ନ୍ୟୁଜିଲାଣ୍ଡକୁ ହଟାଇ ୧ନଂ ସ୍ଥାନ ଫେରିପାରିଛି। ୩ୟ ଦିନ ଶେଷରେ ନ୍ୟୁଜିଲାଣ୍ଡ ୨ୟ ଇନିଂସରେ ୫ ୱିକେଟ ହରାଇ ୧୪୦ ରନ୍‌ କରିଥିଲା। ୪ର୍ଥ ଦିନରେ ରବିଚନ୍ଦ୍ରନ ଅଶ୍ବିନ ଓ ଜୟନ୍ତ ଯାଦବଙ୍କର ୨୦ ମିନିଟ ଧରି ନ୍ୟୁଜିଲାଣ୍ଡର ଦୁଇ ଅପରାଜିତ ବ୍ୟାଟ୍‌ସମ୍ୟାନ୍ ହେନ୍‌ରି ନିକୋଲ୍‌ସ ଓ ରାଚିନ ରବୀନ୍ଦ୍ର ବ୍ୟାଟିଂ ଜାରି ରଖିଥିଲେ। ଦୁହେଁ ୬ଷ୍ଠ ୱିକେଟ ପାଇଁ ୩୩ ରନ୍‌ ଯୋଡ଼ିଥିଲେ। ଜୀବନର ୨ୟ ଟେଷ୍ଟମ୍ୟାଚ୍‌ ଖେଳିଥିବା ରବୀନ୍ଦ୍ର ୪ଟି ଚୌକା ସହ ୧୮ ରନ୍‌କରି ଆଉଟ ହେବା ସହ ଭାରତ ଜଲ୍‌ଦି ବିଜୟ ହାସଲ କରିଥିଲା। ପରବର୍ତ୍ତୀ ୨୮ ବଲ୍‌ରେ ନ୍ୟୁଜିଲାଣ୍ଡ ଆଉ ୫ ରନ୍‌ ଯୋଗକରି ଶେଷ ୪ଟି ୱିକେଟ ହରାଇଥିଲା। କାଏଲ୍‌ ଜେମିସନ୍‌ ଓ ଟିମ୍ ସାଉଦି ବିନା ସ୍କୋର୍‌ରେ ଏବଂ ୱିଲିୟମ୍ ସମରଭିଲ୍‌ ୧ ରନ୍‌କରି ଆଉଟ ହୋଇଥିଲେ। ଅନ୍ତିମ ବ୍ୟାଟ୍‌ସମ୍ୟାନ୍ ଭାବେ ଆଉଟ ହୋଇଥିବା ବାମହାତି ହେନ୍‌ରି ନିକୋଲ୍‌ସ ୧୧୧ ବଲ୍‌ରୁ ୮ଟି ଚୌକା ସହ ୪୪ ରନ୍‌ କରିଥିଲେ। ଦୁଇ ଅଫ୍‌ସ୍ପିନର ଜୟନ୍ତ ଯାଦବ ଓ ରବିଚନ୍ଦ୍ରନ ଅଶ୍ବିନ ୪ଟି ଲେଖାଏଁ ୱିକେଟ ନେଇଥିଲେ। ମ୍ୟାଚ୍‌ରେ ୧୫୦ ଓ ୬୨ ରନ୍‌ କରିଥିବା ମୟଙ୍କ ଅଗ୍ରୱାଲ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଏବଂ ସିରିଜ୍‌ରେ ମୋଟ ୭୦ ରନ୍‌ କରିବା ସହ ୧୪ଟି ୱିକେଟ ନେଇଥିବା ଅଶ୍ବିନ ପ୍ଲେୟର ଅଫ୍ ଦି ସିରିଜ୍‌ ହୋଇଥିଲେ। ଘରୋଇ ମାଟିରେ ଏହା ଭାରତର କ୍ରମାଗତ ୧୪ଶ ଟେଷ୍ଟ ଶୃଙ୍ଖଳା ବିଜୟ।

ମୁମ୍ବଇ ଟେଷ୍ଟର ମୁଖ୍ୟାଂଶ

-ଘରୋଇ ଟେଷ୍ଟମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ବିନ ୩୦୦ ୱିକେଟ ଦଖଲ କରିଛନ୍ତି। ଘରୋଇମାଟିରେ ଅନୀଲ କୁମ୍ବ​‌େ​‌ଲଙ୍କ ୩୫୦ ଟେଷ୍ଟ ୱିକେଟ ପରେ ଏହା ୨ୟ ସର୍ବାଧିକ। ଅଶ୍ବିନଙ୍କ ପୂର୍ବରୁ ବିଶ୍ବରେ ମାତ୍ର ୫ ଜଣ ବୋଲର ଘରୋଇ ଟେଷ୍ଟରେ ୩୦୦ କିମ୍ବା ଅଧିକ ୱିକେଟ ନେଇଛନ୍ତି।
-ଟେଷ୍ଟମ୍ୟାଚ୍‌ରେ ୯ମ ଥର ପାଇଁ ଆର୍. ଅଶ୍ବିନ୍ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ପୁରସ୍କାର ପାଇଛନ୍ତି। ବିଶ୍ବରେ ଏହା ଯୁଗ୍ମ ସର୍ବାଧିକ। ଦକ୍ଷିଣ ଆଫ୍ରିକାର ଜ୍ୟାକ୍‌ସ କାଲିସ୍‌ ମଧ୍ୟ ୯ ଥର ପ୍ଲେୟର ଅଫ୍ ଦି ସିରିଜ୍ ହୋଇଛନ୍ତି। ଶ୍ରୀଲଙ୍କାର ମୁଥେୟା ମୁରଲୀଧରନ୍ ସର୍ବାଧିକ ୧୧ ଥର ପ୍ଲେୟର ଅଫ୍ ଦି ସିରିଜ୍ ହୋଇଛନ୍ତି।
-ନ୍ୟୁଜିଲାଣ୍ଡ-ଭାରତ ଟେଷ୍ଟ କ୍ରିକେଟ୍‌ରେ ରବିଚନ୍ଦ୍ରନ ଅଶ୍ବିନ୍ ସର୍ବାଧିକ ୬୬ଟି ୱିକେଟ ନେଇଛନ୍ତି। ଉଭୟ ଦେଶଙ୍କ ମଧ୍ୟରେ ଟେଷ୍ଟମ୍ୟାଚ୍‌ରେ ନ୍ୟୁଜିଲାଣ୍ଡର ସାର୍ ରିଚାର୍ଡ ହାଡ୍‌ଲି ୬୫ ୱିକେଟ ନେଇଥିବା ବେଳେ ଅଶ୍ବିନ ତାଙ୍କୁ ଅତିକ୍ରମ କରିଛନ୍ତି।
-୨୦୨୧ରେ ଅଶ୍ବିନ ୫୨ଟି ଟେଷ୍ଟ ୱିକେଟ ନେଇଛନ୍ତି। ଚଳିତବର୍ଷ ୫୦ ଟେଷ୍ଟ ୱିକେଟ ଅତିକ୍ରମ କରିବାରେ ଅଶ୍ବିନ ବିଶ୍ବର ପ୍ରଥମ ବୋଲର।

Comments are closed.