ଚୀନର ଚାଲାକି: ବାଂଲାଦେଶକୁ ମାଗିଲା ଭାକ୍ସିନ ପରୀକ୍ଷଣ ଖର୍ଚ୍ଚ, ଭାରତକୁ କରୋନା ଟିକା ମାଗିଲେ ଶେଖ୍‌ ହସିନା

ଢାକା: ସାରା ବିଶ୍ଵରେ କରୋନା ଭୂତାଣୁ ବ୍ୟାପିବା ପଛରେ ଚୀନର ହାତ ରହିଥିବା ବିଭିନ୍ନ ରାଷ୍ଟ୍ର ଅଭିଯୋଗ କରିଆସୁଛନ୍ତି। ଚାଲାକ୍‌ ଚୀନ କରୋନା ଭୂତାଣୁ ଯୋଗୁ ବହୁ ଦେଶକୁ ମାସ୍କ, ପିପିଇ କିଟ୍‌, ଟିକା ସମେତ ଅନ୍ୟାନ୍ୟ କରୋନା ଉପକରଣ ବିକ୍ରି କରି ନିଜର ଅର୍ଥନୀତିକୁ ଅଧିକ ସୁଦୃଢ଼ କରିବାରେ ସକ୍ଷମ ହୋଇଛି। ଏବେ ଏହି ଦେଶର ଆଉ ଏକ ଚାଲାକି ପଦାରେ ପଡ଼ିଛି। ନିଜ ସହଯୋଗୀ ଦେଶଗୁଡ଼ିକୁ କରୋନା ଟିକା ଯୋଗାଇବା ସମୟରେ ସେମାନଙ୍କୁ ପରୀକ୍ଷଣ ଖର୍ଚ୍ଚ ମାଗୁଛି। ଏହି କାରଣରୁ ବାଂଲାଦେଶ ଚୀନ ଟିକାକୁ ପ୍ରତ୍ୟାଖ୍ୟାନ କରି ଭାରତକୁ କରୋନା ଟିକା ମାଗିଛି।

ଏହା ପରେ ଭାରତ ବାଂଲାଦେଶକୁ ୨୦ ଲକ୍ଷ ଡୋଜ କରୋନା ଟିକା ମାଗଣାରେ ପ୍ରଦାନ କରିଛି। ଏହା ବ୍ୟତୀତ ଚୁକ୍ତି ଅନୁସାରେ ଭାରତ ବାଂଲାଦେଶକୁ ୩ କୋଟି ଟିକା ପଠାଇବ। ଗତ ଡିସେମ୍ବର ୧୭ରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଲୋଚନା ହୋଇଥିଲା। ଭାରତ ସବୁ ପରିସ୍ଥିତିରେ ନିଜର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକୁ ସହଯୋଗ କରିବ ବୋଲି ମୋଦୀ ବାଂଲା ପ୍ରଧାନମନ୍ତ୍ରୀ ହସିନାଙ୍କୁ ପ୍ରତିଶ୍ରୁତି ଦେଇଥିଲେ।

ଢାକାରେ ନିଯୁକ୍ତ ଭାରତର ରାଷ୍ଟ୍ରଦୂତଙ୍କ ସୂଚନା ଅନୁସାରେ, ଗତବର୍ଷ ଅକ୍ଟୋବର ୨୦ରେ ଚୀନ ବାଂଲାଦେଶ ସରକାରଙ୍କ ସହିତ କରୋନା ଟିକା ଯୋଗାଣକୁ ନେଇ ଏକ ଚୁକ୍ତି କରିବାକୁ ଚାହିଁଥିଲା। ଏହି ଚୁକ୍ତିରେ ଗୋଟିଏ ସର୍ତ୍ତ ଥିଲା ଯେ, ଟିକାର କ୍ଲିନିକାଲ ଟ୍ରାଏଲରେ ଯେଉଁ ଖର୍ଚ୍ଚ ହେବ ତାହାର ଭାଗ ବାଂଲାଦେଶକୁ ଦେବାକୁ ପଡ଼ିବ। ବାଂଲାଦେଶ ସରକାର ଏହି ସର୍ତ୍ତ ମାନି ନ ଥିଲେ।

ଏହା ପରେ ଶେଖ ହସିନା ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆର କରୋନା ଟିକା  ଯୋଗାଣ ପାଇଁ ମୋଦୀ ସରକାରଙ୍କ ସହିତ ଚୁକ୍ତି କରିଥିଲେ। ଭାରତରୁ ବାଂଲାଦେଶ ୩ କୋଟି ଟିକା କିଣିବ, ଯେଉଁଥିରୁ ୩ ଲକ୍ଷ ଟିକା ଯୋଗାଣ ହୋଇସାରିଛି। ଏହାବ୍ୟତୀତ ଭାରତ ସରକାର ବାଂଲାଦେଶକୁ ଉପହାର ସ୍ବରୂପ ୨୦ ଲକ୍ଷ ଟିକା ପଠାଇଛନ୍ତି।

Comments are closed.