ଭାରତରେ ଓମିକ୍ରନ ସଂକ୍ରମଣ ବ୍ୟାପିଲେ ଦିନକୁ ୧୪ ଲକ୍ଷ ସଂକ୍ରମିତ ବାହାରି ପାରନ୍ତି-ଡା. ଭି କେ ପଲ୍‍

ନୂଆଦିଲ୍ଲୀ: ବ୍ରିଟେନରେ ଗତ ୨୪ ଘଣ୍ଟା ମଧ୍ୟରେ ୯୩,୦୪୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଠାରେ ସଂକ୍ରମଣ ପରିସ୍ଥିତି କ୍ରମଶଃ ଅଣାୟତ୍ତ ହେବାରେ ଲାଗିଛି । ଏହା ଦେଶରେ ଦୈନିକ ସଂକ୍ରମଣରେ କ୍ରମାଗତ ତୃତୀୟ ଦିନ ପାଇଁ ରେକର୍ଡ ସୃଷ୍ଟି କରିଛି । ଭାରତରେ ଯଦି ବ୍ରିଟେନ ଅନୁରୂପ ପରିସ୍ଥିତି ସୃଷ୍ଟିହୁଏ ତେବେ ଭାରତରେ ଦୈନିକ ୧୪ ଲକ୍ଷ ଓମିକ୍ରନ ପ୍ରକରଣରେ ସଂକ୍ରମିତ ହେବା ଆଶଙ୍କା ରହିଛି ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ କୁହାଯାଇଛି । ଏଥିସହିତ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବ୍ରିଟେନ ଓ ଫ୍ରାନ୍ସରେ ଉଭୟ ଡେଲଟା ଏବଂ ଓମିକ୍ରନ ପ୍ରକରଣରେ ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧିପାଇବାରେ ଲାଗିଛି । ସେଠାରେ ବୟସ୍କ ଲୋକଙ୍କୁ ଶତ ପ୍ରତିଶତ ଟିକାକରଣ କରାଯିବା ସତ୍ୱେ କୋଭିଡ ସଂକ୍ରମଣ ଥମିବାର ନାଁ ନେଉନାହିଁ ।
ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରି ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡା. ଭି କେ ପଲ୍‍ କହିଛନ୍ତି, ଆଫ୍ରିକାରେ ଓମିକ୍ରନ ପ୍ରକରଣ ବ୍ୟାପିବା ନେଇ ଭାରତର ଜନସାଧାରଣ ବିଭିନ୍ନ ଗଣମାଧ୍ୟମ ସୂତ୍ରରୁ ଅବଗତ ଅଛନ୍ତି । କିନ୍ତୁ ୟୁରୋପରେ ପରିସ୍ଥିତି ଅଧିକ ଖରାପ ହେବାରେ ଲାଗିଛି । ସେ ଆଉ ମଧ୍ୟ କହିଛନ୍ତି ଯେ ଏହି ମହାମାରୀ ଦ୍ରୁତ ଗତିରେ ବ୍ୟାପୁଛି । ବିଶେଷକରି ଓମିକ୍ରନ ଏବେ ନିୟନ୍ତ୍ରଣ ବାହାରେ । ଆମକୁ ଏମିତି କିଛି ପଦକ୍ଷେପ ନେବାକୁ ହେବ, ଯଦ୍ଦ୍ୱାରା ୟୁରୋପୀୟ ରାଷ୍ଟ୍ର ଭଳି ପରିସ୍ଥିତି ଏଠାରେ ସୃଷ୍ଟି ହେବନାହିଁ । ତାହାସହିତ ଏଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ମଧ୍ୟ ଆମକୁ ପ୍ରସ୍ତୁତ ରହିବାକୁ ହେବ । ଡା. ପଲ୍‍ କହିଛନ୍ତି, ଭାରତର ଜନସଂଖ୍ୟାକୁ ବିଚାରକୁ ନେଲେ ଏଠାରେ ଓମିକ୍ରନ ପ୍ରକରଣ ବ୍ୟାପିଲେ ଦୈନିକ ପ୍ରାୟ ୧୪ ଲକ୍ଷ ସଂକ୍ରମିତ ବାହାରିବେ । ଏଭଳି ଏକ ପରିସ୍ଥିତି ସୃଷ୍ଟି ହେଲେ ତାହାକୁ ନିୟନ୍ତ୍ରଣ କରିବା ନିଶ୍ଚିତ ଭାବରେ କଷ୍ଟହେବ ଏବଂ ଦେଶର ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତର ଚାପ ସୃଷ୍ଟି ହେବ ।

Comments are closed.