ଡିସେମ୍ବରରେ ଭାରତକୁ ମିଳିବ ୧୦କୋଟି ଆଷ୍ଟ୍ରାଜେନିକା ଟିକା

ନୂଆଦିଲ୍ଲୀ: ଆଗାମୀ ଡିସେମ୍ବର ମାସ ସୁଦ୍ଧା ଭାରତକୁ ୧୦ କୋଟି ଆଷ୍ଟ୍ରାଜେନିକା କରୋନା ଟିକା ମିଳିବ ବୋଲି ସିରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି। ସିରମ ଇନଷ୍ଟିଚ୍ୟୁଟ କରୋନା ଟିକା ଉତ୍ପାଦନ ବୃଦ୍ଧି କରିବା ଲାଗି ତତ୍ପରତା ପ୍ରକାଶ କରିଛି। ବିଶ୍ବର ସର୍ବବୃହତ ଟିକା ପ୍ରସ୍ତୁତକାରୀ ଏହି କମ୍ପାନୀ କହିଛି ଯେ ଆସନ୍ତା ମାସରେ ଭାରତରେ କରୋନା ଟିକାକରଣ କରାଯିବାର ସମ୍ଭାବନା ରହିଛି। ଚୂଡାନ୍ତ ପର୍ଯ୍ୟାୟ ଟିକା ପରୀକ୍ଷାର ଫଳକୁ ଅପେକ୍ଷା କରାଯାଇଛି। ଯଦି ଏହି ଆଷ୍ଟ୍ରାଜେନିକା ଟିକା କରୋନା ଭୂତାଣୁ ସଂକ୍ରମଣକୁ ପ୍ରଭାବଶାଳୀ ଭାବେ ପ୍ରତିରୋଧ କରିପାରୁଥିବ ତେବେ ଏହାର ଉତ୍ପାଦନ ବୃଦ୍ଧି କରାଯିବ।

ସିରମ ଇନଷ୍ଟିଚ୍ୟୁଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଆଦର ପୁନୱାଲା କହିଛନ୍ତି ଯେ ଟିକା ପ୍ରସ୍ତୁତି ଲାଗି ଦିଲ୍ଲୀ ସରକାରଙ୍କ ଠାରୁ ଜରୁରୀ ଭିତ୍ତିରେ ଅନୁମତି ଲୋଡାଯିବ। ଆଷ୍ଟ୍ରାଜେନିକା ସହଯୋଗରେ ସିରମ ଇନଷ୍ଟିଚ୍ୟୁଟ ୧୦୦ କୋଟି ଡୋଜ୍ କରୋନା ଟିକା ପ୍ରସ୍ତୁତ ଲାଗି ବୁଝାମଣା କରିଛି। ବ୍ରିଟେନରେ ପ୍ରସ୍ତୁତ ହେଉଥିବା ଆଷ୍ଟ୍ରାଜେନିକା ଟିକା ଭାରତ ସମେତ ବ୍ରାଜିଲ, ଦକ୍ଷିଣ ଆଫ୍ରିକା ଓ ଆମେରିକାରେ ମାନବ ପରୀକ୍ଷଣ କରାଯାଉଛି। ଆଷ୍ଟ୍ରାଜେନିକା ସହିତ କୋଭୋଭାକ୍ସ ଟିକାକୁ ମଧ୍ୟ ସିରମ ଇନଷ୍ଟିଚ୍ୟୁଟ ଓ ଆଇସିଏମଆର ମିଳିତ ଭାବେ ବିକଶିତ କରୁଛନ୍ତି।

Comments are closed.