ଆଲୁମିନିୟମ ଏୟାର ବ୍ୟାଟେରି ଉତ୍ପାଦନ କରିବ ଭାରତ

ନୂଆଦିଲ୍ଲୀ/ଭୁବନେଶ୍ଵର: ଭାରତରେ ଉତ୍ପାଦିତ ହେବ ଆଲୁମିନିୟମ-ଏୟାର ବ୍ୟାଟେରି। ଏହାସହିତ ଆଲୁମିନିୟମ-ଏୟାର ବ୍ୟାଟେରି ଟେକ୍ନୋଲୋଜିକୁ ବ୍ୟବସାୟୀକରଣ କରାଯିବ। ଏ ଦିଗରେ ପଦକ୍ଷେପ ନେବା ଲାଗି ବୁଧବାର ନୂଆଦିଲ୍ଲୀଠାରେ କେନ୍ଦ୍ରମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନ ଏବଂ ଇସ୍ରାଏଲର ଶକ୍ତି ମନ୍ତ୍ରୀ ୟୁଭାଲ ଷ୍ଟିନଞ୍ଜଙ୍କ ଉପସ୍ଥିତିରେ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଆଇଓସି ଫିନର୍ଜି ପ୍ରାଇଭେଟ ଲିମିଟେଡ (ଆଇଓପି)ର ଉଦଘାଟନ ହୋଇଯାଇଛି। ଏହି ଯୌଥ ଉଦ୍ୟୋଗ ମାଧ୍ୟମରେ ଦେଶରେ ଆଲୁମିନିୟମ ଏୟାର ବ୍ୟାଟେରି ଉତ୍ପାଦନ କରାଯିବା ଏବଂ ବ୍ୟବହାରଯୁକ୍ତ ଆଲୁମିନିୟମର ପୁନଃବ୍ୟବହାର କରିବା ପାଇଁ ଯୋଜନା ରଖାଯାଇଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।

ଉଲ୍ଲେଖନୀୟ ଯେ, ଆଇଓସି ଫିନର୍ଜି ପ୍ରାଇଭେଟ ଲିମିଟେଡ ହେଉଛି ଇଣ୍ଡିଆନ ଅଏଲ ଏବଂ ଇସ୍ରାଏଲର ଫିନର୍ଜି କମ୍ପାନୀର ଯୌଥ ଉଦ୍ୟୋଗ। ଏହି କମ୍ପାନୀ ଭାରତୀୟ ଅଟୋମୋଟିଭ ଉତ୍ପାଦନକାରୀ କମ୍ପାନୀକୁ ଆଲୁମିନିୟମ-ଏୟାର ବ୍ୟାଟେରି ଟେକ୍ନୋଲୋଜି ଯୋଗାଇବ।

ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି, ଅଟୋମୋଟିଭ କ୍ଷେତ୍ରରେ ଆଲୁମିନିୟମ ଏୟାର ଟେକ୍ନୋଲୋଜିର ବ୍ୟବସାୟକୁ ସହଯୋଗ କରିବା ପାଇଁ ଇଣ୍ଡିଆ ଅଏଲ-ଫିନର୍ଜି ପ୍ରାଇଭେଟ ଲିମିଟେଡ୍‌ ସହ ଅଟୋମୋଟିଭ ଉତ୍ପାଦନକାରୀ ମାରୁତି ସୁଜୁକି ଏବଂ ଅଶୋକ ଲେଲ୍ୟାଣ୍ଡ ମଧ୍ୟରେ ଲେଟର ଅଫ ଇଣ୍ଟେଣ୍ଟ ନେଇ ମଧ୍ୟ ଚୁକ୍ତି ହୋଇଛି। ଆତ୍ମନିର୍ଭର ଭାରତ ଦିଗରେ ଏହା ବଡ଼ ଉପଲବ୍ଧି। ଏହି ଟେକ୍ନୋଲୋଜି ପରିବହନ କ୍ଷେତ୍ରରେ ପ୍ରଦୂଷଣ କମାଇବାରେ ସହାୟକ ହେବ।

ଏହି ଯୌଥ ଉଦ୍ୟୋଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ୨୦୧୮ରେ ନୂଆଦିଲ୍ଲୀରେ ହୋଇଥିବା ବୁଝାମଣାପତ୍ର (ଏମଓୟୁ)ର ପ୍ରତିଫଳନ।

Comments are closed.