ଆଗାମୀ ଯୁଦ୍ଧ ସ୍ବଦେଶୀ ଅସ୍ତ୍ରରେ ଲଢ଼ାଯିବ: ଜେନେରାଲ ବିପିନ ରାୱତ

ନୂଆଦିଲ୍ଲୀ:ସୈନ୍ୟ ବାହିନୀରେ ଅଧିକରୁ ଅଧିକ ସ୍ବଦେଶୀ ଜ୍ଞାନକୌଶଳ ଆପଣାଇବା ଉପରେ ସେନାମୁଖ୍ୟ ଜେନେରାଲ ବିପିନ ରାୱତ ଗୁରୁତ୍ବ ଦେଇଛନ୍ତି। ଏପରିକି ଭାରତ ଏହାର ଆଗାମୀ ଯୁଦ୍ଧକୁ ସ୍ବଦେଶୀ ନିର୍ମିତ ଯୁଦ୍ଧାସ୍ତ୍ରରେ ଲଢିବ ଓ ଏଥିରେ ବିଜୟୀ ହେବ। ୪୧ତମ ଡିଆରଡିଓ ନିର୍ଦେଶକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ସେନାମୁଖ୍ୟ କହିଛନ୍ତି ଭବିଷ୍ୟତର ଯୁଦ୍ଧକୁ ଦୃଷ୍ଟିରେ ରଖି ଅସ୍ତ୍ରଶସ୍ତ୍ର ଓ ଅନ୍ୟାନ୍ୟ ବ୍ୟବସ୍ଥାକୁ ଉନ୍ନତ କରାଯିବା ଦରକାର। ବର୍ତ୍ତମାନ ସମୟରେ ସାଇବରସ୍ପେସ୍‌, ସ୍ପେସ୍, ଲେଜର, ଇଲେକଟ୍ରୋନିକ ଯୁଦ୍ଧ ଓ ରୋବଟିକ ଯୁଦ୍ଧ ଉପରେ ବିକାଶ କରାଯିବା ଦରକାର। ଏହା ସହିତ କୃତ୍ରିମ ଗୁଇନ୍ଦା ବ୍ୟବସ୍ଥା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ)ର ବିକାଶ କରାଯିବା ଦରକାର। ବର୍ତ୍ତମାନ ଯଦି ଆମେ ଏ ସବୁ ବିଷୟରେ ଧ୍ୟାନ ନ ଦେବା ତେବେ ଏହା ବହୁତ ବିଳମ୍ବ ହୋଇଯିବ। ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ ପ୍ରତିଷ୍ଠାନ (ଡିଆରଡିଓ)ର କାର୍ଯ୍ୟକୁ ପ୍ରଶଂସା କରି ସେନାମୁଖ୍ୟ କହିଛନ୍ତି ଯେ ପ୍ରତିରକ୍ଷା ଗବେଷଣା ଓ ଉନ୍ନୟନ କ୍ଷେତ୍ରରେ ଭାରତ ଅନେକ ସଫଳତା ହାସଲ କରିଛି। ଏହି ସଫଳତା ଆଗାମୀ ଦିନରେ ଦେଶ ସୈନ୍ୟ ବାହିନୀ ପାଇଁ ଅନେକ ଲାଭଦାୟକ ହେବ। ​‌ବୈଷୟିକ ଦୃଷ୍ଟିରୁ ସେନାକୁ ଅପଡେଟ କରାଯିବା ଜରୁରୀ।
ସେନାମୁଖ୍ୟ କହିଛନ୍ତି ଯେ ଭାରତ ବିଶ୍ବର ସବୁଠାରୁ ବଡ ଅସ୍ତ୍ରଶସ୍ତ୍ର ଆମଦାନୀକାରୀ ରାଷ୍ଟ୍ର। ସ୍ବାଧୀନତାର ୭୦ବର୍ଷ ପରେ ଭାରତ ନିଜର ଆବଶ୍ୟକତା ପୂରଣ ଲାଗି ଅସ୍ତ୍ରଶସ୍ତ୍ର ତିଆରି କରିପାରୁ ନାହିଁ। ଏହା ଅନ୍ୟ ଦେଶ ଉପରେ ନିର୍ଭର କରୁଛି। ଦେଶର ଅସ୍ତ୍ରଶସ୍ତ୍ର ଆବଶ୍ୟକତାକୁ ପୂରଣ କରିବା ଦିଗରେ ଡିଆରଡିଓ ପ୍ରୟାସ ଜାରି ରଖିଛି। ତେଣୁ ବିଶ୍ବାସ ଯେ ଭାରତ ଏହାର ଆଗାମୀ ଯୁଦ୍ଧକୁ ସ୍ବଦେଶୀ ନିର୍ମିତ ଅସ୍ତ୍ରଶସ୍ତ୍ର ଦ୍ବାରା ଲଢିବ ଓ ଏଥିରେ ବିଜୟୀ ହେବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ, ବାୟୁସେନା ମୁଖ୍ୟ ଆରକେ ଭଦୌରିଆ, ନୌସେନା ମୁଖ୍ୟ କରମବୀର ସିଂହ ଓ ଡିଆରଡିଓ ମୁଖ୍ୟ ଜି ସତୀଶ ରେଡ୍ଡି ପ୍ରମୁଖ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ। ସମ୍ମିଳନୀ ଆରମ୍ଭରେ ପ୍ରତିରକ୍ଷା ମନ୍ତ୍ରୀ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ୮୮ତମ ଜୟନ୍ତୀ ଉପଲକ୍ଷେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments
Loading...