ପୁଞ୍ଜି ନିବେଶର ମୁଖ୍ୟ କେନ୍ଦ୍ର ହେବ ଭାରତ – ଅର୍ଥମନ୍ତ୍ରୀ

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଦେଶରେ ଅର୍ଥନୈତିକ ସଂସ୍କାରକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ଆହୁରି ଅଧିକ ପଦକ୍ଷେପ ଗ୍ରହଣ କରିବେ। ସି.ଆଇ.ଆଇ ଦ୍ୱାରା ଆୟୋଜିତ ଏକ ସମ୍ମିଳନୀରେ ଉଦବୋଧନ ଦେଇ ସେ କହିଛନ୍ତି ଭାରତକୁ ପୁଞ୍ଜିନିବେଶର ଏକ ମୁଖ୍ୟ କେନ୍ଦ୍ରରେ ପରିଣତ କରିବା ପାଇଁ ଅର୍ଥନୈତିକ ସଂସ୍କାରକୁ ତ୍ୱରାନ୍ୱିତ କରାଯିବ। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅର୍ଥନୈତିକ ସଂସ୍କାର ଆଣିବା ଦିଗରେ ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରିଆସୁଛନ୍ତି।

ସେ କହିଛନ୍ତି ଶ୍ରୀ ମୋଦୀ ଏଭଳି ଅନେକ ସଂସ୍କାର ଆଣିଛନ୍ତି ଯାହା କେବେ ପୂର୍ବରୁ ହୋଇପାରିନଥିଲା। ଅର୍ଥମନ୍ତ୍ରୀ କହିଛନ୍ତି ଆର୍ଥିକ କ୍ଷେତ୍ରକୁ ଆହୁରି ଅଧିକ ପେଶାଦାର ଭିତ୍ତିକ କରାଯାଉଛି ଓ ସରକାର ପୁଞ୍ଜି ପ୍ରତ୍ୟାହାର ଏବଂ ବେସରକାରୀକରଣ କାର୍ଯ୍ୟସୂଚୀ ଜାରି ରଖିବେ। ଟିକସ କ୍ଷେତ୍ରର ସଂସ୍କାର ବିଷୟରେ ଉଲ୍ଲେଖ କରି ଅର୍ଥମନ୍ତ୍ରୀ କହିଛନ୍ତି ବୈଷୟିକ ଜ୍ଞାନର ବ୍ୟବହାର ଯୋଗୁଁ ଆଜି ଟିକସ ରିଟର୍ଣ୍ଣ ଦାଖଲ ପ୍ରକ୍ରିୟା ସହଜ ହୋଇପାରିଛି। ଉଦ୍ୟୋଗ ଟିକସ ବିଷୟରେ ସେ କହିଛନ୍ତି ଉଦ୍ୟୋଗ ଟିକସ ହ୍ରାସ ଯୋଗୁଁ ବହୁରାଷ୍ଟ୍ରୀୟ କମ୍ପାନୀ, ବଡବଡ କମ୍ପାନୀ ଓ ଛୋଟ କମ୍ପାନୀଗୁଡ଼ିକୁ ସରକାର ସହାୟତା କରିବାକୁ ଇଚ୍ଛୁକ ବୋଲି ପ୍ରମାଣିତ ହୋଇଛି।

Comments are closed.