ଇଡେନ୍‍ ଗାର୍ଡେନ୍‍ସରେ ଭାରତ-ଇଣ୍ଡିଜ୍‍ ପ୍ରଥମ ଟି -୨୦

0

କଲକାତା : ଅତି ସହଜରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଟେଷ୍ଟ ସିରିଜ୍‍ ଜିତିବା ପରେ ଧଳା ବଲ୍‍ କ୍ରିକେଟରେ ଭାରତକୁ କିଛିଟା ଝାଳ ବୁହାଇବାକୁ ପଡ଼ିଥିଲା। ଟେଷ୍ଟ ସିରିଜ୍‍ ପରି ଦିନିକିଆ ସିରିଜ୍‍ ମଧ୍ୟ ଏକତରଫା ହେବ ବୋଲି ଅନେକେ ଭାବିଥିବା ବେଳେ ପ୍ରଥମ ୩ଟି ମ୍ୟାଚରେ  ୱେଷ୍ଟଇଣ୍ଡିଜ୍‍ ଚମତ୍କାର ପ୍ରଦର୍ଶନ କରିଥିଲା। ହେଲେ ଯଶପ୍ରୀତ ବୁମ୍‍ରା ଓ ଭୁବନେଶ୍ୱର କୁମାର ଦଳକୁ ଫେରିବା ପରେ ଭାରତ ଶେଷ ୨ଟି ଦିନିକିଆକୁ ବଡ଼ ବ୍ୟବଧାନରେ ଜିତିବା ସହ ସିରିଜ୍‍କୁ ୩-୧ରେ ଜିତିନେଇଛି।

ରବିବାରଠାରୁ ୱେଷ୍ଟଇଣ୍ଡିଜ୍‍ ଗସ୍ତର ଶେଷ ବା ଟ୍ୱେଣ୍ଟି-୨୦ ସିରିଜ୍‍ ଆରମ୍ଭ ହେଉଛି। ରବିବାର ଇଡେନ୍‍ ଗାର୍ଡେନ୍‍ସରେ ଉଭୟ ଦଳଙ୍କ ମଧ୍ୟରେ ପ୍ରଥମ ଟ୍ୱେଣ୍ଟି-୨୦ ସିରିଜ୍‍ ଆରମ୍ଭ ହେଉଛି। ପ୍ରଥମ ୨ଟି ସିରିଜ୍‍ ପରି ଏହି ସିରିଜରେ ମଧ୍ୟ ଭାରତ ଫେଭରିଟ୍‍ ରହିଛି। ତେବେ ୱେଷ୍ଟଇଣ୍ଡିଜ୍‍ ଦଳରେ ଅଧିନାୟକ କାର୍ଲୋସ ବ୍ରାଥ୍‍ୱେଟ୍‍, ଅଲ୍‍ରାଉଣ୍ଡର ଆନ୍ଦ୍ରେ ରସେଲ, କୈରନ୍‍ ପୱେଲ, ଡ୍ୟାରେନ୍‍ ବ୍ରାଭୋ, ଦିନେଶ ରାମଦିନଙ୍କ ପରି ଟ୍ୱେଣ୍ଟି୨୦ ବିଶେଷଜ୍ଞ ଯୋଗ ଦେଇଥିବାରୁ ଦଳର ଶକ୍ତିବୃଦ୍ଧି ଘଟିଛି ନିଶ୍ଚୟ। ଏଣେ ଅଧିନାୟକ ବିରାଟ କୋହଲି ଏହି ସିରିଜ୍‍ରୁ ବିଶ୍ରାମ ନେଇଥିଲେ ହେଁ ରୋହିତ ଶର୍ମାଙ୍କ ନେତୃତ୍ୱରେ ଭାରତୀୟ ଦଳ ଇଣ୍ଡିଜ୍‍କୁ ପରାସ୍ତ କରିବାରେ ସକ୍ଷମ।
ପୁଣି ବହୁତଦିନ ପରେ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ବିନା ଭାରତ ଏହି ସିରିଜ୍‍ ଖେଳିବାକୁ ଯାଉଛି। ଗତ କିଛିଦିନ ହେଲା ୱେଷ୍ଟଇଣ୍ଡିଜ୍‍ର ଦିନିକିଆ ବିଶେଷଜ୍ଞ ଇଡେନ୍‍ ଗାର୍ଡେନ୍‍ସରେ ଅଭ୍ୟାସ ଚଳାଇଛନ୍ତି। ମୋଟଉପରେ ଦେଖିବାକୁ ଗଲେ ବୋଲିଂ ଅପେକ୍ଷା ବ୍ୟାଟିଂରେ ୱେଷ୍ଟଇଣ୍ଡିଜ୍‍ ଅଧିକ ଶକ୍ତିଶାଳୀ ରହିଛି। ଦିନିିକିଆ ସିରିଜ୍‍ରେ ୱେଷ୍ଟଇଣ୍ଡିଜ୍‍ର ହିରୋ ସିମ୍ରନ୍‍ ହେତ୍‍ମାୟର ଟି୨୦ ସିରିଜର ମଧ୍ୟ ତାଙ୍କ ବ୍ୟାଟିଂ ଫର୍ମ ଜାରି ରଖିବାକୁ ଚାହିଁବେ। ଉପର ଅର୍ଡରରେ ବାମହାତି ଡ୍ୟାରେନ୍‍ ବ୍ରାଭୋ ଏବଂ ମଧ୍ୟକ୍ରମରେ କୈରନ୍‍ ପୋଲାର୍ଡ ଓ ଆନ୍ଦ୍ରେ ରସେଲ ଆକ୍ରମଣାତ୍ମକ ବ୍ୟାଟିଂ କରିପାରନ୍ତି। ତେବେ ମଜ୍‍ଭୁତ ଭାରତୀୟ ବ୍ୟାଟିଂକୁ ରୋକିବା କ୍ଷମତା ୱେଷ୍ଟଇଣ୍ଡିଜ୍‍ର ଥିବା ଭଳି ମନେ ହେଉନାହିଁ। ବିଶେଷକରି ଓପ୍‍ନିଂ ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନ ଏବଂ ୩ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଥିବା କେ.ଏଲ୍‍. ରାହୁଲଙ୍କୁ ରୋକିବା ଇଣ୍ଡିଜ୍‍ ବୋଲରଙ୍କ ପାଇଁ କଷ୍ଟକର ହୋଇପାରେ। ୪ରୁ ୬ଷ୍ଠ ସ୍ଥାନରେ ଖେଳିବେ ମନୀଷ ପାଣ୍ଡେ, ଦିନେଶ କାର୍ତ୍ତିକ ଓ ଋଷଭ ପନ୍ତ୍‍। ମ୍ୟାଚ୍‍ର ପୂର୍ବ ସନ୍ଧ୍ୟାରେ ଭାରତ ୧୨ ଜଣ ଖେଳାଳିଙ୍କ ନାମ ଘୋଷଣା କରି ସାରିଛି। ଉପରୋକ୍ତ ୬ ବ୍ୟାଟ୍‍ସମ୍ୟାନ୍‍ଙ୍କୁ ଛାଡ଼ି ଭୁବନେଶ୍ୱର କୁମାର ଓ ଯଶପ୍ରୀତ ବୁମ୍‍ରା ପେସ୍‍ ଏବଂ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲ ସ୍ପିନ୍‍ ବୋଲିଂ ବିଭାଗ ସମ୍ଭାଳିବେ। ତେବେ ଆଉ ଗୋଟିଏ ସ୍ଥାନ ପାଇଁ ଅଲ୍‍ରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା ଓ ବାମହାତି ପେସ୍‍ ବୋଲର ଖଲିଲ ଅହମ୍ମଦଙ୍କ ମଧ୍ୟରେ ମୁକାବିଲା ହେବ। ଟ୍ୱେଣ୍ଟି-୨୦ରେ ଭାରତ ବିପକ୍ଷରେ ଇଣ୍ଡିଜ୍‍ର ରେକର୍ଡ ବହୁତ ଭଲ। ୨୦୦୯ରୁ ଅଦ୍ୟାବଧି ଉଭୟ ଦଳଙ୍କ ମଧ୍ୟରେ ୮ଟି ଟି-Odi୨୦ ଖେଳା ଯାଇଥିବା ବେଳେ ଇଣ୍ଡିଜ ସପକ୍ଷରେ ୫-୨ ରେକର୍ଡ ରହିଛି। ଇଡେନ୍‍ ପିଚ୍‍ ସମ୍ପୂର୍ଣ୍ଣ ବ୍ୟାଟିଂ ଉପଯୋଗୀ। ଏଥିରେ ୨ ଶହ ରନ୍‍ ହେଲେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ଉଭୟ ଦଳ ରନ୍‍ର ପିଛା କରିବାକୁ ଚାହିଁବେ।

Leave A Reply