ଅଭ୍ୟାସ ମ୍ୟାଚ୍‌ରେ ପୂଜାରା ଓ ରୋହିତଙ୍କ ଅର୍ଦ୍ଧଶତକ

କୁଲିଜ୍ (ଆଣ୍ଟିଗ୍ବା) : ଶନିବାରଠାରୁ ଏଠାରେ ଘରୋଇ ୱେଷ୍ଟଇଣ୍ଡିଜ୍ ‘ଏ’ ବିପକ୍ଷରେ ଭାରତୀୟ କ୍ରିକେଟ ଦଳର ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଆରମ୍ଭ ହୋଇଛି। ଏହି ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରୁଥିବା ​ଳେ ଚେତେଶ୍ବର ପୂଜାରା ଓ ରୋହିତ ଶର୍ମା ଅର୍ଦ୍ଧଶତକ ହାସଲ କରିଛନ୍ତି। ସର୍ବଶେଷ ସମ୍ବାଦ ମିଳିବା ବେଳକୁ ଭାରତ ପ୍ରଥମ ଇନିଂସରେ ୪ ୱିକେଟ ହରାଇ ୨୧୯ ରନ୍ କରିପାରିଛି।
ଗୁରୁବାର ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ୍ ଅନ୍ତର୍ଗତ ଭାରତ ଓ ଘରୋଇ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍ ଖେଳାଯିବ। ଉକ୍ତ ସିରିଜ୍ ପୂର୍ବରୁ ଭାରତ ଏହି ଅଭ୍ୟାସ ମ୍ୟାଚ୍ ଖେଳୁଛି। ଭାରତ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇଥିଲା। ମୟଙ୍କ ଅଗ୍ରୱାଲ ୧୨ ରନ୍‌କରି ପ୍ରଥମେ ଆଉଟ ହୋଇ ଯାଇଥିଲେ। ପରେ ଅନ୍ୟ ଓପ୍‌ନର କେ.ଏଲ୍‌. ରାହୁଲ ଆକର୍ଷଣୀୟ ବ୍ୟାଟିଂକରି ୪୬ ବଲ୍‌ରୁ ଗୋଟିଏ ଛକା ଓ ୫ଟି ଚୌକା ସହ ୩୬ ରନ୍‌କରି ବିଦାୟ ନେଇଥିଲେ। ଏହି ମ୍ୟାଚ୍‌ରେ ଭାରତର ନେତୃତ୍ବ ନେଉଥିବା ଅଜିଙ୍କ୍ୟ ରାହାଣେ ୧ ରନ୍‌କରି ବିଦାୟ ନେଇଥିଲେ। ୫୩ ରନ୍‌ରେ ଭାରତ ୩ଟି ୱିକେଟ ହରାଇବା ପରେ ଚେତେଶ୍ବର ପୂଜାରା ଓ ରୋହିତ ଶର୍ମା ୧୩୨ ରନ୍ ଯୋଗ କରିଥିଲେ। ରୋହିତ ୧୧୫ ବଲ୍‌ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୬୮ ରନ୍‌କରି ଆଉଟ୍‌ ହୋଇଥିଲେ। ପୂଜାରା ଗୋଟିଏ ଛକା ଓ ୭ଟି ଚୌକା ସହ ୬୫ ଏବଂ ହନୁମା ବିହାରୀ ଗୋଟିଏ ଚୌକା ସହ ୯ ରନ୍‌କରି କ୍ରିଜ୍‌ରେ ଅଛନ୍ତି।

Comments are closed.