କୋହଲିଙ୍କ ଶତକ ; ଓ୍ଵେଷ୍ଟଇଣ୍ଡିଜ  ପାଇଁ  ବିଜୟ ଲକ୍ଷ୍ୟ ୩୨୨ ରନ୍

0

ବିଶାଖାପାଟଣା : ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ଏଠାରେ ଚାଲିଥିବା  ଦ୍ଵିତୀୟ ଦିନିକିଆରେ ଅଧିନାୟକ ବିରାଟ କୋହଲିଙ୍କ ଅପରାଜିତ ଶତକ ଓ ଅମ୍ଵତି ରାୟୁଡୁଙ୍କ  ୭୩ ରନ୍  ବଳରେ ଭାରତ ୬ ଓ୍ଵିକେଟ୍ ହରାଇ ୩୨୧ ରନ କରିଛି। ଫଳରେ ଓ୍ଵେଷ୍ଟଇଣ୍ଡିଜ ପାଇଁ ୩୨୨ରନର ବିଜୟ ଲକ୍ଷ୍ୟ ରହିଛି। କୋହଲି  ଏକଦିବସୀୟ କ୍ୟାରିୟରରେ ୩୭ ତମ ଶତକ ଅର୍ଜନ କରିବା ସହିତ ୧୨୯ ବଲରୁ ୧୩ ଚୌକା ଓ ୪ ଛକା ବଳରେ ୧୫୭ ରନ୍ କରିଛନ୍ତି। ଅନ୍ୟପକ୍ଷରେ ଏହି ମ୍ୟାଚରେ ଅଧିନାୟକ କୋହଲି ଦ୍ରୁତତମ ୧୦ ହଜାର ରନ କରି ସଚିନଙ୍କ ବିଶ୍ଵ ରେକର୍ଡ ଭାଙ୍ଗିଛନ୍ତି।

ଟସ୍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଭାରତ ୧୫ ରନରେ ରୋହିତ ଶର୍ମା (୪)ଙ୍କ ଓ୍ଵିକେଟ୍ ହରାଇଥିଲା। ଏହା ପରେ ଶିଖର ଧାଓ୍ଵନ(୨୯) ରନ କରି  ଆଉଟ୍ ହୋଇଥିଲେ। ମାତ୍ର ୪୦ ରନରେ ଭାରତ ଦୁଇ ଓପନରଙ୍କୁ ହରାଇଥିଲା।  ପରେ ଅଧିନାୟକ କୋହଲି ଓ  ଅମ୍ବତି ରାୟୁଡୁ  ଭାରତର ବ୍ୟାଟିଂ ଭାର ସମ୍ଭାଳିଥିଲେ। ଉଭୟ ବ୍ୟାଟସମ୍ୟାନ ତୃତୀୟ ଓ୍ଵିକେଟରେ ୧୩୯ ରନ୍ ଯୋଡିଥିଲେ। କିନ୍ତୁ ଅମ୍ବତି ରାୟୁଡୁ ୭୩ ରନ କରି ଆଉଟ ହୋଇଥିଲେ। ସେ ୮୦ ବଲରୁ ୮ ଚୌକା ଜରିଆରେ ୭୩ ରନ କରିଥିଲେ। ପରେ ଧୋନୀ ବ୍ୟାଟିଂ କରିବାକୁ ଆସିଥିଲେ । ସେ ୨୫ ବଲରୁ ୨୦ ରନ କରି ଆଉଟ ହୋଇଥିଲେ। ପରେ କୋହଲି ଦିନିକିଆ କ୍ୟାରିୟରରେ ୩୭ ତମ ଶତକ ହାସଲ କରିଥିଲେ।

ପରେ ଋଷଭ ପନ୍ତ ୧୩ଟି ବଲରୁ ୨ ଚୌକା ଜରିଆରେ ୧୭ ରନ କରି ଆଉଟ୍ ହୋଇଥିଲେ। ସେହିପରି ରବୀନ୍ଦ୍ର ଜାଡ଼େଜା ମଧ୍ୟ  ୧୭ ରନ କରି ଆଉଟ୍ ହୋଇଥିଲେ। କୋହଲି ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ୧୨୯ ବଲରୁ ୧୫୭ ରନ କରି ଦଳର ସ୍କୋରକୁ ୩୨୧ରେ ପହଞ୍ଚାଇଥିଲେ। ସେ ୧୩ ଚୌକା ଓ ୪ ଛକା ଲଗାଇଥିଲେ। ସୂଚନା ଯୋଗ୍ୟ ଓ୍ଵେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆରେ ମଧ୍ୟ କୋହଲି ଶତକ ହାସଲ କରିଥିଲେ।

Leave A Reply