କ୍ରମାଗତ ୭ମ ସିରିଜ୍‍ ବିଜୟ ଲକ୍ଷ୍ୟରେ ଭାରତ

0

ମୁମ୍ବଇ : ଚଳିତମାସ ୪ରୁ ଘରୋଇ ଭାରତ ବିପକ୍ଷରେ ୨ ମ୍ୟାଚ୍‍ର ଟେଷ୍ଟ ସିରିଜ୍‍ ଖେଳିବ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍‍। ଦୀର୍ଘ ୫ ବର୍ଷ ପରେ ଭାରତ ଗସ୍ତରେ ଆସିଛି ଦିନକୁ ଦିନ ଦୁର୍ବଳ ହୋଇ ଯାଉଥିବା ୱେଷ୍ଟଇଣ୍ଡିଜ୍‍ ଦଳ। ଏହି ସିରିଜ୍‍ର ଫଳାଫଳ କ’ଣ ହେବ; ତା’ର ଭବିଷ୍ୟବାଣୀ କରିବା ଲାଗି କ୍ରିକେଟ ପଣ୍ଡିତଙ୍କୁ ବିଶେଷ ମୁଣ୍ଡ ଖଟାଇବାକୁ ପଡ଼ିନାହିଁ। ସେମାନଙ୍କ କହିବା ଅନୁସାରେ, କିଛି ଚମତ୍କାରିତା ନହେଲେ ବିରାଟ କୋହଲିଙ୍କ ଦଳକୁ ୨-୦ରେ ସିରିଜ୍‍ ପୋଛିବାରୁ କେହି ରୋକିପାରିବେ ନାହିଁ। ତେବେ ଏହି ସିରିଜ୍‍ର ଅବ୍ୟବହିତ ପୂର୍ବରୁ ଆସନ୍ତୁ ନଜର ପକାଇବା ଏହି ଦୁଇ ଦଳଙ୍କ ମଧ୍ୟରେ ଖେଳା ଯାଇଥିବା ଟେଷ୍ଟ ସିରିଜ୍‍ର ଇତିହାସ ଉପରେ।
ବେଶ୍‍ କିଛି ଦଶନ୍ଧି ଧରି କ୍ରିକେଟ ଦୁନିଆରେ ରାଜୁତି କରିଥିବା ୱେଷ୍ଟଇଣ୍ଡିଜ୍‍ ଦଳ ୧୯୪୮-୪୯ରେ ପ୍ରଥମଥର ଭାରତ ଗସ୍ତରେ ଆସିଥିଲା। ଉଭୟ ଦଳଙ୍କ ମଧ୍ୟରେ ଏହା ସର୍ବପ୍ରଥମ ଟେଷ୍ଟ ସିରିଜ୍‍ ଥିଲା। ଲାଲା ଅମରନାଥ ନେତୃତ୍ୱାଧୀନ ଏହି ୫ ମ୍ୟାଚ୍‍ ବିଶିଷ୍ଟ ଏହି ସିରିଜ୍‍କୁ ୱେଷ୍ଟଇଣ୍ଡିଜ୍‍ ୧-୦ରେ ଜିତି ନେଇଥିଲା। ସିରିଜ୍‍ରେ ଭାରତର ବିଜୟ ହଜାରେ ଓ ହେମୁ ଅଧିକାରୀ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଏହିଠାରୁ ଅଦ୍ୟାବଧି ଉଭୟ ଦଳଙ୍କ ମଧ୍ୟରେ ମୋଟ ୨୨ଟି ଟେଷ୍ଟ ସିରିଜ୍‍ ଖେଳାଯାଇଛି। ଏଥିରୁ ୱେଷ୍ଟଇଣ୍ଡିଜ୍‍ ୧୨ଟି ଜିତିଥିବା ବେଳେ ଭାରତ ୮ଟି ଜିତିଛି ଏବଂ ୨ଟି ଡ୍ର ରହିଛି। ତେବେ ଭାରତ ଜିତିଥିବା ୮ଟି ସିରିଜ୍‍ ମଧ୍ୟରେ କ୍ରମାନ୍ୱୟରେ ଗତ ୬ଟି ସିରିଜ୍‍ ରହିଛି। ୨୦୦୨-୨୦୦୩ରୁ ୨୦୧୬-୧୭ ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଭାରତ କ୍ରମାଗତ ୬ଟି ଟେଷ୍ଟ ସିରିଜ୍‍ ଜିତିଛି ଏବଂ ୭ମ ଜିତିବା ଅପେକ୍ଷା ରହିଛି। ମୋଟ ୨୨ଟି ସିରିଜ୍‍ ମଧ୍ୟରୁ ୱେଷ୍ଟଇଣ୍ଡିଜ୍‍ ପ୍ରଥମ ୫ଟି ଟେଷ୍ଟ ସିରିଜ୍‍ ଜିତିଥିଲା। ୧୯୭୦-୭୧ରେ ୱେଷ୍ଟଇଣ୍ଡିଜ୍‍ ଗସ୍ତରେ ଭାରତ ସର୍ବପ୍ରଥମ ଟେଷ୍ଟ ସିରିଜ୍‍ ଜିତିଥିଲା। ସୁନୀଲ ଗାଭାସ୍କରଙ୍କ ଏହି ପ୍ରଥମ ସିରିଜ୍‍ରେ ଦିଲୀପ ସରଦେଶାଇଙ୍କ ଶତକ ଏବଂ ଦୁଇ ଅଫ୍‍ସ୍ପିନର ଏରାପଲ୍ଲି ପ୍ରସନ୍ନା ଓ ଭେଙ୍କଟରାଘବନ୍‍ଙ୍କ ଚମତ୍କାର ବୋଲିଂ ବଳରେ ୨ୟ ଟେଷ୍ଟକୁ ଜିତି ଭାରତ ୧-୦ରେ ସିରିଜ୍‍ ଜିତିଥିଲା। ୨୦୦୨ରେ ନିଜମାଟିରେ ଭାରତ ବିପକ୍ଷରେ ୨-୧ରେ ୱେଷ୍ଟଇଣ୍ଡିଜ୍‍ ଟେଷ୍ଟ ସିରିଜ୍‍ ଜିତି ପାରିଥିଲା। ଏହାପରେ ଇଣ୍ଡିଜ୍‍ କ୍ରମାଗତ ୬ଟି ସିରିଜ୍‍ ହାରିଛି। ଘରୋଇମାଟିରେ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ଭାରତ ୧୧ଟି ଟେଷ୍ଟ ସିରିଜ୍‍ ଖେଳିଛି। ଏଥିରୁ ଭାରତ ୪ଟି ଓ ଇଣ୍ଡିଜ୍‍ ୫ଟି ଜିତିଥିବା ବେଳେ ୨ଟି ଟେଷ୍ଟ ଡ୍ର ରହିଛି। ୱେଷ୍ଟଇଣ୍ଡିଜ୍‍ ମାଟିରେ ଉଭୟ ଦଳଙ୍କ ମଧ୍ୟରେ ୧୧ଟି ଟେଷ୍ଟ ସିରିଜ୍‍ ଖେଳାଯାଇଛି। ଏଥିରୁ ଭାରତ ୪ଟି ଓ ୱେଷ୍ଟଇଣ୍ଡିଜ୍‍ ୭ଟି ଜିତିଛନ୍ତି। ଭାରତ ପାଇଁ ସର୍ବାଧିକ ଦଳଗତ ସ୍କୋର ହେଉଛି ୬୪୪/୭ (ଇନିଂସ ସମାପ୍ତି ଘୋଷଣା; କାନପୁର, ୧୯୭୯)। ୱେଷ୍ଟଇଣ୍ଡିଜ୍‍ ପାଇଁ ସର୍ବାଧିକ ଦଳଗତ ସ୍କୋର ହେଲା ୬୪୪/୮ (ଇନିଂସ ସମାପ୍ତି ଘୋଷଣା; ଦିଲ୍ଲୀ, ୧୯୫୯)। ଭାରତର ସର୍ବନିମ୍ନ ଇନିଂସ ସ୍କୋର ହେଉଛି ୭୫ ରନ୍‍ (ଦିଲ୍ଲୀ, ୧୯୭୫)। ୱେଷ୍ଟଇଣ୍ଡିଜ୍‍ର ସର୍ବନିମ୍ନ ଦଳଗତ ସ୍କୋର୍‍ ହେଉଛି ୧୦୩ ରନ୍‍ (କିଙ୍ଗ୍‍ଷ୍ଟନ, ୨୦୦୬)। ୱେଷ୍ଟଇଣ୍ଡିଜ୍‍ର ସର୍ବାଧିକ ବିଜୟ ବ୍ୟବଧାନ ହେଉଛି ଇନିଂସ ଓ ୩୩୬ ରନ୍‍ (କଲକାତା, ୧୯୫୮)। ଭାରତର ସର୍ବାଧିକ ବିଜୟ ବ୍ୟବଧାନ ହେଉଛି ଇନିଂସ ଓ ୧୨୬ ରନ୍‍ (ମୁମ୍ବଇ, ୨୦୧୩)। ୱେଷ୍ଟଇଣ୍ଡିଜ୍‍ ବିପକ୍ଷ ଟେଷ୍ଟ ମ୍ୟାଚ୍‍ରେ ଭାରତର ସଫଳତମ ବ୍ୟାଟ୍‍ସମ୍ୟାନ୍‍ ହେଲେ ଓପ୍‍ନର ସୁନୀଲ ଗାଭାସ୍କର। ଏହି ମହାରଥୀ ୨୭ଟି ଟେଷ୍ଟରୁ ୧୩ଟି ଶତକ ଓ ୭ଟି ଅର୍ଦ୍ଧଶତକ ସହ ୨୭୪୯ ରନ୍‍ କରିଛନ୍ତି। ଭାରତ ବିପକ୍ଷରେ ଇଣ୍ଡିଜ୍‍ର ସଫଳତମ ବ୍ୟାଟ୍‍ସମ୍ୟାନ୍‍ ହେଲେ କ୍ଲାଇବ୍‍ ଲଏଡ୍‍। ଏହି ବାମହାତି ୨୮ଟି ଟେଷ୍ଟରୁ ୭ଟି ଶତକ ଓ ୧୨ଟି ଅର୍ଦ୍ଧଶତକ ସହ ୨୩୪୪ ରନ୍‍ କରିଛନ୍ତି। ଉଭୟ ଦେଶଙ୍କ ମଧ୍ୟରେ ଟେଷ୍ଟମ୍ୟାଚ୍‍ରେ ଇଣ୍ଡିଜ୍‍ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର୍‍ କରିଛନ୍ତି ରୋହଣ କହ୍ନାଇ। ଏହି ଷ୍ଟାଇଲିସ୍‍ ବ୍ୟାଟ୍‍ସମ୍ୟାନ୍‍ ୧୯୫୮ କଲକାତା ଟେଷ୍ଟରେ ୨୫୬ ରନ୍‍ କରିଥିଲେ। ଭାରତ ପାଇଁ ସୁନୀଲ ଗାଭାସ୍କର ୧୯୮୩ରେ ଚେନ୍ନଇ ଟେଷ୍ଟରେ ଅପରାଜିତ ୨୩୬ ରନ୍‍ କରିଥିଲେ। ଭାରତ ପାଇଁ ସର୍ବାଧିକ ୮୯ଟି (୨୫ ଟେଷ୍ଟରୁ) ୱିକେଟ ନେଇଛନ୍ତି କପିଳ ଦେବ। ଇଣ୍ଡିଜ୍‍ ପାଇଁ ମାତ୍ର ୧୭ ଟେଷ୍ଟରୁ ମାଲ୍‍କମ ମାର୍ଶାଲ ୭୬ଟି ୱିକେଟ ନେଇଛନ୍ତି। ଭାରତ ପାଇଁ ଏକ ଇନିଂସରେ ଶ୍ରେଷ୍ଠ ବୋଲିଂ ହେଉଛି କପିଳଦେବଙ୍କର (୯/୮୩, ଅହମ୍ମଦାବାଦ, ୧୯୮୩)। ଇଣ୍ଡିଜ୍‍ ପାଇଁ ଶ୍ରେଷ୍ଠ ବୋଲିଂ ଫିଗର ହେଉଛି ଅଫ୍‍ସ୍ପିନର ଜ୍ୟାକ୍‍ ନରିଗାଙ୍କ (୯/୯୫, ପୋର୍ଟ ଅଫ୍‍ ସ୍ପେନ୍‍, ୧୯୭୫)। ଆର୍‍. ଅଶ୍ୱିନ ତାଙ୍କର ୪ଟିଯାକ ଟେଷ୍ଟ ଶତକ ୱେଷ୍ଟଇଣ୍ଡିଜ୍‍ ବିପକ୍ଷରେ ସ୍କୋର୍‍ କରିଛନ୍ତି। ପୁଣି ବର୍ତ୍ତମାନର ବୋଲରଙ୍କ ମଧ୍ୟରେ ଅଶ୍ୱିନ ହିଁ ଇଣ୍ଡିଜ୍‍ ବିପକ୍ଷରେ ସର୍ବାଧିକ ୫୧ଟି ୱିକେଟ ନେଇଛନ୍ତି।

Leave A Reply