ଭାରତ ବିଶ୍ଵଗୁରୁ ଥିଲା, ଅଛି ଓ ରହିବ – କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଡକ୍ଟର ରମେଶ ପୋଖରିଆଲ ନିଶଙ୍କ ସୋମବାର ଅପରାହ୍ନରେ ରାଉରକେଲା ସ୍ଥିତ ଜାତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ (ଏନଆଇଟି)ର ସ୍ବର୍ଣ୍ଣ ଜୟନ୍ତୀ ଭବନର ଉଦଘାଟନ କରିଛନ୍ତି। ରାଉରକେଲା ଏନଆଇଟି ପରିସର ମଧ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗ ଦେଇ ଏହି ଗୋଲଡେନ ଜୁବୁଲି ଭବନର ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ନିଶଙ୍କ କହିଛନ୍ତି ଯେ, ସ୍ବର୍ଣ୍ଣ ଜୟନ୍ତୀ ଭବନରେ କେନ୍ଦ୍ରୀୟ ପାଠାଗାର, ପ୍ରୟୋଗଶାଳା, ଉତ୍କୃଷ୍ଟତା କେନ୍ଦ୍ର, ସିନେଟ ଏବଂ ପ୍ରଶାସନିକ କାର୍ଯ୍ୟାଳୟ ରହିଥିବା ଆମ ଭିତରେ ଆଗକୁ ବଢିବାର ଇଛା ଓ ଆକାଂକ୍ଷାକୁ ଦର୍ଶାଉଛି ଯାହା ଦୃଢତାର ସହ ଶିକ୍ଷା ବ୍ୟବସ୍ଥାକୁ ଅଧିକ ଗ୍ରହଣୀୟ କରିବାରେ ସାହାଯ୍ୟ କରିବ।
ଶିକ୍ଷାର ମହତ୍ୱ ସମ୍ପର୍କରେ ଶ୍ରୀ ନିଶଙ୍କ କହିଛନ୍ତି ଯେ ଅନୁସନ୍ଦିତ୍ସୁ ମନୋଭାବ ସବୁବେଳେ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଲକ୍ଷ୍ୟସ୍ଥଳରେ ପହଂଚିବାରେ ଖୋରାକ ଯୋଗାଇଥାଏ। ପିଲାବେଳେ ଘରକୁ ଘର ବୁଲି ଖବରକାଗଜ ପକାଉଥିବା ପିଲାଟି ଦିନେ ଭବିଷ୍ୟତରେ ଶ୍ରେଷ୍ଠ ବୈଜ୍ଞାନିକଟିଏ ହୋଇଯାଏ, ସେହି ପିଲାଟି ପୁଣି ଭାରତ ଭଳି ବୃହତ ଗଣତନ୍ତ୍ରର ପ୍ରଥମ ନାଗରିକ ଅର୍ଥାତ ଦେଶର ରାଷ୍ଟ୍ରପତି ମଧ୍ୟ ହୁଏ ଓ ସେହି ପିଲାଟି ଦିନେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୁଏ ବୋଲି ଶ୍ରୀ ନିଶଙ୍କ କହିଛନ୍ତି।
ସେ କହିଛନ୍ତି ଯେ ଏବେ ପରିବେଶ ଆମ ପାଇଁ ଏକ ଚିନ୍ତାର ବିଷୟ ଭାବେ ଉଭା ହୋଇଛି ଏବଂ ଏନଆଇଟି ରାଉରକେଲା ପକ୍ଷରୁ ଏ ନେଇ ହେଉଥିବା ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଦେଶରେ ଥିବା ଏନଆଇଟି ଗୁଡିକ ଉଚ୍ଚ ମନର ଯାନ୍ତ୍ରିକ ଶିକ୍ଷା ଦେବା ଆବଶ୍ୟକ ଯାହା ବିଜ୍ଞାନ ଶିକ୍ଷା ସହ ଦେଶର ମୁଳୁଦୁଆକୁ ଆହୁରି ଦୃଢ କରିପାରିବ। ବିଶ୍ୱର ଶିଖରରେ ପହଂଚିବା ପାଇଁ ଆମକୁ ରାସ୍ତା ବାହାର କରିବାକୁ ପଡିବ ଓ ଶୀଘ୍ର ସେହି ରାସ୍ତାକୁ ଅତିକ୍ରମ କରି ବିଶ୍ୱରେ ଦେଖା ଦେଉଥିବା ସମସ୍ୟାଗୁଡ଼ିକର ମୁକାବିଲା ନିମନ୍ତେ ଛାତ୍ରଛାତ୍ରୀମାନଙ୍କୁ ଜଣେ ଜଣେ ଯୋଦ୍ଧା ଭାବରେ ବିଶ୍ୱ ଆଗରେ ଉପସ୍ଥାପିତ କରିବାର ସମୟ ଆସିଛି ବୋଲି ସେ କହିଛନ୍ତି।
ନିଶଙ୍କ କହିଛନ୍ତି ଯେ କୌଣସି ଶୈକ୍ଷିକ ପ୍ରତିଷ୍ଠାନର ମୂଲ୍ୟାୟନ କେବଳ ତାର ଛାତ୍ରଛାତ୍ରୀମାନଙ୍କ ସଫଳତା ଉପରେ ନିର୍ଭର କରିଥାଏ। ସେ କହିଛନ୍ତି ଯେ ଯେତେବେଳେ ଦେଶରେ ଥିବା ଆଇଆଇଟି, ଏନଆଇଟି, ଆଇଜର ଭଳି ପ୍ରତିଷ୍ଠାନରୁ ଶିକ୍ଷା ଲାଭ କରିଥିବା ଛାତ୍ରଛାତ୍ରୀଙ୍କ ସଫଳତା କଥା ବିଚାର କରାଯାଏ, ସେତେବେଳେ ଗୋଟିଏ କଥା ମନକୁ ଆସେ ଯେ ଯେଉଁ ଭାରତ ଦିନେ ବିଶ୍ଵଗୁରୁ ଥିଲା, ଯେଉଁ ଦେଶରେ ନାଳନ୍ଦା, ବିକ୍ରମଶୀଳା ଓ ତକ୍ଷଶିଳା ଭଳି ବିଶ୍ୱବିଦ୍ୟାଳୟ ଥିଲା ଓ ଯେଉଁ ଭାରତ ଯାନ୍ତ୍ରିକ, ଜ୍ଞାନ, ବିଜ୍ଞାନ, ଅନୁସନ୍ଧାନ ଓ ପ୍ରଦ୍ୟୋଗିକି କ୍ଷେତ୍ରରେ ବିଶ୍ୱ ନେତୃତ୍ୱ ନେବାରେ କେବେ ପଛଘୁଞ୍ଚା ଦେଇନାହିଁ, ସେହି ଭାରତ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ଭାରତ ପଥରେ ଅଗ୍ରସର ହେଉଛି। ସେ କହିଛନ୍ତି, ନୂଆ ଭାରତ ସ୍ୱଚ୍ଛ, ଶ୍ରେଷ୍ଠ, ସଶକ୍ତ, ସମୃଦ୍ଧ, ଆତ୍ମନିର୍ଭର ଓ ଏକ ଭାରତ ହେବାକୁ ଯାଉଛି।
ଶ୍ରୀ ନିଶଙ୍କ କହିଛନ୍ତି ଯେ ଆମ ପାଖରେ କ୍ଷମତା ଅଛି, ପ୍ରତିଭା ଅଛି, ଦୁରଦୃଷ୍ଟି ଅଛି ଓ ଗବେଷଣା ଏବଂ ଅନୁସନ୍ଧାନ କ୍ଷେତ୍ରରେ ବିକାଶ ପାଇଁ ଦେଶର ଶୀର୍ଷ ସଂସ୍ଥାଗୁଡ଼ିକ ନେଉଥିବା ପଦକ୍ଷେପ ଯୋଗୁ ପୂର୍ବଭଳି ଛାତ୍ରଛାତ୍ରୀମାନେ ଆଉ ବିଦେଶକୁ ଶିକ୍ଷା ଗ୍ରହଣ ପାଇଁ ଯିବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ସେ କହିଛନ୍ତି ଯେ ଆମ ବିଚାର ଏବେ ମଧ୍ୟ ସାରା ବିଶ୍ୱ ପାଇଁ ଉଦାହରଣ ସୃଷ୍ଟି କରିଛି। ଯେ ପର୍ଯ୍ୟନ୍ତ ପୃଥିବୀରେ ଜଣେ ବି କେହି ଦୁଃଖରେ ଅଛି ଆମେ କେମିତି ସୁଖରେ ରହିପାରିବା। ଏହା ଆମ ଶିକ୍ଷାର ମୂଳ ଆଧାର ହେବା ଆବଶ୍ୟକ ଓ ଅଧ୍ୟାପକ, ଛାତ୍ର ଓ ଶୈକ୍ଷିକ ପ୍ରତିଷ୍ଠାନଗୁଡିକ ଏ ଦିଗରେ ବ୍ରତୀ ହେବା ଆବଶ୍ୟକ ବୋଲି ସେ କହିଛନ୍ତି।