ଆଜି ୨ୟ ଦିନିକିଆ: ସିରିଜ୍ ବଞ୍ଚାଇବା ଲକ୍ଷ୍ୟରେ ବିରାଟ ବାହିନୀ

ବିଶାଖାପାଟଣା: ରବିବାର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଭାରତକୁ ସହଜରେ ପରାସ୍ତକରି ସମସ୍ତଙ୍କୁ ଚକିତ କରିଦେଇଛି ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍। ଏବେ ସିରିଜ୍ ପରାଜୟରୁ ବଞ୍ଚିବାକୁ ହେଲେ ଭାରତକୁ ବୁଧବାର ବିଶାଖାପାଟଣା ଖେଳାଯିବାକୁ ଥିବା ୨ୟ ଦିନିକିଆ ମ୍ୟାଚ୍‌କୁ ନିଶ୍ଚୟ ଜିତିବାକୁ ପଡ଼ିବ। ତେଣୁ ଭାରତୀୟ ଦଳ ଏହି ଚାପରେ ନିଶ୍ଚୟ ରହିବ। ୧୫ ବର୍ଷ ହେଲା ଭାରତ ଘରୋଇ ମାଟିରେ କ୍ରମାଗତ ୨ଟି ଦିନିକିଆ ସିରିଜ୍ ହାରିନାହିଁ। ପୁଣି ଭାରତ କଦାପି ନିଜମାଟିରେ କ୍ରମାଗତ ୫ଟି ଦିନିକିଆ ମ୍ୟାଚ୍ ହାରିନାହିଁ। ତେବେ ଯଦି ବୁଧବାର ୨ୟ ଦିିନିକିଆକୁ ଜିତିନିଏ; ଉପରୋକ୍ତ ୨ଟିଯାକ ଆଶଙ୍କା ସତରେ ପରିଣତ ହୋଇଯିବ। ସୂଚନାଯୋଗ୍ୟ; ମାର୍ଚ୍ଚରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ୩ଟି ଦିନିକିଆ ମ୍ୟାଚ୍ ହାରି ଭାରତ ୨-୩ରେ ସିରିଜ୍ ହାରିଥିଲା। ପ୍ରଥମ ଦିନିକିଆରେ ଭାରତର ଉପର ଅର୍ଡର ବିଫଳ ହୋଇଥିଲା ସତ; ବୋଲରଙ୍କ ପ୍ରଦର୍ଶନ ଦଳକୁ ନିଶ୍ଚୟ ନିରାଶ କରିଥିବ। ଚେନ୍ନଇର ଧିମା ପିଚ୍‌ରେ ୨୮୭ ରନ୍ ଖରାପ ସ୍କୋର୍ ନଥିଲା। ଓପ୍‌ନର ସାଇ ହୋପ୍ ଗୋଟିଏ ପଟେ ଜଗିରଖି ଖେଳିଥିବା ବେଳେ ଅନ୍ୟପଟେ ସିମ୍ରନ୍ ହେତ୍‌ମେୟର ଆକ୍ରମଣ କରିଥିଲେ। ତେଣୁ ବୁଧବାର ୨ୟ ଦିନିକିଆ ମ୍ୟାଚ୍ ଜିତିବାକୁ ହେଲେ ଭାରତକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଉନ୍ନତି କରିବାକୁ ପଡ଼ିବ। ଭାରତ ଏହି ମ୍ୟାଚ୍ ଜିତି କଟକର ବାରବାଟୀ ଷ୍ଟାଡିୟମ୍‌ରେ ନିର୍ଣ୍ଣାୟକ ଲଢ଼େଇ ଲଢ଼ିବାକୁ ପ୍ରସ୍ତୁତ ରହିଛି।

ଚେନ୍ନଇର ପରାଜୟରୁ ଗୋଟିଏ କଥା ସ୍ପଷ୍ଟ ହୋଇଯାଇଛି ଯେ ମ୍ୟାଚ୍ ଜିତିବାକୁ ହେଲେ ଭାରତର ପ୍ରଥମ ୩ ବ୍ୟାଟ୍‌ସମ୍ୟାନ୍- ରୋହିତ ଶର୍ମା, କେ.ଏଲ୍‌. ରାହୁଲ ଓ ଅଧିନାୟକ ବିରାଟ କୋହଲିଙ୍କୁ ରନ୍ ସ୍କୋର୍ କରିବାକୁ ପଡ଼ିବ। ନିକଟ ଅତୀତରେ ଦଳର ପ୍ରଥମ ୩ ବ୍ୟାଟ୍‌ସମ୍ୟାନ୍ ଗୋଟିଏ ମ୍ୟାଚ୍‌ରେ ବିଫଳହେବା ବହୁତ କ୍ବଚିତ ଦେଖା ଯାଇଥାଏ। ଗତ ବିଶ୍ବକପ୍ ସେମିଫାଇନାଲରେ ଏହା ଘଟିଥିଲା ଏବଂ ଭାରତ ପରାସ୍ତହୋଇ ବିଦାୟ ନେଇଥିଲା। ୱେଷ୍ଟଇଣ୍ଡିଜ୍ ବିପକ୍ଷ ନିର୍ଣ୍ଣାୟକ ୩ୟ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ରୋହିତ, ରାହୁଲ ଓ କୋହଲି ଅର୍ଦ୍ଧଶତକ ମାରିବାରୁ ଭାରତ ବିଜୟୀହୋଇ ସିରିଜ୍ ଜିତିଥିଲା। ତେଣୁ ସିରିଜ୍ ବଞ୍ଚାଇବାକୁ ହେଲେ ଉପରୋକ୍ତ ୩ ବ୍ୟାଟ୍‌ସମ୍ୟାନଙ୍କୁ ବଡ଼ ସ୍କୋର୍ କରିବାକୁ ପଡ଼ିବ। ଭାରତ ପାଇଁ ଏହା ଉତ୍ସାହପ୍ରଦ ଯେ ମଧ୍ୟକ୍ରମରେ ଦୁଇ ବ୍ୟାଟ୍‌ସମ୍ୟାନ୍ ଶ୍ରେୟାସ ଆୟର ଓ ଋଷଭ ପନ୍ତ୍ ଦାୟିତ୍ବର ସହ ଖେଳିଥିଲେ ଏବଂ ଉଭୟେ ୭୦ରୁ ଅଧିକ ରନ୍ ସ୍କୋର୍ କରିଥିଲେ। ଅବଶ୍ୟ ଦୁହେଁ ଅଳ୍ପ ବ୍ୟବଧାନରେ ଆଉଟ ହୋଇଯିବାରୁ ଭାରତ ୨୦/୩୦ ରନ୍ କମ୍ ସ୍କୋର୍ କରିଥିଲା। ୫ମ ବୋଲର ଭାବେ ଭାରତ ଶିବମ୍ ଦୁବେଙ୍କୁ ଖେଳାଇବା ଏହା ପାଇଁ ମହଙ୍ଗା ପଡ଼ିଥିଲା ଏବଂ ଦୁବେ ଓଭର୍ ପିଛା ୮.୬୮ ରନ୍ ବ୍ୟୟ କରିଥିଲେ। ତେଣୁ ଦୁବେ କିମ୍ବା ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ ଭାରତ ଲେଗ୍‌ସ୍ପିନର ୟୁଜବେନ୍ଦ୍ର ଚହଲଙ୍କୁ ଖେଳାଇପାରେ। କେଦାର ଯାଦବ ଭଲ ବ୍ୟାଟିଂକରି ୪୦ ରନ୍ କରିଥିବାରୁ ସେ ସ୍ଥାନ ବଜାୟ ରଖିପାରନ୍ତି। ଭାରତ ପାଇଁ ଏହା ଆଉ ଏକ ଚିନ୍ତାର ବିଷୟ ଯେ ଭାରତୀୟ ସ୍ପିନର ୱିକେଟ ପାଇନଥିଲେ।

ବିଶାଖାପାଟଣାର ପିଚ୍‌ ବ୍ୟାଟିଂ ପାଇଁ ଅଧିକ ସହାୟକ ହୋଇପାରେ। ତେଣୁ ଏହି ପିଚ୍‌ରେ ୩ ଶହରୁ ଅଧିକ ରନ୍ ହୋଇପାରେ। ପାଗ ଶୁଖିଲା ରହିବ ଏବଂ ସନ୍ଧ୍ୟାରେ କାକର ପଡ଼ିବ। ତେଣୁ ଉଭୟ ଦଳ ଟସ୍ ଜିତି ଫିଲ୍‌ଡିଂର ନିଷ୍ପତ୍ତି ନେଇପାରନ୍ତି। ତା’ର ବ୍ୟାଟିଂ ଶକ୍ତି ଉପରେ ଭରସା ଥିବାରୁ ୱେଷ୍ଟଇଣ୍ଡିଜ୍ ପୁଣିଥରେ ରନ୍‌ର ପିଛା କରିବାକୁ ଚାହିଁବ। କାରଣ ଏଠାରେ ୬ଟି ଦିନିକିଆରୁ ରନ୍‌ର ପିଛା କରିଥିବା ଦଳ ୫ଟି ମ୍ୟାଚ୍ ଜିତିଛନ୍ତି। ଯଦି ଏଭିନ୍ ଲୁଇସ୍ ଫିଟ୍‌ ହୋଇଥିବେ; ତେବେ ସେ ସାଇ ହୋପ୍‌ଙ୍କ ସହ ଇନିଂସ ଓପନ୍ କରିବେ। ଅନ୍ୟଥା ସୁନୀଲ ଆମ୍ବ୍ରିସ୍ ଆଉ ଏକ ସୁଯୋଗ ପାଇପାରନ୍ତି। ଗତବର୍ଷ ଏହି ଷ୍ଟାଡିୟମ୍‌ରେ ଭାରତ-ୱେଷ୍ଟଇଣ୍ଡିଜ୍ ଦିନିକିଆ ମ୍ୟାଚ୍ ଖେଳା ଯାଇଥିଲା; ଯାହା ଟାଇ ରହିଥିଲା। ଶେଷ ବଲ୍‌​‌ରୁ ​‌େ​‌ୱଷ୍ଟଇଣ୍ଡିଜ୍ ଜିତିବା ପାଇଁ ୫ ରନ୍ ଆବଶ୍ୟକ କରୁଥିବା ବେଳେ ସାଇ ହୋପ୍ ଚୌକା ମାରିଥିଲେ। ଏହି ଗ୍ରାଉଣ୍ଡରେ ବିରାଟ କୋହଲିଙ୍କ ଆଭ୍‌ରେଜ୍ ୧୪୬ ରନ୍।

Comments are closed.