ଆଉ କିଛି ସମୟ ପରେ ଆରମ୍ଭ ହେବ ଭାରତ-ଶ୍ରୀଲଙ୍କା ଦ୍ବିତୀୟ ଟ୍ବେଣ୍ଟି

ଇନ୍ଦୋର : ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିଟିକିଆ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଆଉ କିଛି ସମୟ ପରେ ଅର୍ଥାତ ୭ଟାରେ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଗୌହାଟୀରେ ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯିବା ପରେ ଆଜିର ଇନ୍ଦୋର ମ୍ୟାଚରେ ବିଜୟ ସହ ୨୦୨୦ ବର୍ଷ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ। ଅନ୍ୟପକ୍ଷରେ ଲାସିଥ ମାଲିଙ୍ଗାଙ୍କ ନେତୃତ୍ବରେ ଶ୍ରୀଲଙ୍କା ଦଳ ଏହି ମ୍ୟାଚରେ ବିଜୟୀ ହେବାପାଇଁ ପ୍ରୟାସ କରିବ। କାରଣ ପ୍ରଥମ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯିବା କାରଣରୁ ଏହି ମ୍ୟାଚକୁ ହାତେଇବା ଉଭୟ ଦଳ ପାଇଁ ନିହାତି ଆବଶ୍ୟକ।
ସବୁଠାରୁ ବଡ଼ କଥା ହେଉଛି ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ଏପର୍ଯ୍ୟନ୍ତ ପରାଜୟ ବରଣ କରିନାହିଁ। ହୋଲକର ଷ୍ଟାଡିୟମରେ ୨୦୦୬ରୁ ଏପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୨ଟି ଟେଷ୍ଟ, ଗୋଟିଏ ଟି-୨୦ ଏବଂ ୫ଟି ଦିନିକିଆ ମ୍ୟାଚ୍ ଆୟୋଜିତ ହୋଇଛି। ତିନୋଟି ଯାକ ଫର୍ମାଟରେ ସମସ୍ତ ୮ଟି ଯାକ ମ୍ୟାଚରେ ଭାରତ ପ୍ରତିପକ୍ଷ ଦଳ ଉପରେ ବିଜୟ ହାସଲ କରିଛି। ତେବେ ଏହି ଷ୍ଟାଡିୟମରେ ଭାରତର ରେକର୍ଡକୁ ଦେଖିଲେ ଏହି ମ୍ୟାଚକୁ ଭାରତ ଜିତିବାର ଅଧିକ ସମ୍ଭାବନା ରହିଛି।

Comments are closed.