ଆସନ୍ତାକାଲି ଦ୍ବିତୀୟ ଟି-୨୦, ବର୍ଷ ଆରମ୍ଭରୁ ବିଜୟ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

ଇନ୍ଦୋର:ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚ୍ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଗୌହାଟୀରେ ପ୍ରଥମ ମ୍ୟାଚ୍ ବର୍ଷାରେ ଧୋଇ ହୋଇ ଯିବା ପରେ ଆସନ୍ତାକାଲି ଇନ୍ଦୋର ମ୍ୟାଚ ବିଜୟ ସହ ୨୦୨୦ ବର୍ଷ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି ବିରାଟ ବାହିନୀ। ସବୁଠୁ ବଡ଼ କଥା ହେଉଛି ଇନ୍ଦୋରର ହୋଲକର ଷ୍ଟାଡିୟମରେ ଭାରତ ଅପରାଜେୟ ରହିଛି। ହୋଲକର ଷ୍ଟାଡିୟମରେ ୨୦୦୬ରୁ ଏପର୍ୟ୍ୟନ୍ତ ଅନ୍ତର୍ଜାତୀୟ ସ୍ତରରେ ୨ଟି ଟେଷ୍ଟ, ଗୋଟିଏ ଟି-୨୦ ଏବଂ ୫ଟି ଦିନିକିଆ ମ୍ୟାଚ୍ ଆୟୋଜିତ ହୋଇଛି। ତିନୋଟି ଯାକ ଫର୍ମାଟରେ ସମସ୍ତ ୮ଟି ଯାକ ମ୍ୟାଚରେ ଭାରତ ପ୍ରତିପକ୍ଷ ଦଳ ଉପରେ ବିଜୟ ହାସଲ କରିଛି।

ଗୌହାଟୀରେ ପ୍ରଥମ ଟି-୨୦ ମ୍ୟାଚରେ ଗୋଟିଏ ବି ବଲ୍ ପଡିପାରିନଥିଲା। ତେଣୁ ଆସନ୍ତାକାଲି ମ୍ୟାଚରେ କୋହଲି ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିବେ ନାହିଁ। ଟିମରେ ତିନି ସ୍ପେଶାଲିଷ୍ଟ ପେସ୍ ବୋଲର ଓ ଦୁଇ ସ୍ପିନର୍ ରହିବେ। ୱାଶିଂଟନ୍ ସୁନ୍ଦର ଓ କୁଲଦୀପ ଯାଦବଙ୍କୁ ଟିମରେ ସ୍ଥାନ ମିଳିଥିଲା। ତେବେ ୟୁଜବେନ୍ଦ୍ର ଚହଲ୍ ଓ ରବୀନ୍ଦ୍ର ଜାଡେଜା ଅନ୍ତିମ ଏକାଦଶରେ ସ୍ଥାନ ହାସଲ କରିବାରେ ବିଫଳ ହୋଇଥିଲେ। ଶ୍ରୀଲଙ୍କା ଟିମରେ ଅଧିକାଂଶ ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ ଦୃଷ୍ଟିରେ ରଖି କୋହଲି ବୋଲିଂ କମ୍ବିନେଶନରେ ଏହି ନିଷ୍ପତ୍ତି ନେଇଛନ୍ତି। ମନିଷ ପାଣ୍ଡେ ଓ ସଞ୍ଜୁ ସାମସନ୍ ପ୍ରଥମ ମ୍ୟାଚର ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ ଏବଂ ଦୁହିଁଙ୍କୁ ପୁଣିଥରେ ବାହାରେ ବସିବାକୁ ପଡ଼ିବ।

ଚଳିତ ବର୍ଷ ହେବାକୁଥିବା ଟି-୨୦ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଟିମ୍ ଖେଳାଳିଙ୍କ ସହ ପ୍ରୟୋଗ କରୁଛି, କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ଏପର୍ୟ୍ୟନ୍ତ ପାଣ୍ଡେ ଓ ସାମସନଙ୍କୁ ସୁଯୋଗ ଦେଇନାହିଁ। ଆହତ କାରଣରୁ ୪ମାସ ପରେ ଷ୍ଟାର୍ ପେସ୍ ବୋଲର ବୁମ୍ରାଙ୍କ ପ୍ରତ୍ୟାବର୍ତ୍ତନ ନେଇ ସମସ୍ତ ଅପେକ୍ଷା କରି ରହିଥିଲେ, କିନ୍ତୁ ବର୍ଷା ଏବଂ ଗ୍ରାଉଣ୍ଡ ଓଦା ରହିବା କାରଣରୁ ଗୌହାଟୀ ମ୍ୟାଚ୍ ହୋଇପାରିଲା ନାହିଁ। ମଙ୍ଗଳବାର ବୁମ୍ରାଙ୍କୁ ଇନ୍ଦୋରରେ ସୁଯୋଗ ମିଳିବା ଏକପ୍ରକାର ନିଶ୍ଚିତ ଏବଂ ଏଠାକାର ପାଗ ମୁଖ୍ୟତଃ ସଫା ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

Comments are closed.