ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ଆଜି

ହାମିଲ୍‌ଟନ: ନ୍ୟୁଜିଲାଣ୍ଡ ଗସ୍ତରେ ଘରୋଇ ଦଳ ବିପକ୍ଷ ଟ୍ବେଣ୍ଟି୨୦ ସିରିଜ୍‌ରେ ଭାରତର ପ୍ରାଧାନ୍ୟ ରହିବ ବୋଲି ସମସ୍ତେ ଧରି ନେଇଥିଲେ। ତେବେ ଭାରତ ଏହି ସିରିଜ୍‌କୁ ୫-୦ରେ ଜିତିବା ସମ୍ପୂର୍ଣ୍ଣ ଅପ୍ରତ୍ୟାଶିତ ଥିଲା। ଏହା ସତ ଯେ ବିରଳ ୫-୦ ଫଳାଫଳ ହାସଲ କରିବା ପାଇଁ ଭାରତୀୟ ଦଳ ଅତ୍ୟନ୍ତ ଚମତ୍କାର କ୍ରିକେଟ ଖେଳିଥିଲା। ତେବେ ଏହା ମଧ୍ୟ ସତ ଯେ ଶେଷ ୩ଟିଯାକ ମ୍ୟାଚ୍‌ ଜିତିବାର ସୁଯୋଗ ଘରୋଇ ଦଳ ପାଖରେ ଥିଲା। ବିଜୟ ହାତ ପାହାନ୍ତାରେ ଥିବା ସ​‌େ​‌ତ୍ତ୍ବ ନ୍ୟୁଜିଲାଣ୍ଡ ମ୍ୟାଚ୍ ଜିତି ନପାରିବା ନେଇ ଏବେ ପଶ୍ଚାତାପ କରୁଥିବ। ତେବେ ନ୍ୟୁଜିଲାଣ୍ଡ ଦଳ ପାଖରେ ଆତ୍ମସମୀକ୍ଷା କରିବାର ସମୟ ନାହିଁ। ବୁଧବାର ଏଠାରେ ଉଭୟ ଦଳଙ୍କ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳାଯିବ। ସ୍ଥାନୀୟ ସେଡନ୍ ପାର୍କରେ ସିରିଜ୍‌ର ପ୍ରଥମ ଦିନିକିଆ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜିତି ଭାରତୀୟ ଦଳ ନ୍ୟୁଜିଲାଣ୍ଡ ମାଟିରେ ବିଜୟଧାରା ବଜାୟ ରଖିବାକୁ ଚାହିଁବ। ଅନ୍ୟପକ୍ଷରେ ପରାଜୟ ଧାରା ଭାଙ୍ଗି ବିଜୟୀ ହେବାକୁ ନ୍ୟୁଜିଲାଣ୍ଡ ଚାହିଁବ। ୨୦୧୯ ନଭେମ୍ବର ୨୫ ପରଠାରୁ ସମସ୍ତ ଫର୍ମାଟରେ ନ୍ୟୁଜିଲାଣ୍ଡ ୯ଟି ମ୍ୟାଚ୍ ଖେଳିଥିଲେ ହେଁ ଗୋଟିଏ ବି ମ୍ୟାଚ୍ ଜିତି ପାରିନାହିଁ।
ଶେଷଥର ପାଇଁ ଭାରତ ଓ ନ୍ୟୁଜିଲାଣ୍ଡ ଦିନିକିଆ ମ୍ୟାଚ୍‌ରେ ମୁହାଁମୁହିଁ ହୋଇଥିଲେ ଗତବର୍ଷର ବିଶ୍ବକପ୍ ସେମିଫାଇନାଲରେ। ନ୍ୟୁଜିଲାଣ୍ଡ ପେସ୍ ବାହିନୀର ଘାତକ ବୋଲିଂ ନିକଟରେ ହାରମାନି ଭାରତ ବିଶ୍ବକପ୍‌ରୁ ବିଦାୟ ନେଇଥିଲା। ତେବେ ଉକ୍ତ ମ୍ୟାଚ୍‌ରେ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂ ଲାଇନ୍‌କୁ ଧ୍ବସ୍ତ କରିଥିବା ନ୍ୟୁଜିଲାଣ୍ଡର ୩ ପେସ୍ ବୋଲର- ଟ୍ରେଣ୍ଟ୍‌ ବୋଲ୍‌ଟ, ମ୍ୟାଟ୍‌ ହେନ୍‌ରି ଓ ଲୋକି ଫର୍ଗୁସନ୍ ଏହି ସିରିଜ୍‌ରେ ଖେଳିବେନାହିଁ। ପୁଣି ଦଳର ପ୍ରମୁଖ ବ୍ୟାଟ୍‌ସମ୍ୟାନ୍ ତଥା ଅଧିନାୟକ କେନ୍ ୱିଲିୟମ୍‌ସନ୍ ମଧ୍ୟ ପ୍ରଥମ ୨ଟି ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି। ୱିକେଟ ରକ୍ଷକ ଟମ୍ ଲାଥାମ୍ ଦଳର ନେତୃତ୍ବ ନେବେ। ଭାରତ ବିପକ୍ଷରେ ଲାଥାମ୍‌ଙ୍କ ଦିନିକିଆ ରେକର୍ଡ ବହୁତ ଭଲ। ସେ ୧୩ଟି ଇନିଂସରୁ ୫୪ ଆଭ୍‌ରେଜରେ ୫୯୩ ରନ୍ ସ୍କୋର୍ କରିଛନ୍ତି। ପ୍ରମୁଖ ପେସ୍ ବୋଲରଙ୍କ ଅନୁପସ୍ଥିତିରେ ଟ୍ବେଣ୍ଟି୨୦ ସିରିଜ୍ ଖେଳିଥିବା ଟିମ୍ ସାଉଦି, ସ୍କଟ୍‌ କୁଗ୍‌ଲେଇନ୍ ଓ ହାମିସ୍ ବେନେଟ୍‌ ଖେଳିପାରନ୍ତି। ନ୍ୟୁଜିଲାଣ୍ଡ ଦୁଇ ପେସ୍ ବୋଲିଂ ଅଲ୍‌ରାଉଣ୍ଡର କଲିନ୍ ଡି ଗ୍ରାଣ୍ଡହୋମ୍ ଓ ଜେମ୍‌ସ ନିସାମ୍‌ଙ୍କୁ ଖେଳାଇବ। ହାମିଲଟନ୍‌ର ପିଚ୍‌ରେ ଖେଳା ଯାଇଥିବା ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ବଲ୍‌ ସାମାନ୍ୟ ଟର୍ଣ୍ଣ କରିଥିଲା। ତେଣୁ ନ୍ୟୁଜିଲାଣ୍ଡ ତା’ର ଉଭୟ ସ୍ପିନର ଇସ୍ ସୋଢ଼ି ଓ ମିଚେଲ ସାଣ୍ଟ୍‌ନରଙ୍କୁ ଖେଳାଇବା ନିଶ୍ଚିତ। ମାର୍ଟିନ୍ ଗପ୍‌ଟିଲଙ୍କ ସହ ହେନ୍‌ରି ନିକୋଲ୍‌ସ ଇନିଂସ ଓପନ୍ କରିବେ। ତେବେ ନ୍ୟୁଜିଲାଣ୍ଡର ବ୍ୟାଟିଂ ରସ୍ ଟେଲର ଓ ମାର୍ଟିନ୍ ଗପ୍‌ଟିଲଙ୍କ ଉପରେ ନିର୍ଭର କରିବ। ୱିଲିୟମ୍‌ସନଙ୍କ ସ୍ଥାନରେ ୩ନଂ ସ୍ଥାନରେ ମାର୍କ ଚାପ୍‌ମ୍ୟାନ୍ ବ୍ୟାଟିଂକରିବେ। ତେବେ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂକୁ ରୋକିବା ଭଳି ବୋଲିଂ ନ୍ୟୁଜିଲାଣ୍ଡର ନାହିଁ।

ଭାରତୀୟ ଅଧିନାୟକ ବିରାଟ କୋହଲି କହି ସାରିଲେଣି ଯେ ପୃଥ୍ବୀ ସ’ ଓ ମୟଙ୍କ ଅଗ୍ରୱାଲ ଇନିଂସ ଓପନ୍ କରିବେ। ଫଳରେ ଉଭୟେ ଦିନିକିଆ କ୍ରିକେଟ ଜୀବନ ଆରମ୍ଭ କରିବା ନିଶ୍ଚିତ। କେ.ଏଲ୍‌. ରାହୁଲ ୱିକେଟ ରକ୍ଷଣ କରିବା ସହ ୫ନଂ ସ୍ଥାନରେ ବ୍ୟାଟିଂକରିବେ। ଫଳରେ ଉଭୟ ଋଷଭ ପନ୍ତ୍ ଓ କେଦାର ଯାଦବ ବାହାରେ ବସିବା ନିଶ୍ଚିତ। ମହମ୍ମଦ ସାମି ଖେଳିବାର ଥିବାରୁ ନବଦୀପ ସୈନିଙ୍କୁ ତାଙ୍କ ସୁଯୋଗ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ରବୀନ୍ଦ୍ର ଜାଡ଼େଜାଙ୍କ ପରେ ୨ୟ ସ୍ପିନର ସ୍ଥାନ ପାଇଁ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତା ହେବ। ହାମିଲ୍‌ଟନର ପିଚ୍ ବ୍ୟାଟିଂ ପାଇଁ ସହାୟକ ହେବ। ତେଣୁ ପ୍ରଥମେ ବ୍ୟାଟିଂ କରିବାକୁ ଥିବା ଦଳ ୩୦୦ରୁ ଅଧିକ ରନ୍ କରିବାକୁ ଚାହିଁବ। ଉଭୟ ଦଳ ଟସ୍ ଜିତି ବ୍ୟାଟିଂର ନିଷ୍ପତ୍ତି ନେଇପାରନ୍ତି।

Comments are closed.