ଆଜି ଭାରତ-ନ୍ୟୁଜିଲାଣ୍ଡ ୪ର୍ଥ ଟ୍ବେଣ୍ଟି-୨୦ : ବିଜୟଧାରା ବଜାୟ ଲକ୍ଷ୍ୟରେ ଭାରତ

ୱେଲିଂଟନ : ନ୍ୟୁଜିଲାଣ୍ଡ ମାଟିରେ ପ୍ରଥମଥର ଟ୍ବେଣ୍ଟି-୨୦ ସିରିଜ୍ ଜିତିବା ପରେ ଭାରତୀୟ ଖେଳାଳିଙ୍କ ମନୋବଳ ଏବେ ଶିଖରରେ। ବୁଧବାର ଭାରତ ତା’ର କ୍ରିକେଟ ଇତିହାସରେ ସବୁଠାରୁ ରୋମାଞ୍ଚକର ଟ୍ବେଣ୍ଟି-୨୦ ମ୍ୟାଚ୍ ଜିତିଥିଲା। ୪ ବଲ୍‌ରୁ ୨ ରନ୍‌ ରୋକି ମ୍ୟାଚ୍‌କୁ ଟାଇ ରଖିବା ପରେ ସୁପର ଓଭରରେ ଶେଷ ୨ଟି ବଲ୍‌ରୁ ୨ଟି ଛକାମାରି ଏହି ମ୍ୟାଚ୍‌କୁ ଜିତି ୫ ମ୍ୟାଚ୍‌ର ସିରିଜ୍‌ରେ ୩-୦ରେ ଆଗୁଆ ହୋଇଯାଇଛି। ନ୍ୟୁଜିଲାଣ୍ଡ ସିରିଜ୍ ହାରି ସାରିଥିଲେ ହେଁ ଘରୋଇ ଦଳ ପାଇଁ ଏହା ଏକ ସାନ୍ତ୍ବନା ଯେ ପ୍ରଥମ ୨ଟି ମ୍ୟାଚ୍‌ ତୁଳନାରେ ୩ୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଉନ୍ନତ ପ୍ରଦର୍ଶନ କରିଛି ଏବଂ ମ୍ୟାଚ୍‌ର ଅଧିକାଂଶ ସମୟ ଏହା ଭାରତଠାରୁ ଆଗରେ ରହିଥିଲା। ଭାରତ ସିରିଜ୍ ଜିତି ସାରିଥିଲେ ହେଁ ବହୁତ କ୍ରିକେଟ ଖେଳିବାକୁ ବାକିଅଛି। ଶୁକ୍ରବାର ଏଠାରେ ଉଭୟ ଦଳଙ୍କ ମଧ୍ୟରେ ୪ର୍ଥ ଟ୍ବେଣ୍ଟି-୨୦ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜିତି କିଛି ସମ୍ମାନ ଫେରି ପାଇବାକୁ ଘରୋଇ ଦଳ ପ୍ରୟାସ କରିବ। ତେବେ ଭାରତୀୟ ଦଳ ବିଜୟଧାରା ବଜାୟ ରଖିବାକୁ ଚାହିଁବ।
୩ୟ ମ୍ୟାଚ୍‌ ପରେ ଭାରତୀୟ ଅଧିନାୟକ ବିରାଟ କୋହଲି କହି ସାରିଛନ୍ତି ଯେ ବାହାରେ ବସିଥିବା କିଛି ଖେଳାଳିଙ୍କୁ ସୁଯୋଗ ମିଳିବ। ଆଗକୁ ଦିନିକିଆ ଓ ଟେଷ୍ଟ ସିରିଜ୍ ଥିବାରୁ ମହମ୍ମଦ ସାମି ଓ ଯଶପ୍ରୀତ ବୁମ୍‌ରାଙ୍କୁ ବିଶ୍ରାମ ଦେବା କଥା ସେ ଚିନ୍ତା କରିପାରନ୍ତି। ତେବେ ପାଳିକରି ଦୁହିଁଙ୍କୁ ବିଶ୍ରାମ ଦିଆ ଯାଇପାରେ; ଏକାଠି ନୁହେଁ। ଫଳରେ ନବଦୀପ ସୈନି ସୁଯୋଗ ପାଇପାରନ୍ତି। ପୁଣି ଅଲ୍‌ରାଉଣ୍ଡର ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ ଅଲ୍‌ରାଉଣ୍ଡର ୱାଶିଂଟନ ସୁନ୍ଦର ଖେଳିପାରନ୍ତି। ଲେଗ୍‌ସ୍ପିନର ଯୁଜବେନ୍ଦ୍ର ଚହଲଙ୍କ ସ୍ଥାନ କୁଲଦୀପ ଯାଦବଙ୍କୁ ମିଳିପାରେ। ୩ୟ ଟ୍ବେଣ୍ଟି୨୦ରେ ନ୍ୟୁଜିଲାଣ୍ଡ ପେସ୍ ବୋଲର ବ୍ଲେୟାର ଟିକ୍‌ନରଙ୍କ ସ୍ଥାନରେ ସ୍କଟ୍‌ କୁଗ୍‌ଲେଇନ୍‌ଙ୍କୁ ଖେଳାଇଥିଲା। ୨ ଓଭରରୁ କୁଗ୍‌ଲେଇନ୍‌ ୧୦ ରନ୍ ଦେଇଥିଲେ ହେଁ ତାଙ୍କୁ ଆଉ ବୋଲିଂ ମିଳିନଥିଲା। ପ୍ରଥମ ୩ଟି ମ୍ୟାଚ୍‌ରୁ ୮ ରନ୍‌ କରିଥିବା ଅଲ୍‌ରାଉଣ୍ଡର କଲିନ୍ ଡି ଗ୍ରାଣ୍ଡହୋମ୍ ଶେଷ ୨ଟି ମ୍ୟାଚ୍‌ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଟମ୍ ବ୍ରୁସ୍ ଦଳରେ ସାମିଲ ହୋଇଛନ୍ତି। ତେବେ ବ୍ରୁସ୍ ନୁହନ୍ତି; ଅଲ୍‌ରାଉଣ୍ଡର ଡ୍ୟାରିଲ ମିଚେଲ ହିଁ ୪ର୍ଥ ମ୍ୟାଚ୍‌ରେ ଗ୍ରାଣ୍ଡହୋମ୍‌ଙ୍କ ସ୍ଥାନନେବେ। କେନ୍ ୱିଲିୟମ୍‌ସନ ଚମତ୍କାର ଫର୍ମରେ ଅଛନ୍ତି ଏବଂ ତାଙ୍କର ଦର୍ଶନୀୟ ୯୫ ରନ୍‌ର ଇନିଂସ ଦ୍ବାରା ସେ ଦେଖାଇଛନ୍ତି ଯେ ଯଶପ୍ରୀତ୍‌ ବୁମ୍‌ରାଙ୍କ ବିପକ୍ଷରେ ମଧ୍ୟ ଦ୍ରୁତ ରନ୍ ସ୍କୋର୍ କରିହେବ। ମାର୍ଟିନ୍ ଗପ୍‌ଟିଲ ଓ ରସ୍‌ ଟେଲର ମଧ୍ୟ ବ୍ୟାଟିଂ କରୁଛନ୍ତି। ତେବେ ଅନ୍ୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ବିଫଳତା ନ୍ୟୁଜିଲାଣ୍ଡକୁ ଚିନ୍ତାରେ ପକାଇଛି। ନ୍ୟୁଜିଲାଣ୍ଡର ଦୁଇ ସ୍ପିନର ଇସ୍ ସୋଢ଼ି ଓ ମିଚେଲ ସାଣ୍ଟ୍‌ନର ଭଲ ବୋଲିଂ କରୁଛନ୍ତି। ୱେଲିଂଟନ୍‌ରେ ସାଣ୍ଟନଙ୍କର ରେକର୍ଡ ବହୁତ ଭଲ। ଅଦ୍ୟାବଧି ୪୭ଟି ଟ୍ବେଣ୍ଟି୨୦ ଇନିଂସରୁ ଯଶପ୍ରୀତ ବୁମ୍‌ରା ମାତ୍ର ୪ଥର ୪୦ରୁ ଅଧିକ ରନ୍ ଦେଇଛନ୍ତି। ହାମିଲଟନରେ ବୁମ୍‌ରା ୪୫ ରନ୍ ଦେବା ସହ ସୁପର ଓଭରରେ ମଧ୍ୟ ୧୭ ରନ୍ ଦେଇଥିଲେ। ଏଥିରୁ ଅଧିକାଂଶ ରନ୍ ୱିଲିୟମ୍‌ସନଙ୍କ ବ୍ୟାଟ୍‌ରୁ ଆସିଥିଲା। ତେଣୁ ବୁମ୍‌ରା ତାଙ୍କ ବୋଲିଂରେ ଉନ୍ନତି ଆଣିବାକୁ ନିଶ୍ଚୟ ଚାହିଁବେ। ୱେଲିଂଟନ୍‌ରେ ୫ଟି ମ୍ୟାଚ୍‌ରୁ ପ୍ରଥମେ ବ୍ୟାଟିଂ କରିଥିବା ଦଳ ୪ଟି ମ୍ୟାଚ୍ ଜିତିଛି। ପେସ୍ ବୋଲର ଅଧିକ ୱିକେଟ ନେଇଥିବା ବେଳେ ସ୍ପିନର କମ୍ ରନ୍ ଦେଇଛନ୍ତି। ଆଉ ଗୋଟିଏ ଟ୍ବେଣ୍ଟି୨୦ ଇନିଂସ ଖେଳିଲେ ପାକିସ୍ତାନର ସୋଏବ୍ ମାଲିକ୍‌ଙ୍କ ପରେ ୨ୟ ବ୍ୟାଟ୍‌ସମ୍ୟାନ୍ ଭାବେ ଭାରତୀୟ ଓପ୍‌ନର ରୋହିତ ଶର୍ମା ୧୦୦ ଆନ୍ତର୍ଜାତିକ ଟି୨୦ ଇନିଂସ ଖେଳିବାର କୃତିତ୍ବ ହାସଲ କରିବେ। ଏଠାରେ ଗତ ୬ଟି ଟ୍ବେଣ୍ଟି୨୦ ମ୍ୟାଚ୍‌ରୁ ନ୍ୟୁଜିଲାଣ୍ଡ ୬ଟି ଜିତିଛି। ଏହି ଗ୍ରାଉଣ୍ଡରେ ନ୍ୟୁଜିଲାଣ୍ଡ ମୋଟ ୮ଟି ଟ୍ବେଣ୍ଟି୨୦ ଜିତିଛି; ଯାହା ବିଶ୍ବର ଯେକୌଣସି ଗ୍ରାଉଣ୍ଡ ତୁଳନାରେ ସର୍ବାଧିକ।

ଆଜି (ଶୁକ୍ରବାର)ର ମାଚ୍‌
ଭାରତ-ନ୍ୟୁଜିଲାଣ୍ଡ ୪ର୍ଥ ଟ୍ବେଣ୍ଟି୨୦
ଭାରତୀୟ ସମୟ ଅପରାହ୍‌ଣ ୧୨.୩୦ରୁ;
ଚ୍ୟାନେଲ- ଷ୍ଟାର୍ ସ୍ପୋର୍ଟସ ୧ ଓ ୩

Comments are closed.