ଭାରତ- ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟ: ୨ୟ ଦିନରେ ୧୬୫ ରନରେ ଅଲଆଉଟ ଭାରତ, ୫୧ ରନର ଲିଡରେ ନ୍ୟୁଜିଲାଣ୍ଡ

ୱେଲିଂଟନ : ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ବ୍ୟାଟିଂ ବିପର୍ୟ୍ୟୟର ସମ୍ମୁଖିନ ହୋଇ ମାତ୍ର ୫ ୱକେଟରେ ୧୨୨ ରନ ସଂଗ୍ରହ କରିଥିବା ଟିମ୍ ଇଣ୍ଡିଆ ଦ୍ବିତୀୟ ଦିନରେ ଆଶନୁରୂପ ପଦର୍ଶନ କରିପାରିନଥିଲା। ଦ୍ବିତୀୟ ଦିନରେ ଭାରତୀୟ ଦଳ ଆଉ ମାତ୍ର ୪୩ ରନରେ ୫ ୱିକେଟ ହରାଇଥିଲା। ପ୍ରଥମ ଦିନରେ ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହଣେ ଓ ଋଷଭ ପନ୍ତ ଇନିଂସ ଆରମ୍ଭ କରିଥିଲେ। ତେବେ ୧୯ ରନ୍ କରିଥିବା ପନ୍ତ ଦୁର୍ଭାଗ୍ୟବଶତଃ ରନ୍ ଆଉଟ ହୋଇ ପ୍ୟାଭିଲିୟନ ଫେରିଥିଲେ। ରାହଣେ ମଧ୍ୟ ଅଧିକ କିଛି କରିପାରି ନଥିଲେ।ସେ ମାତ୍ର ୪୬ ରନ କରିବାକୁ ସକ୍ଷମ ହୋଇଥିଲେ। ରବିଚନ୍ଦ୍ରନ ଅଶ୍ୱିନ ପ୍ରଥମ ବଲରେ ହିଁ ଟିମ୍ ସାଉଦିଙ୍କ ବଲରେ କ୍ଲିନବୋଲ୍ଡ ହୋଇଯାଇଥିଲେ। ଈଶାନ୍ତ ଶର୍ମା ୫ ଓ ମହମ୍ମଦ ଶାମି ଶେଷ ଭାଗରେ ୨୧ ରନ୍ କରିବାରୁ ଭାରତ ୧୬୫ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତୀୟ ଲାଇନ ଅପକୁ ଭୁଶୁଡ଼ାଇବାରେ ଟେଷ୍ଟ କ୍ରିକେଟରେ ପଦାର୍ପଣ କରିଥିବା କାଇଲ୍ ଜେମିସନ ଓ ଟିମ୍ ସାଉଦି ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଉଭୟ ୪ଟି ଲେଖାଏ ୱିକେଟ ନେଇଛନ୍ତି।

ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିବା ଘରୋଇ ନ୍ୟୁଜିଲାଣ୍ଡ ଭାରତୀୟ ବୋଲରଙ୍କୁ ବେଶ ସହଜର ସହ ଖେଳିବା ସହ ଦଳର ସ୍ଥିତିକୁ ମଜଭୁତ କରିଚାଲିଥିଲେ। ଟିମ୍ ଇଣ୍ଡିଆର ବ୍ୟାଟିଂ ବିପର୍ୟ୍ୟୟ ପରେ ଆରମ୍ଭରୁ ଈଶାନ୍ତ ଶର୍ମାଙ୍କୁ ଛାଡ଼ିଦେଲେ ଆଉ କେହି ବି ପ୍ରଭାବଶାଳୀ ବୋଲିଂ କରିପାରି ନଥିଲେ। ଏହାର ଫାଇନା ଉଠାଇ ଘରୋଇ ନ୍ୟୁଜିଲ୍ୟାଣ୍ଡ ଅଗ୍ରଣୀ ମଧ୍ୟ ହାସଲ କରିନେଲା। କିନ୍ତୁ ଦ୍ୱିତୀୟ ଦିନର ଖେଳ ଶେଷ ହେବାର କିଛି ଘଣ୍ଟାପୂର୍ବରୁ ଟିମ୍ ଇଣ୍ଡିଆର ବୋଲରମାନେ ଜବରଦସ୍ତ କମବ୍ୟାକ୍ କରିବା ସହ ନ୍ୟୁଜିଲାଣ୍ଡର ୫ ୱିକେଟ ଅସ୍ତିଆର କରିଥିଲେ ।
ଭାରତର ୧୬୫ ରନର ଜବାବରେ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୫ ୱିକେଟ ହରାଇ ୨୧୬ କରିଛି। ଏଥିସହ ଭାରତର ପ୍ରଥମ ଇନିଂସ୍ ସ୍କୋର ଠାରୁ ୫୧ ରନର ଲିଡ ହାସଲ କରିନେଇଛି। ନ୍ୟୁଜିଲାଣ୍ଡ ଇନିଂସ ସ୍କୋର ୨୦୦ ପାର କରାଇବାରେ କେନ୍ ୱିଲିୟମସନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ୮୯ ରନରେ ଇନିଂସ୍ ଖେଳି ନ୍ୟୁଜିଲାଣ୍ଡକୁ ପ୍ରଥମ ଇନିଂସରେ ଆଗୁଆ କରିଦେଇଛନ୍ତି। ଭାରତ ପକ୍ଷରୁ ଈଶାନ୍ତ ଶର୍ମା ୩ଟି ୱିକେଟ ଦଖଲ କରି ନିଜ ଅଭିଜ୍ଞତାର ପ୍ରମାଣ ଦେଇଛନ୍ତି। ଖରାପ ଆଲୋକ ଯୋଗୁ ଦ୍ବିତୀୟ ଦିନର ମ୍ୟାଚ୍ ବନ୍ଦ କରାଯାଇଥିଲା। ଷ୍ଟମ୍ପ ଅପସାରଣ ବେଳକୁ ୱାଟଲିଙ୍ଗ ୧୪ ଓ ଗ୍ରାଣ୍ଡ ହୋମ ୪ ରନ୍ କରି ଅପରାଜିତ ରହିଛନ୍ତି।

Comments are closed.