ବାୟୁ ପ୍ରଦୂଷଣ ମାନ ଉତ୍କଟ ସତ୍ତ୍ବେ ଦିଲ୍ଲୀରେ ଖେଳାଯିବ ଭାରତ ବାଂଲାଦେଶ ପ୍ରଥମ ଟି-୨୦

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ବାୟୁର ମାନ ଅତ୍ୟନ୍ତ ଖରାପ ହୋଇପଡ଼ିଛି । ଦୀପାବଳି ପରଦିନ ଠାରୁ ବାୟୁର ମାନ ଅଧିକ ଖରାପ ହୋଇପଡିଛି । ବାୟୁ ମାନ ସୂଚକାଙ୍କ ୩୪୬ ରହିଛି । ଯାହାକୁ ଅତ୍ୟନ୍ତ ଖରାପ ସ୍ତର ବୋଲି କୁହାଯାଏ। ଏହା ସତ୍ତ୍ବେ ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ ବୋଲି ବିସିିସିଆଇ ସ୍ପଷ୍ଟ କରିଛି। ଦୀପାବଳି ପରେ ଦିଲ୍ଲୀରେ ବଢିଥିବା ବାୟୁ ପ୍ରଦୂଷଣର ମାତ୍ରା କମିବ ବୋଲି ସମ୍ବାବନା ରହିଥିବା କୁହାଯାଇଛି। ବିସିସିଆଇ କହିଛି କି ସେମାନେ ଦିଲ୍ଲୀର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ଅନୁମତି ଆଣିଛନ୍ତି। ଏହା ସହ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସୂଚନା ଅନୁସାରେ ୩ ନଭେମ୍ବର ସୁଦ୍ଧା ଦିଲ୍ଲୀର ପରିବେଶ ଠିକ୍‍ ହୋଇଯାଇଥିବ। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ପରାମର୍ଶପରେ  ଟି-୨୦ ଦିଲ୍ଲୀରେ କରାଯିବାର ନିଷ୍ପତ୍ତି ନିଆଯାଇଥିବା ବିସିସିଆଇ ସ୍ପଷ୍ଟ କରିଛି। ସିଷ୍ଟମ ଅଫ ଏୟାର କ୍ଵାଲିଟି ଆଣ୍ଡ ଓ୍ଵେଦର ଫରକାଷ୍ଟିଙ୍ଗ ଆଣ୍ଡ ରିସର୍ଚ୍ଚ ମୁତାବକ ଦୀପାବଳିର ପରବର୍ତ୍ତୀ ଦିନ ଅର୍ଥାତ ସୋମବାର ସକାଳେ ଦିଲ୍ଲୀର ବାୟୁ ପ୍ରଦଦୂଷଣ ଅତି ନିମ୍ନସ୍ତରକୁ ଖସି ଆସିଛି। ବାୟୁ ଗୁଣବତ୍ତା ସୂଚକାଙ୍କ ଅର୍ଥାତ ଏକ୍ୟୁଆଇ ଆଧାରରେ ୦-୫୦ ଉତ୍ତମ, ୫୧ ରୁ ୧୦୦ ସନ୍ତୋଷଜନକ, ୧୦୧ରୁ ୨୦୦ ମଧ୍ୟମ ସ୍ତର, ୨୦୧ ରୁ ୩୦୦ ଖରାପ, ୩୦୦ ରୁ ୪୦୦ ଅତି ଖରାପ ଓ ୪୦୦ରୁ ଅଧିକ ହେଲେ ଗୁରୁତର କୁହାଯାଏ, ଯାହା ସ୍ଵାସ୍ଥ୍ୟ ଉପରେ କୁପ୍ରଭାବ ପକାଇଥାଏ। ୨୦୧୭ ଡିସେମ୍ବର ମାସରେ ମଧ୍ୟ ଏପରି ପରିସ୍ଥିତି ଦେଖାଯାଇଥିଲା ଯେତେବେଳେ କୋଟଲା ଷ୍ଟାଡିୟମରେ ଭାରତ ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ମ୍ୟାଚ ଖେଳୁଥିଲା । ଏହି ସମୟ‌ରେ ବାୟୁ ପ୍ରଦୂଷଣ ବାଧକ ସାଜିଥିଲା। ଯେଉଁ କାରଣରୁ ଶ୍ରୀଲଙ୍କା ଖେଳାଳିଙ୍କୁ ନିଃଶ୍ଵାସ ନେବାରେ କଷ୍ଟ ହୋଇଥିଲା। ଅଧିକାଂଶ ଖେଳାଳିଙ୍କୁ ମାକ୍ସ ପିନ୍ଧିବାକୁ ପଡ଼ିଥିଲା। ଏହା ସତ୍ଵେ କିଛି ଖେଳାଳି ଅସୁସ୍ଥ ହୋଇ ପଡ଼ିଥିଲେ।ଯାହାକୁ ନେଇ ସେହି ସମୟରେ ଚର୍ଚ୍ଚା ଲାଗିରହିଥିଲା। ଯଦି ଭାରତ ଶ୍ରିଲଙ୍କା ବିପକ୍ଷ ମ୍ୟାଚର ଦିନ ବାୟୁ ପ୍ରଦୂଷଣର ମାତ୍ରା ଆହୁରି ବଢିଯିବ ତେବେ କଣ କରାଯିବ ବୋଲି ବିସିସିଆଇର ଜଣେ ଅଧିକାରିଙ୍କୁ ପ୍ରଶ୍ନ କରାଯାଇଥିଲା। ଏହାର ଉତ୍ତର ସେ କହିଥିଲେ ବର୍ତ୍ତମାନ ସବୁକିଛି ଠିକ୍‍ ରହିଛି ଏବଂ ତାଙ୍କୁ ଲାଗୁଛି ୩ ସୁଦ୍ଧା ଦିଲ୍ଲୀରେ ବାୟୁ ପ୍ରଦୂଷଣର ମାତ୍ରାଠିକ ହୋଇଯାଇଥିବ।

Comments
Loading...